ସତ୍ୟେନ୍ଦ୍ର ଜୈନଙ୍କୁ ଶୀର୍ଷ ନାଗରିକ ସମ୍ମାନ ମିଳିବା ଦରକାର :  ଅରବିନ୍ଦ କେଜରିୱାଲ

Published By : Prameya-News7 Bureau | June 01, 2022 IST

ନୂଆଦିଲ୍ଲୀ ୧।୬: ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କୁ ପଦ୍ମ ବିଭୂଷଣ ମିଳିବା ଦରକାର । ଦିଲ୍ଲୀ ଆମ ଆଦମୀ ପାର୍ଟି (ଏଏପି) ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ବୁଧବାର ଏହା କହିଛନ୍ତି। ସେ କହିଛନ୍ତି ଯେ ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀ ଭାବେ ଜୈନ ଦେଇଥିବା ମହଲା କ୍ଲିନିକ ଏପରି ଏକ ମଡେଲ ଯାହା ଜାତୀୟ ରାଜଧାନୀରେ ଅସଂଖ୍ୟ ଲୋକଙ୍କୁ ମାଗଣା ସ୍ୱାସ୍ଥ୍ୟ ସେବା ଯୋଗାଇ ଦେଉଛି। ଏହି ମଡେଲ ଦେଖିବା ଲାଗି ଏବେ  ଖାଲି ଦେଶ ନୁହେଁ ବିଦେଶରୁ ଭାରତକୁ ବିଶେଷଜ୍ଞଙ୍କ ସୁଅ ଛୁଟିଛି।

ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କୁ ଏବେ ଇଡି ଗିରଫ କରିନେଇଛି। ପୂର୍ବରୁ ଆୟକର ଓ ସିବିଆଇ ତାଙ୍କର ତଦନ୍ତ କରିଥିଲେ। ଏଥିରେ ଜୈନଙ୍କୁ କୌଣସି ବାଟରେ ଦୋଷୀ କରିପାରିନଥିଲେ। ଏବେ ଇଡି ମଧ୍ୟ ବାକି ତଦନ୍ତ ପୂରଣ କରିବେ ଓ ତାଙ୍କୁ ଯେମିତି ଗିରଫ କରିନେଇଛନ୍ତି ସେମିତି ଇଜ୍ଜତର ସହ ଭଲରେ ଭଲରେ ଘରେ ଛାଡି ଦେଇ ଯିବେ ବୋଲି କହିଛନ୍ତି କେଜରିୱାଲ। ଏଣୁ ଏପରି ଜଣେ ନେତାଙ୍କୁ ଦେଶର ସର୍ବୋଚ୍ଚ ନାଗରିକ ସମ୍ମାନ ପଦ୍ମ ବିଭୂଷଣ ମିଳିବା କଥା ବୋଲି ସେ କହିଛନ୍ତି ।

ସେ କହିଛନ୍ତି ଯେ  ସତ୍ୟେନ୍ଦ୍ର ଜୈନଙ୍କ ବିରୋଧରେ ଆଗତ ଅଭିଯୋଗ ସମ୍ପୂର୍ଣ୍ଣ ମିଥ୍ୟା। ଏହି ପୁରା ପ୍ରକରଣର କାଗଜପତ୍ର ସେ ଦେଖିଛନ୍ତି। ଏଣୁ ଏହା ଏକ ମିଥ୍ୟା ମାମଲା। ଆମ ଆଦମୀ ପାର୍ଟି ସମ୍ପୂର୍ଣ୍ଣ ସତ୍ୟନିଷ୍ଠ ଓ ଦେଶଭକ୍ତଙ୍କ ପାର୍ଟି। ଆମେ ଭ୍ରଷ୍ଟାଚାରକୁ ଦେଶ ସହ ଶତ୍ରୁତା ବୋଲି ଭାବୁ। ଆମେ ମୁଣ୍ଡ କଟାଇ ଦେଇପାରୁ ହେଲେ ଦେଶ ସହ କେବେ ଧୋକା କରିପାରିବୁନି ବୋଲି କହିଛନ୍ତି କେଜରିୱାଲ।

ସେ କହିଛନ୍ତି ଯେ ଗତ ୨୦୧୫ ମସିହାରେ ଏହିଭଳି ଏକ କାଣ୍ଡ ଦେଖିବାକୁ ମିଳିଥିଲା। ସେତେବେଳେ ଆମେ ଆମ ଖାଦ୍ୟମନ୍ତ୍ରୀଙ୍କୁ ବରଖାସ୍ତ କରି ସିବିଆଇ ହାତକୁ ଟେକି ଦେଇଥିଲୁ। ଆମେ ଚାହିଁଥିଲେ ଅନ୍ୟ ରାଜନୈତିକ ଦଳଙ୍କ ପରି ଏହି ମାମଲାକୁ ଦବାଇ ଦେଇପାରିଥାନ୍ତୁ । ହେଲେ ଏପରି କରି ନଥିଲୁ। ଦେଶ କ’ଣ ପୁରା ଦୁନିଆର ରାଜନୀତିରେ ଏପରି ବିଶ୍ୱାସନୀୟତା କେଉଁଠାରେ ଦେଖାଯାଇ  ନାହିଁ ବୋଲି କହିଛନ୍ତି କେଜରିୱାଲ ।

ଏଥିରେ ଆମଆଦମୀ ପାର୍ଟିର ଅନ୍ୟତମ ବରିଷ୍ଠ ନେତା ସଞ୍ଜୟ ସିଂହ କାଶ୍ମୀରରେ ହେଉଥିବା ପଣ୍ଡିତଙ୍କ ହତ୍ୟା ଉପରୁ ଦେଶବାସୀଙ୍କ ନଜର ହଟାଇବା ପାଇଁ ଇଡି ଦ୍ୱାରା ଜୈନଙ୍କ ଗିରଫ ଏକ ନାଟକବାଜୀ ମାତ୍ର ବୋଲି କହିଛନ୍ତି। ଯେପରି ପାଞ୍ଚ ବର୍ଷ ବଦନାମ କରିବା ପରେ ସିବିଆଇ କିଛି ମିଳିଲା ନାହିଁ ବୋଲି କହିଥିଲା ଠିକେ ସେହିପରି ଇଡି ମଧ୍ୟ କିଛି ମିଳିଲାନି ବୋଲି କହିବାକୁ ବାଧ୍ୟ ହେବେ ବୋଲି ସେ କହିଛନ୍ତି। ନଚେତ  ୮ ବର୍ଷ ହେଲା ଶୋଇଥିବା ଇଡି ଠିକ୍ ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ହିମାଚଳ ନିର୍ବାଚନ ପ୍ରଭାରୀଙ୍କୁ କାହିଁକି ଉଠାଇଥାନ୍ତା ବୋଲି ସେ ପ୍ରଶ୍ନ କରିଛନ୍ତି।

ଏଥିରୁ କାଶ୍ମୀର ପଣ୍ଡିତଙ୍କ ହତ୍ୟା ସେମାନଙ୍କ ସୁରକ୍ଷା ଏବେ ସାରା ଦେଶର ଚିନ୍ତା ପାଲଟିଥିବା ବେଳେ ବିଜେପିର ଚିନ୍ତା କେବଳ ଆମଆଦମୀ ପାର୍ଟିକୁ ବଦନାମ କରିବା ବୋଲି ସଞ୍ଜୟ ସିଂହ କହିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ୪୦୦ରୁ ଅଧିକ ମାମଲାରେ ଯାଞ୍ଚ କରାଇ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ କ୍ଲିନଚିଟ୍ ଦେଇଛନ୍ତି। ଠିକ୍ ସେମିତି ସତ୍ୟେନ୍ଦ୍ର ଜୈନଙ୍କୁ ମଧ୍ୟ କ୍ଲିନ ଚିଟ୍ ଦେବେ ବୋଲି ସିଂହ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.