କେଜ୍ରିଓ୍ଵାଲ ସରକାରଙ୍କ ନିଷ୍ପତ୍ତି, କ୍ଵାରେଣ୍ଟାଇନ୍ କେନ୍ଦ୍ରରୁ ମୁକ୍ତ ହେବେ ୪୦୦୦ ଜମାତି
6/05/2020 at 6:47 PM

ନୂଆଦିଲ୍ଲୀ ୦୬।୦୫: ଦିଲ୍ଲୀ ସରକାର ବୁଧବାର ସେହି ୪୦୦୦ ତବଲିଗି ଜମାତର ସଦସ୍ୟଙ୍କୁ ଛାଡିବାକୁ ଆଦେଶ ଦେଇଛନ୍ତି, ଯେଉଁମାନେ ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ କ୍ଵାରେଣ୍ଟାଇନ୍ ଅବଧି ପୂରା କରି ସାରିଛନ୍ତି। ଏବେ ଜମାତର ଲୋକ ନିଜର ଘରକୁ ଯାଇ ପାରିବେ। ଦିଲ୍ଲୀର ସ୍ଵାସ୍ଥ୍ୟ ମନ୍ତ୍ରୀ ସତ୍ୟନ୍ଦ୍ର ଜୈନ କହିଛନ୍ତି, ସଂକ୍ରମିତ ଲୋକ ସୁସ୍ଥ ହୋଇ ସାରିଛନ୍ତି ଏବଂ ସଭିଙ୍କର କ୍ଵାରେଣ୍ଟାଇନ୍ ଅବଧି ପୂରା ହୋଇ ସାରିଛି। ସେ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ, ଯେଉଁ ଜମାତିଙ୍କ ଉପରେ ମୋକଦ୍ଦମା ଚାଲିଛି ସେମାନଙ୍କ ଉପରେ ଦିଲ୍ଲୀ ପୋଲିସ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ। ଜୈନ କହିଛନ୍ତି ଏହି ଲୋକଙ୍କୁ ପୋଲିସ ରିମାଣ୍ଡରେ ପଠାଯାଉ ଏବଂ ବାକି ଲୋକଙ୍କୁ ନିଜ ନିଜ ଘରକୁ ଯିବାକୁ ଦିଆଯାଉ।
ଉଲ୍ଲେଖନୀୟ ମାର୍ଚ୍ଚ ମାସରେ ନିଜାମୁଦ୍ଦିନ ମରକଜରୁ ଏବଂ ଅନ୍ୟ କିଛି ଜାଗାରୁ ୪ ହଜାରରୁ ଅଧିକ ଲୋକ ଧରା ଯାଇଥିଲା। ସେମାନଙ୍କ ମଧ୍ୟରୁ ଏକ ହଜାରରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ। ଏହା ପରେ ବାକି ଲୋକଙ୍କୁ ଅଲଗା ଅଲଗା କ୍ଵାରେଣ୍ଟାଇନ୍ କେନ୍ଦ୍ରରେ ରଖାଯାଇ ଥିଲା। ଏହି ସବୁ ଲୋକ ହଜରତ ନିଜାମୁଦ୍ଦିନ ମରକଜରେ ଆୟୋଜିତ ଧାର୍ମିକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।
ଏବେ ସଂକ୍ରମିତ ଲୋକ ଠିକ୍ ହୋଇ ସାରିଛନ୍ତି ଓ ସମସ୍ତ କ୍ଵାରେଣ୍ଟାଇନ୍ ଅବଧି ସମାପ୍ତ ହୋଇ ସାରିଛି। ତେଣୁ ଦିଲ୍ଲୀର କେଜ୍ରିଓ୍ଵାଲ ସରକାର ସେମାନଙ୍କୁ ଛୁଟି ଦେବାକୁ ନିଷ୍ପତ୍ତି ନେଇଛନ୍ତି।
କେନ୍ଦ୍ରୀୟ ସ୍ଵାସ୍ଥ୍ୟ ମନ୍ତ୍ରଣାଳୟ ମୁତାବକ, ଦିଲ୍ଲୀରେ ଏ ପର୍ଯ୍ୟନ୍ତ ୫୧୦୪ ଲୋକ କରୋନା ଭାଇରସ୍ ସଂକ୍ରମିତ ହୋଇଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ୬୪ ଜଣଙ୍କ ମୃତ୍ୟୁ ଘଟିଛି। ୧୪୬୮ ଜଣ ସୁସ୍ଥ ହୋଇ ସାରିଛନ୍ତି।