କେଜ୍ରିୱାଲଙ୍କୁ ୨୧ ଦିନର ଆଶ୍ୱସ୍ତି, ଜୁନ୍ ୨ରେ ପୁଣି ଯିବେ ଜେଲ୍: ସୁପ୍ରିମକୋର୍ଟଙ୍କ ଆଦେଶ

Published By : Prameya-News7 Bureau | May 10, 2024 IST

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ସୁପ୍ରିମକୋର୍ଟରୁ ବଡ଼ ଆଶ୍ୱସ୍ତି ମିଳିଛି । ସର୍ବୋଚ୍ଚ ଅଦାଲତ ତାଙ୍କୁ ଜୁନ୍ ୧ ଯାଏ ଅନ୍ତରୀଣ ଜାମିନ୍ ପ୍ରଦାନ କରିଛନ୍ତି । ଜୁନ ୨ରେ ପୁଣି ଥରେ ସରେଣ୍ଡର କରିବାକୁ ପଡ଼ିବ । ଇଡି କୋର୍ଟ ଅନ୍ତରୀଣ ଜାମିନକୁ ବିରୋଧ କରିଥିଲା କିନ୍ତୁ ଜଷ୍ଟିସ୍ ସଞ୍ଜୀବ ଖନ୍ନା ଏବଂ ଜଷ୍ଟିସ୍ ଦୀପଙ୍କର ଦତ୍ତାଙ୍କ ଖଣ୍ଡପୀଠ କେଜ୍ରିୱାଲଙ୍କ ସପକ୍ଷରେ ରାୟ ଶୁଣାଇ ଅନ୍ତରୀଣ ଜାମିନ ଦେଇଛନ୍ତି । 

ଜାମିନ ମିଳିବା ପରେ କେଜ୍ରିୱାଲ୍ ଜେଲରୁ ବାହାରକୁ ଆସିବେ । ଏହାପରେ ସେ ନିର୍ବାଚନ ପ୍ରଚାରରେ ସାମିଲ ହୋଇପାରିବେ, ସାମ୍ୱାଦିକ ସମ୍ମିଳନୀ ମଧ୍ୟ କରିପାରିବେ । ସୁପ୍ରିମକୋର୍ଟ ଏହା ପୂର୍ବରୁ ଶୁଣାଣି ବେଳେ କହିଥିଲେ ଯେ ଅରବିନ୍ଦ କେଜ୍ରିୱାଲ ଦିଲ୍ଲୀର ନିର୍ବାଚିତ ମୁଖ୍ୟମନ୍ତ୍ରୀ ଏବଂ ପେଶାଦାର ଅପରାଧୀ ନୁହନ୍ତି । କୋର୍ଟ କହିଥିଲେ ଯେ ଲୋକସଭା ନିର୍ବାଚନ ପାଞ୍ଚ ବର୍ଷ ପରେ ହୋଇଥାଏ, ଏଥିପାଇଁ କେଜ୍ରିୱାଲଭଙ୍କୁ ଜାମିନ ଦେବା ପାଇଁ କୌଣସି ଆପତ୍ତି ନାହିଁ । ଇଡି କେଜ୍ରିୱାଲଙ୍କୁ ଅନ୍ତରୀଣ ଜାମିନ ପ୍ରଦାନକୁ ଜୋରଦାର ବିରୋଧ କରିଥିଲା ।

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ନିର୍ବାଚନ ପ୍ରଚାର ଆଧାରରେ କେଜ୍ରିୱାଲଙ୍କୁ ଅନ୍ତରୀଣ ଜାମିନ ପ୍ରଦାନକୁ ବିରୋଧ କରିଥିଲା । କେନ୍ଦ୍ରୀୟ ସଂସ୍ଥା କହିଥିଲା ଯେ ଏହିପରି ପୂର୍ବର କୌଣସି ଉଦାହରଣ ନାହିଁ । ସୁପ୍ରିମକୋର୍ଟ କହିଛନ୍ତି ଯେ କେଜ୍ରିୱାଲଙ୍କୁ ୨୧ ଦିନ ପାଇଁ ଅନ୍ତରୀଣ ଜାମିନ ପ୍ରଦାନ କରିବାରେ କୌଣସି ଫରକ ପଡ଼ିବ ନାହିଁ ।

ଅରବିନ୍ଦ କେଜ୍ରିୱାଲଙ୍କ ପାଇଁ କୋର୍ଟରେ ପକ୍ଷ ରଖିଥିଲେ ଆଇନଜୀବୀ ଅଭିଷେକ ମନୁ ସଙ୍ଘଭୀ । ସେ ସୁପ୍ରିମକୋର୍ଟଙ୍କୁ ଅନୁରୋଧ କରିଥିଲେ ଯେ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ଜୁନ୍ ୪ରେ ହେବାକୁ ଥିବାକୁ ମତଗଣନାର ପର ଦିନ ଜୁନ୍ ୫ ଯାଏ ଅନ୍ତରୀଣ ଜାମିନ ଦିଆଯାଉ । ତେବେ ସୁପ୍ରିମକୋର୍ଟ ତାଙ୍କ ଦାବିକୁ ଖାରଜ କରି କେଜ୍ରିୱାଲଙ୍କୁ ଜୁନ୍ ୧ ଯାଏ ଆଶ୍ୱସ୍ତି ଦେଇଛନ୍ତି । ଲୋକସଭା ନିର୍ବାଚନର ଶେଷ ପର୍ଯ୍ୟାୟ ମତଦାନ ଯାଏ ସେ ଜେଲରୁ ବାହାରେ ରହିବେ ।

ସର୍ବୋଚ୍ଚ ଅଦାଲତ ମାମଲାରେ କେଜ୍ରିୱାଲଙ୍କ ଗିରଫଦାରୀକୁ ବଜାୟ ରଖିବା ନେଇ ଦିଲ୍ଲୀ ହାଇକୋର୍ଟଙ୍କ ପୂର୍ବ ରାୟକୁ ଚ୍ୟାଲେଞ୍ଜ ଦେଇଥିବା ଯାଚିକା ଉପରେ ଶୁଣାଣି କରିଥିଲେ । କୋର୍ଟ କହିଥିଲେ ଯେ ଏହି ମାମଲାର ଶୁଣାଣିରେ ସମୟ ଲାଗିବ ଏବଂ ଏପରି ସ୍ଥିତିରେ କେଜ୍ରିୱାଲଙ୍କୁ ଅନ୍ତରୀମ ଜାମିନ ଦିଆଯିବ । ଉଲ୍ଲେଖଯୋଗ୍ୟ ଯେ ଦିଲ୍ଲୀର କଥିତ ମଦ ନୀତି ଦୁର୍ନୀତି ମାମଲାରେ କଥିତ ମନିଂ ଲଣ୍ଡ୍ରିଂ ମାମଲାରେ କେଜ୍ରିୱାଲଙ୍କୁ ମାର୍ଚ୍ଚ ୨୧ରେ ଗିରଫ କରାଯାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.