ବିରୋଧୀ ଦଳ ନେତାଙ୍କୁ 5-T ଭୂତ ଘାରିଛି : ଅରୁଣ ସାହୁ
31/03/2023 at 3:18 PM

ଭୁବନେଶ୍ବର ୩୧।୩: ଶୂନ୍ୟକାଳରେ 5-T ସ୍କୁଲକୁ କମ୍ପ୍ୟୁଟର ଯୋଗାଣ ପ୍ରସଙ୍ଗ ଉଠାଇଲେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର । କହିଲେ 5-T ସ୍କୁଲଗୁଡିକୁ ଯୋଗାଇ ଦିଆଯାଇଥିବା କମ୍ପ୍ୟୁଟରରେ ସୁବ୍ରତ ଛାଟୋଇଙ୍କ ଭୂମିକା କ’ଣ । ଆଇଟି ସଚିବ ଏବଂ 5-T ସଚିବଙ୍କ ସହ ତାଙ୍କର କ’ଣ ସମ୍ପର୍କ ରହିଛି । ଜାଲ ସାର୍ଟିଫିକେଟ ରାକେଟ ବଲାଙ୍ଗୀରରେ ଧରାପଡିଛି । ଏହା ସହିତ ବଣିକ ଇନଷ୍ଟିଚ୍ୟୁଟର କ’ଣ ସମ୍ପର୍କ ରହିଛି । ଗୃହରେ ଏ ନେଇ ସରକାର ଉତ୍ତର ରଖନ୍ତୁ ବୋଲି ଦାବି କଲେ ବିରୋଧୀ ଦଳ ନେତା ।
ସେପଟେ ବିରୋଧୀଙ୍କୁ ଟାର୍ଗେଟ୍ କରିଛନ୍ତି ବିଜେଡି ବିଧାୟକ ଅରୁଣ ସାହୁ । ଅରୁଣ କହିଛନ୍ତି, ବିରୋଧୀ ଦଳ ନେତାଙ୍କୁ 5-T ଭୂତ ଘାରିଛି । ଜାଲ୍ ସାର୍ଟିଫିକେଟ୍ ପ୍ରସଙ୍ଗରେ ନରସିଂହ ମିଶ୍ର ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ଫଟୋ ଓ ପୂର୍ବତନ ମନ୍ତ୍ରୀ ଫଟୋ ମୁଖ୍ୟ ଅଭିଯୁକ୍ତ ସହ ଥିବା ଅଭିଯୋଗ କରିଥିଲେ ତାକୁ ଅରୁଣ କାଉଣ୍ଟର କରି ମୁଖ୍ୟ ଅଭିଯୁକ୍ତ ସହ ନରସିଂହ ମିଶ୍ରଙ୍କ ଫଟୋ ଦେଖାଇଥିଲେ । କହିଥିଲେ ଏ ଫଟୋ କାହାର । ଏତେ ତଳକୁ ଆପଣ ଖସି ଯାଉଛନ୍ତି ।
ଅରୁଣଙ୍କ ବିବୃତ୍ତି ପରେ ପୁଣି କାଉଣ୍ଟର କରିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । ନରସିଂହ କହିଲେ, ମୋର କୌଣସି ଫଟୋ ଯଦି ଅଛି ମୁଁ ତଦନ୍ତକୁ ସ୍ୱାଗତ କରୁଛି । ଯେଉଁମାନଙ୍କ ଫଟୋ ଅଛି ଗୃହ ରାଷ୍ଟ୍ରମନ୍ତ୍ରୀ ଓ ପୂର୍ବତନ ମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀଙ୍କ ଯଦି ସାହାସ ଅଛି ତଦନ୍ତ ପ୍ରକ୍ରିୟାକୁ ଆସନ୍ତୁ ।