ସାମ୍ୱାଦିକ ସିଦ୍ଦିକ କପ୍ପନଙ୍କୁ ସୁପ୍ରିମକୋର୍ଟରୁ ଜାମିନ, ହାଥରସ ଯିବା ସମୟରେ ୟୁପି ପୋଲିସ କରିଥିଲା ଗିରଫ
9/09/2022 at 4:46 PM

ନୂଆଦିଲ୍ଲୀ: ହାଥରସ ଗଣଦୁଷ୍କର୍ମ ଏବଂ ହତ୍ୟା ମାମଲାରେ ହିଂସା ପାଇଁ ଷଡଯନ୍ତ୍ର ରଚିବା ଅଭିଯୋଗରେ ଗିରଫ କେରଳର ସାମ୍ୱାଦିକ ସିଦ୍ଦିକ କପ୍ପନଙ୍କୁ ସୁପ୍ରିମକୋର୍ଟରୁ ଜାମିନ ମିଳିଛି । ୨୦୨୦ରେ ହାଥରସ ଯିବା ସମୟରେ କପ୍ପନଙ୍କୁ ଉତ୍ତର ପ୍ରଦେଶ ପୋଲିସ ଗିରଫ କରିଥିଲା । ଉତ୍ତର ପ୍ରଦେଶ ପୋଲିସ କପ୍ପନଙ୍କ ବିରୋଧରେ ୟୁଏପିଏ ଧାରା ମାମଲା ରୁଜୁ କରିଥିଲା।
୨୦୨୦ ଅକ୍ଟୋବର ୫ରେ କପ୍ପନଙ୍କୁ ମଥୁରାରୁ ଗିରଫ କରାଯାଇଥିଲା । ଏହା ପୂର୍ବରୁ ଆଲହାବାଦ କୋର୍ଟ ଏହି ମାମଲାକୁ ଗୁରୁତ୍ୱର ସହ ନେଇ ସିଦ୍ଦିକଙ୍କୁ ଜାମିନ ଦେବାକୁ ମନା କରିଥିଲେ । ସୁପ୍ରିମକୋର୍ଟ କପ୍ପନଙ୍କୁ ଜାମିନ ପ୍ରଦାନ କରି ଆସନ୍ତା ୬ ସପ୍ତାହ ଯାଏ ସିଦ୍ଦିକୀ ଦିଲ୍ଲୀରେ ରହି ସ୍ଥାନୀୟ ଥାନାରେ ହାଜର ହେବା ନେଇ ନିର୍ଦ୍ଦେଶ ଦେଇଛନ୍ତି। ଏହାସହ ସେ କେରଳ ଯାଇ ପାରିବେ।
ଉତ୍ତର ପ୍ରଦେଶ ସରକାର କପ୍ପନଙ୍କ ଜାମିନକୁ ବିରୋଧ କରିଥିଲେ । କୋର୍ଟରେ ଉତ୍ତର ପ୍ରଦେଶ ସରକାର ଏକ ସତ୍ୟପାଠ ଦାଖଲ କରିଥିଲେ। ଏଥିରେ କୁହାଯାଇଥିଲା ଯେ, ଦେଶ ବିରୋଧୀ ଏଜେଣ୍ଡା ଚଲାଉଥିବା ପିଏଫଆଇ ପରି ଚରମପନ୍ଥୀ ସଂଗଠନ ସହ କପ୍ପନଙ୍କ ସମ୍ପର୍କ ରହିଛି । ଉତ୍ତର ପ୍ରଦେଶ ସରକାର ଅଭିଯୋଗ କରିଥିଲା ଯେ, କପ୍ପନ ଦେଶରେ ଆତଙ୍କୀ ଏବଂ ଧାର୍ମିକ ହିଂସା ସୃଷ୍ଟି କରିବା ଷଡଯନ୍ତ୍ରରେ ସାମିଲ ଥିଲେ।
ଉତ୍ତର ପ୍ରଦେଶ ସରକାରଙ୍କ କହିବା ଅନୁସାରେ, କପ୍ପନ ସାମ୍ୱାଦିକ ଭାବେ ନୁହେଁ ବରଂ ପିଏଫଆଇର ସଦସ୍ୟ ଭାବେ ହାଥରସ ଯାଉଥିଲେ। ପରିବାର ଲୋକଙ୍କୁ ଭେଟିବା ପରେ ସାମ୍ପ୍ରଦାୟୀକ ଦଙ୍ଗା ସୃଷ୍ଟି କରିବାର ଯୋଜନା ଥିଲା।