ଇମ୍ରାନ ଖାନଙ୍କ ଗିରଫ ଲାଗି ଆରେଷ୍ଟ ୱାରେଣ୍ଟ ଜାରି, ଧମକାଇଥିଲେ ଜଜ୍‌ଙ୍କୁ

Published By : Prameya-News7 Bureau | October 02, 2022 IST

ଇସ୍ଲାମାବାଦ ୨।୧୦: ପୂର୍ବତନ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଗିରଫ ଲାଗି ଆରେଷ୍ଟ ୱାରେଣ୍ଟ ଜାରି ହୋଇଛି। ଜଣେ ମହିଳା ଜଜ୍‌ଙ୍କୁ ଧମକାଇବା ଅଭିଯୋଗରେ ମାଜିଷ୍ଟ୍ରେଟ୍‌ ଏହି ଆରେଷ୍ଟ ୱାରେଣ୍ଟ ଜାରି କରିଛନ୍ତି। ଏହି ୱାରେଣ୍ଟ ଜାରି ହେବା ପରେ ଇମ୍ରାନଙ୍କ ଗିରଫକୁ ନେଇ ଚର୍ଚ୍ଚା ଜୋର ଧରିଛି।

ଗତ ଅଗଷ୍ଟ ୨୦ ତାରିଖ ରାଲିରେ ଇମ୍ରାନଅତିରିକ୍ତ ଜିଲ୍ଲା ଓ ସେସନ୍ସ ଜଜ୍ ଜେବା ଚୌଧୁରୀଙ୍କ ପ୍ରତି ବିବାଦୀୟ ମନ୍ତବ୍ୟ ଦେଇଥିଲେ। ଇମ୍ରାନଙ୍କ ଏହି ମନ୍ତବ୍ୟକୁ ନେଇ ଇସ୍ଲାମାବାଦ ମାରଗଲ୍ଲା ଥାନାରେ ଏକ ମାମଲା ରୁଜୁ ହୋଇଥିବା ବେଳେ ଇସ୍ଲାମାବାଦ ଉଚ୍ଚ ନ୍ୟାୟାଳୟରେ ଇମ୍ରାନଙ୍କ ବିରୋଧରେ ଅବମାନନା କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଦେଇଛନ୍ତି।

ଏବେ ଉପରୋକ୍ତ ମାମଲାରେ ସ୍ଥାନୀୟ ମାଜିଷ୍ଟ୍ରେଟ୍  ପୋଲିସର ଅନୁରୋଧକ୍ରମେ ଏକ ଆରେଷ୍ଟ ୱାରେଣ୍ଟ ଜାରି କରିଛନ୍ତି। ପାକିସ୍ତାନ ତେହେରିକ-ଏ-ଇନସାଫ ( ପିଟିଆଇ) ନେତା ଇମ୍ରାନଙ୍କ ବିରୋଧରେ ପୂର୍ବରୁ ଆତଙ୍କବାଦ ସମ୍ପର୍କିତ ଆଇନରେ ମୋକଦ୍ଦମା ରୁଜୁ ହୋଇଥିଲା। ତେବେ ଇସ୍ଲାମାବାଦ ହାଇକୋର୍ଟଙ୍କ ନିର୍ଦ୍ଦେଶରେ ଏହି ଅଭିଯୋଗ ହଟାଇ ଦିଆଯାଇଥିଲା।

ତେବେ ତାଜା ଆରେଷ୍ଟ ୱାରେଣ୍ଟ ଜାରି ହେବା ପରେ ଇମ୍ରାନ କୋର୍ଟରେ ଏକ ଆଫିଡେଭିଟ ଦାଖଲ କରିଛନ୍ତି। ଏଥିରେ ୨୦ ଅଗଷ୍ଟ ସାର୍ବଜନିକ ରାଲିରେ ସୀମାରେଖା ପାର କରିଥିବାର ଅନୁଭବ କରିଥିଲେ। ତେବେ ଭବିଷ୍ୟତରେ ସେ ଏପରି କିଛି କରିବେନି ଯାହା ଦ୍ୱାରା ବିଶେକରି ନ୍ୟାୟାଳୟ ଓ ନ୍ୟାୟପାଳିକାଙ୍କ ସମ୍ମାନରେ ଆଞ୍ଚ ଆସିବ। ଗତ ଶୁଣାଣିରେ ସେ ନ୍ୟାୟାଳୟଙ୍କୁ ଯାହା କହିଥିଲେ ସେ ତାର ପୁରାକୁ ପୁରା ପାଳନ କରିବେ ବୋଲି ମଧ୍ୟ କୋର୍ଟଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି। ଏହା ସତ୍ତ୍ୱେ ଯଦି ଜଜ୍ ଅନୁଭବ କରୁଥାନ୍ତି ଯେ ସେ ଲାଲ ରେଖା ପାର ହୋଇଯାଇଛନ୍ତି ତେବେ କ୍ଷମା ମାଗିବାକୁମଧ୍ୟ ପ୍ରସ୍ତୁତ ବୋଲି କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.