ହାର୍ଦ୍ଦିକ ପଟେଲଙ୍କ ବିରୋଧରେ ଗିରଫ ପରଓ୍ବାନା: ଆଚରଣ ବିଧି ଉଲ୍ଲଘଂନ ସହ ଜଡ଼ିତ ମାମଲା
16/02/2023 at 4:26 PM

ନୂଆଦିଲ୍ଲୀ, ୧୬/୦୨: ବିଜେପି ବିଧାୟକ ହାର୍ଦ୍ଦିକ ପଟେଲଙ୍କ ବିରୋଧରେ ଜାରି ହେଲା ଆରେଷ୍ଟ ଓ୍ବାରେଣ୍ଟ। ୨୦୧୭ ରେ ଏକ ସଭାରେ ସରକାରୀ ନିୟମର ଉଲ୍ଲଂଘନ ମାମଲାରେ ଗୁଜରାଟ ସୁରେନ୍ଦ୍ରନଗର ଜିଲ୍ଲାର ଧାଙ୍ଗନ୍ଧ୍ରା କୋର୍ଟ ପଟେଲଙ୍କ ନାଁରେ ଏହି ଗିରଫ ପରଓ୍ବାନା ଜାରି କରିଛନ୍ତି। ପଟେଲ କୋର୍ଟରେ ବାରମ୍ବାର ଅନୁପସ୍ଥିତ ରହିବା କାରଣରୁ ତାଙ୍କ ବିରୋଧରେ ଏହି ଆରେଷ୍ଟ ଓ୍ବାରେଣ୍ଟ ଜାରି କରାଯାଇଛି। ଅତିରିକ୍ତ ମୁଖ୍ୟ ବିଚାରପତି ଡି ଡି ଶାହା ଏହି ଆରେଷ୍ଟ ଓ୍ବାରେଣ୍ଟ ଜାରି କରିଛନ୍ତି। ଏହା ସହ ପଟେଲକୁ ଗିରଫ କରି କୋର୍ଟରେ ହାଜର କରିବାକୁ ଧାଙ୍ଗନ୍ଧ୍ରା ତାଲୁକା ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି।
କ’ଣ ଥିଲା ମାମଲା:
ପ୍ରକୃତରେ ପଟେଲ ୨୦୧୭ ନଭେମ୍ବର ୨୬ ରେ ହରିପର ଗ୍ରାମରେ ନିର୍ବାଚନୀ ସଭା ପାଇଁ ଅନୁମତି ମାଗିଥିଲେ। ତାଙ୍କୁ ଅନୁମତି ମଧ୍ୟ ମିଳିଥିଲା। କିନ୍ତୁ ସେମାନେ ସଭାରେ ନିୟମର ଉଲ୍ଲଘଂନ କରି ରାଜନୀତିକ ଉଦବୋଧନ ଦେଇଥିଲେ। ଏହି ମାମଲାରେ ୨୦୧୮ ଜାନୁଆରୀ ୧୨ ରେ ଧ୍ରାଙ୍ଗନ୍ଧା ତାଲୁକା ପୋଲିସ୍ ଷ୍ଟେସନରେ ପଟେଲ ଏବଂ ତାଙ୍କ ସହଯୋଗୀ କୌଶିକ ପଟେଲଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା । ସେମାନଙ୍କ ବିରୋଧରେ ଗ୍ରାମରେ ବୈଠକ ପାଇଁ ଦିଆଯାଇଥିବା ଅନୁମତିର ଉଲ୍ଲଂଘନ କରିଥିବା ଅଭିଯୋଗ ହୋଇଥିଲା। ସେମାନଙ୍କ ଉପରେ ଗୁଜରାଟ(ବମ୍ବେ) ପୋଲିସ୍ ଆକ୍ଯ ୧୯୫୧ ଧାରା ୩୭(୩) ଏବଂ ୧୩୫ ଅନୁଯାୟୀ ସରକାରୀ ନିୟମର ଅବମାନନା ଦଫା ଲଗାଯାଇଥିଲା।
ଆହୁରି ମଧ୍ୟ, ଜାମନଗରର ଏକ କୋର୍ଟ ପଟଲଙ୍କୁ ଧ୍ରୁତପୁରରେ ଏକ ରାଜନୀତିକ ଉଦବୋଧନ ଦେବା ମାମଲାରେ ଦୋଷୀ ପାଇଥିଲେ। ସେହି ସମୟରେ ପଟେଲ ପଟିଦାର ଆନ୍ଦୋଳନର ନେତୃତ୍ବ କରୁଥିଲେ। ଯାହା ଓବିସି ସଂରକ୍ଷଣ ଦାବି କରୁଥିଲା।
ହାର୍ଦ୍ଦିକ ପଟେଲ ୨୦୧୯ରେ କଂଗ୍ରେସରେ ସାମିଲ ହୋଇଯାଇଥିଲେ। କିନ୍ତୁ କିଛି ଦିନରେ କଂଗ୍ରେସରେ ତାଙ୍କର ମୋହ ଭାଙ୍ଗିଥିଲା ଆଉ ଗତ ବର୍ଷ ସେ କଂଗ୍ରେସ ଛାଡ଼ି ବିଜେପିରେ ଯୋଗ ଦେଇଥିଲେ। ବିଧାନସଭା ନିର୍ବାଚନରେ ବିଜେପି ତାଙ୍କୁ ବିରମଗାମ ବିଧାନସଭାରୁ ଟିକେଟ୍ ଦେଇଥିଳା। ଯେଉଁଠାରୁ ସେ ବିପୁଳ ଭୋଟରେ ବିଜୟୀ ହୋଇଥିଲେ।