ପୁରୀ ଷ୍ଟେସନରେ ୨୦ ହଜାର ଯାତ୍ରୀଙ୍କ ପାଇଁ ବ୍ୟବସ୍ଥା, ରଥଯାତ୍ରା ପାଇଁ ୮୫୭ ଟ୍ରେନ ବନ୍ଦୋବସ୍ତ: ରେଳ ମନ୍ତ୍ରୀ
19/06/2023 at 9:38 PM

ପୁରୀ: ରାତି ପାହିଲେ ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା। ଶାନ୍ତିଶୃଙ୍ଖଳା ସହ ରଥଯାତ୍ରା ସଂପନ୍ନ ପାଇଁ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚି ଯାଇଛି। ପ୍ରଶାସନିକସ୍ତରରେ ସମସ୍ତ ବିଭାଗ ନିଜ ମଧ୍ୟରେ ଉତ୍ତମ ସମନ୍ଵୟ ରଖି ଘୋଷଯାତ୍ରା ସଫଳ କରିବା ଉପରେ ଗୁରୁତ୍ଵ ଦିଆଯାଇଛି। ଏହି କ୍ରମରେ ପୁରୀ ରେଳ ଷ୍ଟେସନରେ ପହଞ୍ଚିଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ। ସେ ରେଳ କର୍ମଚାରୀ, ସ୍ଵେଚ୍ଛାସେବୀଙ୍କ ସହ ବୈଠକ କରି ରଥ ଯାତ୍ରା ପାଇଁ ରେଳ ବିଭାଗ ପକ୍ଷରୁ କରାଯାଇଥିବା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି। ସେ କହିଛନ୍ତି ମହାପ୍ରଭୁଙ୍କ ଘୋଷଯାତ୍ରା ପାଇଁ ରେଳବାଇ ପକ୍ଷରୁ ଅନେକ ବ୍ୟବସ୍ଥା କରାଯାଇଛି। ପୁରୀ ଷ୍ଟେସନରେ ୨୦ ହଜାର ଯାତ୍ରୀଙ୍କ ପାଇଁ ବ୍ୟବସ୍ଥା ହୋଇଛି।

୩ ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ରେଳ ମନ୍ତ୍ରୀ କହିଛନ୍ତି, ଯାତ୍ରୀ କିପରି ବିଶ୍ରାମ ନେଇପାରିବେ ସେନେଇ ସ୍ଵତନ୍ତ୍ର ବ୍ୟବସ୍ଥା କରାଯାଇଛି। ବରିଷ୍ଠ ଓ ଭିନ୍ନକ୍ଷମଙ୍କ ବ୍ୟାଟେରୀ ଚାଳିତ ଗାଡିର ସୁବିଧା କରାଯାଇଛି। ମହାପ୍ରଭୁଙ୍କ ଦର୍ଶନ ପାଇଁ ଯେଉଁମାନେ ଆସିଛନ୍ତି ସମସ୍ତ ସୁବିଧା ରେଳବାଇ ଯୋଗାଇଦେବ। ପୁରୀ ଷ୍ଟେସନରେ ସ୍ଵତନ୍ତ୍ର ଭାବେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ସହାୟତାରେ ଟିକେଟ କଟାଯାଇ ରେଳ ସୁବିଧା ଯୋଗାଇ ଦିଆଯାଉଛି। ଯେଉଁ ସ୍ଥାନକୁ ଅଧିକ ଟିକେଟ କଟାଯାଉଛି, ତତକ୍ଷଣାତ ସେହି ସ୍ଥାନ ପାଇଁ ଟ୍ରେନ ଉପଲବ୍ଧ ହେଉଛି। ରଥଯାତ୍ରା ପାଇଁ ୮୫୭ ଟ୍ରେନର ବନ୍ଦୋବସ୍ତ ହୋଇଛି। ୨୦ ଲକ୍ଷ ଯାତ୍ରୀ ଯିବା ଆସିବା କରିବା ପାଇଁ ରେଳ ବିଭାଗ ପ୍ରସ୍ତୁତ ଅଛି।

ସେ କହିଛନ୍ତି ଆସନ୍ତା କାଲି ବାହନାଗା ଯିବି। ଯେଉଁମାନେ ସହଯୋଗ କରିଥିଲେ ସେମାନଙ୍କୁ ଧନ୍ୟବାଦ ଦେବି। ଯେଉଁମାନେ କଠିନ ସମୟରେ ସହଯୋଗ କରିଥିଲେ ସେମାନଙ୍କୁ ଧନ୍ୟବାଦ ଜଣାଇବି। ସିବିଆଇ ତଦନ୍ତ ଜାରି ରହିଛି। ଘଟଣାର ମୂଳ କାରଣ ଖୋଜାଯାଉଛି। ଆଉ ଏପରି ଘଟଣା ପୁନର୍ବାର ନହେବା ପାଇଁ ସବୁ ପ୍ରକାର ଚେଷ୍ଟା କରାଯାଉଛି। ଘୋଷଯାତ୍ରା ପୂର୍ବରୁ ପୁରୀ ରେଳ ଷ୍ଟେସନ ପହଞ୍ଚି ସମୀକ୍ଷା କରିଛନ୍ତି କେନ୍ଦ୍ର ରେଳମନ୍ତ୍ରୀ। ଯାତ୍ରୀଙ୍କ ସୁବିଧା ସମ୍ପର୍କରେ ମଧ୍ୟ ପଚାର ଉଚରା କରିଛନ୍ତି ମନ୍ତ୍ରୀ।