ଦିନିକିଆକୁ ବାଏବାଏ କଲେ ଆରୋନ ଫିଞ୍ଚ୍ : ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳିବେ ଶେଷ ମୁକାବିଲା
10/09/2022 at 8:25 AM

ନୂଆଦିଲ୍ଲୀ, ୧୦|୦୯: ଦିନିକିଆ ଫର୍ମାଟରେ ଅଷ୍ଟ୍ରେଲିଆର ନେତୃତ୍ୱ ନେଉଥିବା ଆରୋନ ଫିଞ୍ଚ୍ ଅବସର ଘୋଷଣା କରିଛନ୍ତି । ସେ ଆଉ ଦିନିକିଆ ଖେଳିବେ ନାହିଁ । ତେବେ ଆସନ୍ତା ୧୧ ତାରିଖରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳାଯିବାକୁ ଥିବା ତୃତୀୟ ଦିନିକିଆ ତାଙ୍କର ଶେଷ ମ୍ୟାଚ୍ ହେବ । ତେବେ ଲଗାତର ଫର୍ମରୁ ବିଚ୍ୟୁତ ହେବା ଓ ପ୍ରଦର୍ଶନ କାରଣରୁ ସେ ଏପରି ନିଷ୍ପତ୍ତି ନେଇଛନ୍ତି ।
ସୂଚନାନୁସାରେ, ଫିଞ୍ଚଙ୍କ ବ୍ୟାଟ୍ କିଛି ଦିନ ଧରି ନିରବ ରହିଛି । ସେ ପ୍ରତ୍ୟେକ ରନ୍ ପାଇଁ ସଙ୍ଘର୍ଷ କରୁଥିବା ଦେଖିବାକୁ ମିଳୁଛି । ସେ ଗତ ୭ ଦିନିକିଆ ପାଳିରେ ମାତ୍ର ୨୬ ରନ୍ କରିଛନ୍ତି । ଏହା ସତ୍ତ୍ୱେ ସେ ଟି୨୦ ବିଶ୍ୱକପରେ ଅଷ୍ଟ୍ରେଲିଆ ଦଳର ନେତୃତ୍ୱ ନେବେ ।
ଏକ ବୟାନ ଜାରି କରି ଫିଞ୍ଚ କହିଛନ୍ତି ଯେ, ସମୟ ଆସିଯାଇଛି । ଆଉ ଜଣେ ନୂଆ ଅଧିନାୟକ ଦଳକୁ ବିଶ୍ୱକପ ଜିତାଇବାକୁ ସୁଯୋଗ ପାଇବେ । ଏହି ଯାତ୍ରା ବହୁତ ସୁନ୍ଦର ଥିଲା । ସେ କିଛି ସ୍ମରଣୀୟ ବିଜୟର ଅଂଶ ରହିଛନ୍ତି । ତାଙ୍କୁ ବହୁତ ସମର୍ଥନ ମିଳିଛି । ସମସ୍ତଙ୍କୁ ସେ ଧନ୍ୟବାଦ ଜଣାଇଛନ୍ତି ।
ସୂଚନାଯୋଗ୍ୟ, ଫିଞ୍ଚ ଅଷ୍ଟ୍ରେଲିଆ ପାଇଁ ଏବେସୁଦ୍ଧା ୧୪୫ଟି ଦିନିକିଆ ଖେଳିଛନ୍ତି । ଏହାସହ ସେ ୫୪୦୧ ରନ୍ କରିଛନ୍ତି । ତାଙ୍କ ନାମରେ ୧୭ ଶତକ ଓ ୩୦ ଅର୍ଦ୍ଧଶତକ ମଧ୍ୟ ରହିଛି ।