Covid କ୍ୱାରେଣ୍ଟାଇନ ପରେ ତଲୋଜା ଜେଲକୁ ସିଫ୍ଟ ହେଲେ ଅର୍ଣ୍ଣବ ଗୋସ୍ୱାମୀ
8/11/2020 at 5:17 PM

ମୁମ୍ବାଇ ୮।୧୧: ରିପବ୍ଲିକ୍ ଟିଭି ଏଡିଟର-ଇନ-ଚିଫ ଅର୍ଣ୍ଣବ ଗୋସ୍ୱାମୀଙ୍କୁ ରବିବାର ମୁମ୍ବାଇ ତଲୋଜା ଜେଲକୁ ସ୍ଥାନାନ୍ତରଣ କରାଯାଇଛି। ତାଙ୍କ ଅନ୍ୟ ୩ ଜଣ ମଧ୍ୟ ଜେଲ ସ୍ଥାନାନ୍ତରିତ ହୋଇଛନ୍ତି। ଅର୍ଣ୍ଣବ ଗତ ବୁଧବାର ଗିରଫ ହୋଇଥିଲେ। ତାଙ୍କୁ କୋର୍ଟରେ ହାଜର କରାଯାଇଥିବା ବେଳେ ବିଚାରପତି ୧୪ ଦିନ ବିଚାରବିଭାଗୀୟ ହାଜତକୁ ପଠାଇଦେଇଛନ୍ତି। ତେବେ କୋଭିଡକୁ ଦୃଷ୍ଟିରେ ରଖି ତାଙ୍କୁ ଜେଲକୁ ପଠାଯିବ ପୂର୍ବରୁ ୪ ଦିନ ଆଇସୋଲେସନରେ ରଖାଯାଇଥିଲା।

ବିଚାରବିଭାଗୀୟ ହାଜତ ପୂର୍ବରୁ ଅର୍ଣ୍ଣବଙ୍କୁ ରାୟଗଡ ଜିଲ୍ଲା ଅଲିବାଗସ୍ଥିତ ଏକ ବିଦ୍ୟାଳୟ କ୍ୱାରେଣ୍ଟାଇନ ସେଣ୍ଟରରେ ରଖାଯାଇଥିଲା। ସେଠାରେ କ୍ୱାରେଣ୍ଟାଇନ ଅବଧି ପୂରଣ ହେବା ପରେ ତାଙ୍କୁ ତଲୋଜା ଜେଲକୁ ସିଫ୍ଟ କରାଯାଇଛି। ସମ୍ଭବତଃ ବମ୍ବେ ହାଇକୋର୍ଟ ସୋମବାର ଅର୍ଣ୍ଣବଙ୍କ ଅନ୍ତରିଣ ଜାମିନ ନିବେଦନ ଉପରେ ଶୁଣାଣି କରିପାରନ୍ତି।

ଗୋସ୍ୱାମୀ ବିଚାରବିବାଗୀୟ ହାଜତରେ ଥିବା ବେଳେ ସୋସିଆଲ ମିଡିଆରେ ଆକ୍ଟିଭ ଥିବା ଦେଖାଯାଇଥିଲା। ୪ ନଭେମ୍ବର ଗିରଫ ବେଳେ ପୋଲିସ ଅର୍ଣ୍ଣବଙ୍କ ମୋବାଇଲ ଫୋନ ଜବତ କରିଛି। ତେବେ ବିଚାରବିଭାଗୀୟ ହାଜତ କ୍ୱାରେଣ୍ଟାଇନରେ ସେ କିପରି ସୋସିଆଲ ମିଡିଆ ଉପଯୋଗ କରୁଛନ୍ତି ସେ ନେଇ ରାୟଗଡ କ୍ରାଇମବ୍ରାଞ୍ଚ ତଦନ୍ତ କରିଥିଲା। ଏଥିରେ ଅର୍ଣ୍ଣବ କୌଣସି ସୂତ୍ରରୁ ଏକ ମୋବାଇଲ ଫୋନ ସଂଗ୍ରହ କରି ସେଥିରୁ ସୋସିଆଲ ମିଡିଆରେ ଆକ୍ଟିଭ ଥିବା ଜଣାପଡିଥିଲା ବୋଲି ଜନୈକ ପୋଲିସ ଅଧିକାରୀ କହିଛନ୍ତି। ଏଣୁ କ୍ୱାରେଣ୍ଟାଇନ ସେଣ୍ଟରରେ ତାଙ୍କର ଅଧିକ ଦିନ ଅବସ୍ଥାନ ହୁଏତ ବିପଦଜନକ ହେବା ଆଶଙ୍କାରେ ପୋଲିସ ତାଙ୍କୁ ରବିବାର ତଲୋଜା ଜେଲକୁ ସ୍ଥାନାନ୍ତର କରିଦିଆଯାଇଥିବା କହିଛନ୍ତି।

ରବିବାର ଜେଲ ସ୍ଥାନାନ୍ତରଣ ବେଳେ ଅର୍ଣ୍ଣବଙ୍କୁ ଭ୍ୟାନରେ ଜୋରଜୋରରେ ଚିଲ୍ଲାଉଥିବାର ଦେଖାଯାଇଛି। ଶନିବାର ତାଙ୍କୁ ଆଲିବାଗ ଜେଲର ତାଙ୍କୁ ମାଡ଼ ମାରିଥିବାର ଓ ତାଙ୍କ ଜୀବନ ବିପଦରେ ଥିବାର କହୁଥିଲେ। ତେବେ ବିଜେପି ସାଂସଦ କିର୍ତ୍ତି ସୋମୟା ତାଙ୍କ ଟ୍ୱିଟ୍ ହ୍ୟାଣ୍ଡଲରେ ରବିବାର ଏକ ପୋଷ୍ଟ କରି ସେ ତଲୋଜା ଜେଲରଙ୍କୁ ଭେଟିଥିବା ଓ ସେଠାରେ ଅର୍ଣ୍ଣବଙ୍କୁ କୌଣସି ପ୍ରକାର ହତାସ କରାଯିବ ନାହିଁ ବୋଲି ସେ ପ୍ରତିଶ୍ରୁତି ଦେଇଥିବା ଉଲ୍ଲେଖ କରିଛନ୍ତି।