ନୂଆଦିଲ୍ଳୀ, ୧୬/୧୨: ତଓ୍ବାଙ୍ଗ ସେକ୍ଟରର ଏଲଏସିରେ ଚୀନ ସହ ହୋଇଥିବା ସଂଘର୍ଷକୁ ଭାରତୀୟ ସେନା ତରଫରୁ ବୟାନ ଜାରିହୋଇଛି। ଚିଫ୍ ଅଫ୍ ଷ୍ଟାଫ୍ ଇଷ୍ଟର୍ଣ୍ଣ କମାଣ୍ଡ ରାଣା ପ୍ରତାପ କାଲିତା କହିଛନ୍ତି ଯେ ପ୍ରଦେଶର ତଓ୍ବାଙ୍ଗ ସେକ୍ଟରରେ ସେନା ଦୃଢ଼ ଭାବରେ ଚୀନ ସେନାର ମୁକାବିଲା କରିଥଲେ। ଅବଶ୍ୟ କିଛି ଯବାନଙ୍କୁ ମାମୁଲି ଆହତ ହୋଇଛନ୍ତି।
ଲେଫ୍ଟନାଣ୍ଟ ଜେନେରାଲ କହିଛନ୍ତି କୌଣସି ପ୍ରରୋଚନାରେ ବିଶ୍ବାସ କରିବାର ଆବଶ୍ୟକତା ନାହିଁ। ବିଶ୍ବାସ ରଖନ୍ତୁ ଆମର ସୀମା ଉପରେ ସଂପୂର୍ଣ୍ଣ ନିୟନ୍ତ୍ରଣ ରହିଛି ଏବଂ କୌଣସି ମିଥ୍ୟା ଖବର ଉପରେ ଧ୍ୟାନ ଦିଅନ୍ତୁ ନାହିଁ। ସେ କହିଛନ୍ତି ଯେ ବୁମଲାରେ ଫ୍ଲାଗ୍ ମିଟିଂ କରି ମାମଲାକୁ ସମାଧାନ କରାଯାଇଛି। ଉଭୟ ଦେଶର ସେନା ଏବେ ଏହି ମାମଲାରେ ଆଗକୁ ବଢ଼ୁନାହାଁନ୍ତି। ଏବେ ପରିସ୍ଥିତି ଆମ ନିୟନ୍ତ୍ରଣରେ ରହିଛି।
ସୂଚନାଯୋଗ୍ୟ, ୯ ଡିସେମ୍ବରରେ ଅରୁଣାଚଳ ପ୍ରଦେଶରେ ଏଲଏସିର ବିବାଦୀୟ ତଓ୍ବାଙ୍ଗ ସେକ୍ଟରର ୟାଙ୍ଗତ୍ସେଠାରେ ଭାରତୀୟ ସେନା ଏବଂ ଚୀନ ସେନା ମଧ୍ୟରେ ସଂଘର୍ଷ ହୋଇଥିଲା। ଉଭୟ ସେନା ଅତିରିକ୍ତ ସୈନ୍ୟ ମଗାଇଥିଲେ। ଚୀନ ୨୫୦ ସୈନିକ ମଗାଇଥିଲା। ଭାରତ ମଧ୍ୟ ୨୦୦ ସୈନ୍ୟ ମଗାଇଥିଲା। ସଂଘର୍ଷରେ ଉଭୟ ସେନାର ଅନେକ ସୈନିକ ଆହତ ହୋଇଥିଲେ। ପରିସ୍ଥିତି ଏପରି ହୋଇଥିଲା ଯେ ଉଭୟ ପକ୍ଷର କମାଣ୍ଡିଂ ଅଫିସରଙ୍କୁ ହସ୍ତକ୍ଷେପ କରିବାକୁ ପଡ଼ିଥିଲା।
ଉଲ୍ଲେଖଯୋଗ୍ୟ, ପୂର୍ବ ଲଦାଖରେ ଉତ୍ତେଜନା ପରଠାରୁ ଦୁଇ ବର୍ଷରୁ ଅଧିକ ସମୟରୁ ଅରୁଣାଚଳ ପ୍ରଦେଶ ଏବଂ ସିକ୍କିମରେ ଏଲଏସି ପରିଚାଳନା ପ୍ରସ୍ତୁତି ଜାରି ରହିଛି। ଚୀନ ସହ ଲାଗିରହିଥିବା ଚାପ ମଧ୍ୟରେ ବାୟୁସେନା ଗୁରୁବାର ଏହି ଅଞ୍ଚଳରେ ଏକ ବଡ଼ ଅଭ୍ୟାସ ଆରମ୍ଭ କରିଛି। ଏହ ଅଭ୍ୟାସରେ ରାଫେଲ ଲଢ଼ୁଆ ବିମାନଙ୍କୁ ମଧ୍ୟ ସାମିଲ୍ କରାଯାଇଛି । ବଡ଼ ମାତ୍ରାରେ କରାଯାଉଥିବା ଏହି ଦୁଇ ଦିବସୀୟ ଅଭ୍ୟାସରେ ପ୍ରାୟ ସବୁ ଆଗଧାଡ଼ିର ଲଢ଼ୁଆ ବିମାନ ତଥା ସେନା ସାମିଲ୍ ରହିଛି।