ଉତ୍ତେଜନା କମ କରିବାକୁ ଚୀନର ସର୍ତ୍ତ: ଦୁଇ ସେନା ବରାବର ପଛକୁ ହଟନ୍ତୁ, ଭାରତ କହିଲା ଅସମ୍ଭବ, ଫିଙ୍ଗର ୪ରୁ ପଛକୁ ହଟିବୁ ନାହିଁ

Published By : Prameya-News7 Bureau | August 23, 2020 IST

ନୂଆଦିଲ୍ଲୀ ୨୩।୦୮: ଭାରତ ଓ ଚୀନ ମଧ୍ୟରେ ସଂପ୍ରତି ଉତ୍ତେଜନାମୂଳକ ସ୍ଥିତି ଜାରି ରହିଛି। ଚୀନ ଲଗାତାର ସୀମାରେ ଉସୁକାଇବା ପରି କାର୍ଯ୍ୟ କରୁଛି, ଯାହାର ଜବାବ ଭାରତୀୟ ଯବାନ ସହିତ ସରକାର ମଧ୍ୟ ଦେଉଛନ୍ତି। ଯେଉଁ କାରଣରୁ ଚୀନ ଅଧିକ ଚିହିଁକି ଉଠୁଛି। ଦୁଇ ଦେଶ ମଧ୍ୟରେ ଅନେକ ପର୍ଯ୍ୟାୟରେ ସାମାରିକ ଓ କୂଟନୈତିକ ସ୍ତରୀୟ ଆଲୋଚନା ହୋଇ ସାରିଛି ମାତ୍ର ସମାଧାନର କୌଣସି ମାର୍ଗ ବାହାରି ପାରି ନାହିଁ। ଏବେ ଚୀନ ଭାରତ ଫିଙ୍ଗର-୪ରୁ ହଟିଲେ ଯାଇ ଆମେ ପଛକୁ ହଟିବୁ ବୋଲି ପ୍ରସ୍ତାବ ଦେଇଛି।

ସରଳ ଭାଷାରେ ବୁଝନ୍ତୁ ଚୀନର ଷଡଯନ୍ତ୍ର

ସହଜ ଭାଷାରେ ଚୀନର ଷଡଯନ୍ତ୍ର ବିଷୟରେ କହିବାକୁ ଗଲେ ଚୀନ ଫିଙ୍ଗର ୪ ରୁ ଫିଙ୍ଗର ୮କୁ ଚାଲିଯିବ ଏବଂ ଭାରତ ମଧ୍ୟ ଫିଙ୍ଗର ୪ ରୁ ଫିଙ୍ଗର ୧କୁ ଚାଲିଯିବ। କିନ୍ତୁ ଭାରତ ଫିଙ୍ଗର ୮ ପର୍ଯ୍ୟନ୍ତ ପାଟ୍ରୋଲିଂ କରିଥାଏ। ଯଦି ଚୀନର ପ୍ରସ୍ତାବ ସ୍ଵୀକାର କରାଯାଏ ତେବେ ଭାରତ ଫିଙ୍ଗର ୧ରେ ହିଁ ସୀମିର ରହିଯିବ। ଚୀନର ରଣନୀତି ଏହା ଯେ, ଭାରତକୁ ତାରି ସୀମା ଭିତରେ ସୀମିତ କରି ଦିଆଯାଉ। ହେଲେ ଭାରତ ରୋକ୍ ଠୋକ୍ ଭାବେ ଚୀନର ଏହି ଦାବିକୁ ଖାରଜ କରିଛି।

{"id":318938,"sizeSlug":"large"}

ଚୀନ ପକ୍ଷ ପରାମର୍ଶ ଦେଇଥିଲେ ଯେ,  ଭାରତ ଓ ଚୀନ ଉଭୟ ଫିଙ୍ଗର-୪ରୁ ସମାନ ଭାବେ ପଛକୁ ହଟିଯିବା ଉଚିତ୍। କିନ୍ତୁ ଭାରତ ଚୀନର ଏହି ପ୍ରସ୍ତାବକୁ ସ୍ଵୀକାର କରିନାହିଁ। କାରଣ ଏଥିରେ ଭାରତକୁ ନିଜ ମାଟି ହରାଇବାର ଆଶଙ୍କା ରହିଛି। ଭାରତ ସ୍ପଷ୍ଟ ଶବ୍ଦରେ କହିଛି ଚୀନ ସେନା ଫିଙ୍ଗର ୪ ଓ ଫିଙ୍ଗର ୫ ଅଞ୍ଚଳକୁ ସଂପୂର୍ଣ୍ଣ ଭାବେ ଖାଲି କରୁ ଏବଂ ସିରିଜାପ ଇଲାକାରେ ସ୍ଥିତାବସ୍ଥା କାଏମ ରଖୁ।

ଫିଙ୍ଗର ୪ ଅଞ୍ଚଳ ଦୀର୍ଘ ସମୟ ଧରି ଦୁଇ ଦେଶ ମଧ୍ୟରେ ବିବାଦର କାରଣ ପାଲଟିଛି। ତିନି ମାସରୁ ଅଧିକ ସମୟ ହେବ ଦୁଇ ଦେଶର ସେନା ସାମ୍ନାସାମ୍ନି ସ୍ଥିତିରେ ଅଛନ୍ତି। ସିନଜିୟାଙ୍ଗ ଅଞ୍ଚଳରେ ସୈନ୍ୟ ଅଭ୍ୟାସ୍ ନାମରେ ଚୀନୀ ସେନା ବାସ୍ତବିକ ନିୟନ୍ତ୍ରଣ ରେଖା(ଏଲଏସି)ର ଅନେକ ଅଞ୍ଚଳରେ ଅନୁପ୍ରବେଶ କରି ସାରିଛି। ପୂର୍ବ ଲଦାକରେ ଏବେ ମଧ୍ୟ ଚୀନ ସେନା ଡେରା ପକାଇ ବସିଛି। ଭାରତ ମଧ୍ୟ ନିଜର ସୈନ୍ୟ ଠୁଳ କରି ଚୀନର ପ୍ରତିଟି ଦୁଃସାହାସର ଜବାବ ଦେବାକୁ ପ୍ରସ୍ତୁତ ହୋଇ ରହିଛି। ସଂପ୍ରତି ଦୁଇ ଦେଶର ସେନା ପଛକୁ ହଟିବାର କୌଣସି ସଙ୍କେତ ନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.