ନୂଆଦିଲ୍ଲୀ ୭।୧: ଭରତୀୟ ସେନାର ୧୯ ହଜାରରୁ ଅଧିକ ଅଗ୍ନି ବୀରଙ୍କୁ ସାରା ଦେଶର ପାଖାପାଖି ୪୦ କେନ୍ଦ୍ରରେ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ ପାଠ୍ୟକ୍ରମରେ ପ୍ରଶିକ୍ଷଣ ପ୍ରଦାନ ଆରମ୍ଭ ହୋଇଛି, ଯେଉଁଥିରେ ସିମୁଲେସନ ଉପରେ ବେଶ୍ ଗୁରୁତ୍ୱ ଦିଆଯାଉଛି। ଡିଫେନ୍ସ ସୂତ୍ର ଅନୁସାରେ ଟ୍ରେନିଂର ଉପାୟ ଓ ଭିତ୍ତିଭୂମି ଭବିଷ୍ୟତ ଲାଗି ପ୍ରସ୍ତୁତ ସୈନିକଙ୍କ ସ୍ୱଳ୍ପାବଧି ନିଯୁକ୍ତି ନିମନ୍ତେ ବେଶ୍ ଉପାଦେୟ ହେବ।
୧ ଜାନୁୟାରୀରେ ଆରମ୍ଭ ହୋଇଥିବା ପ୍ରଶିକ୍ଷଣରେ ଉଭୟ ଭିତ୍ତିଭୂମି ଓ ଆଡଭାନ୍ସ ସୈନ୍ୟ କାର୍ଯ୍ୟକ୍ରମ ସାମିଲ ରହିଛି। ଯାହାକୁ ୨୪ରୁ ୩୧ ସପ୍ତାହର ମାନକ ଅନୁସାରେ ପ୍ରସ୍ତୁତ କରାଯାଇଛି। ସୂତ୍ରଙ୍କ ସୂଚନା ଅନୁସାରେ ବିଭିନ୍ନ ଅସ୍ତ୍ରଶସ୍ତ୍ର ଓ ଉପକରଣରେ ପ୍ରଶିକ୍ଷଣ ଲାଗି ବହୁ ସଂଖ୍ୟାରେ ସିମୁଲେଟର ସ୍ଥାପିତ କରାଯାଇଛି। ଏଥିଲାଗି ପ୍ରଶିକ୍ଷଣ କେନ୍ଦ୍ର ମାନଙ୍କରେ ସତର୍କତା ସ୍ୱରୁପ ସମ୍ଭାବିତ ଆଘାତକୁ ଦୃଷ୍ଟିରେ ରଖି ଭିତ୍ତିଭୂମି ନିର୍ମାଣ ସହିତ ସ୍ପୋର୍ଟସ୍ ମେଡିସିନ ଓ ଫିଜିଓଥେରାପି ବିଶେଷଜ୍ଞଙ୍କୁ ନିଯୁକ୍ତ କରାଯାଇଛି।
{"id":730090,"width":838,"height":629,"sizeSlug":"full","linkDestination":"none"}
ଅଗ୍ନିବୀରଙ୍କୁ ଆବଣ୍ଟିତ କେନ୍ଦ୍ରରେ ପ୍ରଶିକ୍ଷଣ ପରେ ୭ ସପ୍ତାହ ଅନ-ଦି ଜବ(ଓଜେଟି) ପ୍ରଶିକ୍ଷଣ ମଧ୍ୟ ପ୍ରାପ୍ତ କରିବାକୁ ପଡିବ। ସୂତ୍ରରୁ ମିଳୁଥିବା ସୂଚନା ଅନୁସାରେ କେନ୍ଦ୍ରରେ ପ୍ରଥମ ପର୍ଯ୍ୟାୟ ପ୍ରଶିକ୍ଷଣ ବ୍ୟତୀତ ଦ୍ୱିତୀୟ ପର୍ଯ୍ୟାୟ ପ୍ରଶିକ୍ଷଣ ସେହି ୟୁନିଟ୍ରେ ହେବ ଯେଉଁଠାରେ ଅଗ୍ନି ବୀରଙ୍କୁ ୪ ବର୍ଷ ଲାଗି ରୋଜଗାର ନିମନ୍ତେ ଏନରୋଲ କରାଯିବ। ଏହି ଟ୍ରେନିଂରେ ଟାସ୍କ, ଟ୍ରେନିଂ କ୍ୟାଲେଣ୍ଡର ଓ ଅପରେସନାଲ ଡ୍ୟୁଟି ସଙ୍ଗଠନ ସହ ଦେଶ ପ୍ରତି ବିଶ୍ୱସ୍ଥତା ଓ କର୍ତ୍ତବ୍ୟର ଭାବନା ଲାଗୁ କରାଯିବ।
ପ୍ରଶିକ୍ଷଣର ତୃତୀୟ ପର୍ଯ୍ୟାୟରେ ସାଥୀ, ବରିଷ୍ଠ ଏନସିଓ, ଜେସିଓ ଏବଂ ଅନ୍ୟ ଅଧିକାରୀଙ୍କ ସହିତ କଥାବାର୍ତ୍ତା ମଧ୍ୟ ସାମିଲ ରହିବ। ଯାହା ଜଣେ ଅଗ୍ନିବୀରର ବ୍ୟକ୍ତିତ୍ୱକୁ ସମ୍ବର୍ଦ୍ଧନ କରିବ ଓ ତାକୁ ସେନା ଜୀବନ ଶୈଳୀଅନୁଭବ କରିବାକୁ ସକ୍ଷମ କରିବ। ସୂତ୍ର ଅନୁସାରେ ପ୍ରଶିକ୍ଷଣର ଏହି ସମସ୍ତ ସ୍ତର ଜଣେ ଅଗ୍ନିବୀରକୁ ତାର ୪ ବର୍ଷର ଚାକିରୀ କାଳରେ ପର୍ଯ୍ୟାପ୍ତ ଅନୁଶାସନ ଓ ନୈତିକତା ଶିକ୍ଷା ଦେବ।
{"id":730092,"width":840,"height":473,"sizeSlug":"full","linkDestination":"none"}
ଅଗ୍ନିପଥ ଯୋଜନା
କେନ୍ଦ୍ର ସରକାର ଗତବର୍ଷ ଜୁନ ମାସରେ ଦେଶରେ ଅଗ୍ନିପଥ ଯୋଜନା ଆରମ୍ଭ କରିଥିଲେ। ଯେଉଁଥିରେ ଆର୍ମଡ ଫୋର୍ସ ଲାଗି ନିଯୁକ୍ତି ପ୍ରକ୍ରିୟାରେ ବଡ ଧରଣର ପରିବର୍ତ୍ତନ କରାଯାଇଥିଲା। ଯୋଜନା ଅନୁସାରେ ୧୭ ବର୍ଷରୁ ୨୧ ବର୍ଷର ଯୁବକଙ୍କୁ ୪ ବର୍ଷ ସମୟ ନିମନ୍ତେ ସିପାହୀ (ଅଗ୍ନି ବୀର) ଭାବେ ନିଯୁକ୍ତି କରାଯିବ। ତେବେ ୪ ବର୍ଷ ପରେ ସବୁ ଅଗ୍ନି ବୀରଙ୍କୁ ନିୟମିତ କ୍ୟାଡରରେ ଏନରୋଲ କରିବା ଲାଗି ବିକଳ୍ପ ଦିଆଯିବ। ତେବେ ପ୍ରତ୍ୟେକ ବ୍ୟାଚ୍ ରୁ କେବଳ ୨୫ ପ୍ରତିଶତଙ୍କୁ ସେମାନଙ୍କ ସେବା ଅବଧି ପୂରଣ କରିବା ପରେ ମଧ୍ୟ ସେନାରେ କାୟମ ରଖାଯିବ।
୪୦ ହଜାର ଅଗ୍ନିବୀରଙ୍କ ଚୟନ ଲାଗି ସାରା ଦେଶରେ ୯୬ ନିଯୁକ୍ତି ରାଲିର ଆୟୋଜନ କରାଯାଇଥିଲା। ୨୧ ହଜାରରୁ ଅଧିକ ମନୋନୀତ ଅଗ୍ନିବୀରଙ୍କ ଦ୍ୱିତୀୟ ପ୍ରଶିକ୍ଷଣ ବ୍ୟାଚ୍ ୧ ମାର୍ଚ୍ଚରୁ ଆରମ୍ଭ ହେବ। ସୂତ୍ର ଅନୁସାରେ ପରବର୍ତ୍ତି ବ୍ୟାଚ୍ ଗୁଡିକୁ ପ୍ରତିବର୍ଷ ମେ ଓ ନଭେମ୍ବର ମାସରେ ଆରମ୍ଭ କରାଯିବ।