ଅଗଷ୍ଟ ୧୫ରେ ହୋଇଥାନ୍ତା ଉରି ଭଳି ଆକ୍ରମଣ : ସେନା କ୍ୟାମ୍ପରେ ଅନୁପ୍ରବେଶ ବେଳେ ୨ ଆତଙ୍କୀ ନିପାତ

Published By : Prameya-News7 Bureau | August 11, 2022 IST

ନୂଆଦିଲ୍ଲୀ, ୧୧|୦୮: ଉରି ଭଳି ଆକ୍ରମଣ ଉଦ୍ୟମ ପଣ୍ଡ । ସ୍ୱାଧିନତା ଦିବସ ପୂର୍ବରୁ ଜମ୍ମୁ କାଶ୍ମୀରର ପରଗଲରେ ଉରି ଭଳି ଆକ୍ରମଣ ଟଳିଯାଇଛି । ଏଠାରେ କିଛି ଆତଙ୍କବାଦୀ ସେନା କ୍ୟାମ୍ପରେ ପ୍ରବେଶ କରିବାକୁ ଚେଷ୍ଟା କରୁଥିଲେ । ଏହାପରେ ସୁରକ୍ଷାକର୍ମୀ ପାଲଟା ଜବାବ ଦେଇଥିଲେ । ଏଥିରେ ଦୁଇ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି ।

୧୧ ରାଷ୍ଟ୍ରୀୟ ରାଇଫଲ୍ସର ତଥ୍ୟ ଅନୁସାରେ, ରଜୌରୀରେ ଥିବା ପରଗଲ ସେନା କ୍ୟାମ୍ପରେ କିଛି ଆତଙ୍କବାଦୀ ଅନୁପ୍ରବେଶ ଉଦ୍ୟମ କରୁଥିଲେ । ଏହାପରେ ସେନା ସେମାନଙ୍କୁ ରୋକିଥିଲା । ଉଭୟ ପକ୍ଷ ମଧ୍ୟରେ ଭୟଙ୍କର ଗୁଳିମାଡ ହୋଇଥିଲା । ଏଥିରେ ଦୁଇ ଜଣ ଆତଙ୍କୀ ନିପାତ ହୋଇଛନ୍ତି । ସେନାର ତିନି ଯବାନ ମଧ୍ୟ ସହିଦ ହୋଇଛନ୍ତି । ଏବେ ଘଟଣାସ୍ଥଳରେ ସର୍ଚ୍ଚ ଅପରେସନ ଜାରି ରହିଛି ।

ସେପଟେ ଧରହଲ ପୋଲିସ ଷ୍ଟେସନରୁ ୬ କିମି ଦୂରରେ ଥିବା ଯବାନଙ୍କୁ ପରଗଲ ଅଭିମୁଖେ ପଠାଯାଇଛି । କୁହାଯାଉଛି ଯେ, ଆତଙ୍କବାଦୀମାନେ ଉରି ଭଳି ଆକ୍ରମଣ ପାଇଁ ଚେଷ୍ଟା କରୁଥିଲେ ।

୨୦୧୬ରେ ଉରି ଆକ୍ରମଣ

୨୦୧୬ରେ ପାକିସ୍ତାନରୁ ଆସିଥିବା ଜୈଶ-ଏ-ଅହମ୍ମଦର ଆତଙ୍କବାଦୀ ସେନାର ଏକ କ୍ୟାମ୍ପ ଉପରେ ଅତର୍କିତ ଆକ୍ରମଣ କରିଥିଲେ । ଏଥିରେ ୧୯ ଯବାନ ସହିଦ ହୋଇଥିଲେ । ୩୦ ଯବାନ ଆହତ ହୋଇଥିଲେ । ପରେ ଚାରି ଆତଙ୍କବାଦୀଙ୍କୁ ନିପାତ କରାଯାଇଥିଲା । ଏହାପରେ ଭାରତ ପିଓକେ ମଧ୍ୟରେ ପ୍ରବେଶ କରି ସର୍ଜିକାଲ ଷ୍ଟ୍ରାଇକ୍ କରିଥିଲା । ଆତଙ୍କବାଦୀଙ୍କ ଲଞ୍ଚ୍ ପ୍ୟାଡ ଧଂସ କରିଥିଲା ସେନା । ଯେଉଁଥିରେ ୫୦ରୁ ଅଧିକ ଆତଙ୍କବାଦୀ ନିହତ ହୋଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.