କରୋନା ଯୋଦ୍ଧାଙ୍କୁ ଜଳ, ସ୍ଥଳ ଓ ବାୟୁସେନାର ସଲାମ : ଗର୍ବିତ ସାରା ଦେଶ…
3/05/2020 at 3:54 PM

ନୂଆଦିଲ୍ଲୀ ୦୩/୦୫ : ଦେଶରେ କରୋନା ସଂକ୍ରମଣ ବିରୋଧରେ ଲଢ଼ୁଥିବା ଯୋଦ୍ଧାଙ୍କୁ ଭାରତୀୟ ବାୟୁସେନା, ନୌସେନା ଓ ସ୍ଥଳ ବାହିନୀ ଅଲଗା ଅଲଗା ତରିକାରେ ଧନ୍ୟବାଦ ଜ୍ଞାପନ କରିଛନ୍ତି | ପୂର୍ବରୁ ପଶ୍ଚିମ ଓ ଉତ୍ତର ଦକ୍ଷିଣ ଯାଏଁ ବାୟୁସେନା ବିମାନ ଓ ହେଲିକେପ୍ଟର କରୋନା ଯୋଦ୍ଧାଙ୍କ ଉପରେ ପୁଷ୍ପ ବର୍ଷା କରି ତାଙ୍କୁ ଧନ୍ୟବାଦ ଜଣାଇବା ସହ ସେମାନଙ୍କ ଆଗ୍ରହକୁ ବଢାଇଛନ୍ତି | କରୋନା ଯୋଦ୍ଧାଙ୍କ ପାଇଁ ବାୟୁସେନାର ଏହି ପଦକ୍ଷେପକୁ ଦେଖି ପୁରା ଦେଶ ଗର୍ବ ଅନୁଭବ କରିଛି | ଡାକ୍ତର, ନର୍ସ, ଅନ୍ୟାନ୍ୟ ସ୍ୱାସ୍ଥ୍ୟକର୍ମୀ, ପୋଲିସ ବାୟୁସେନାକୁ ତାଳି ବଜାଇ ଧନ୍ୟବାଦ ଜଣାଇଥିଲେ | ଜନତା ମଧ୍ୟ ଏହି ଯୋଦ୍ଧାଙ୍କୁ ସଲାମ କରିଛି |

ଏହି ଅଭିଯାନରେ ଭାରତୀୟ ସ୍ଥଳ ବାହିନୀ ମଧ୍ୟ ଯୋଗଦାନ କରିଛି | ସ୍ଥଳ ବାହିନୀ କୋଭିଡ-୧୯ ହସ୍ପିଟାଲରେ କାର୍ଯ୍ୟଦକ୍ଷତା ପ୍ରଦର୍ଶନ କରିଛି | ନୌସେନାର ଯୁଦ୍ଧ ଜାହାଜ ଦିନ ୩ଟା ପରେ ଆଲୋକମାଳା ପ୍ରଦର୍ଶନ କରିବ | ପୋଲିସଙ୍କ ସମ୍ମାନରେ ଶଶସ୍ତ୍ରବଳ ପୋଲିସ ମେମୋରିଆଲରେ ମାଲ୍ୟାର୍ପଣ କରିବେ |

କରୋନା ଯୋଦ୍ଧାଙ୍କୁ ଧନ୍ୟବାଦ ଜଣାଇବାର ଏହି କାର୍ଯ୍ୟକ୍ରମ ଜାରି ରହିଛି | ସାର ଦେଶରେ ଲକଡାଉନ ନିୟମ ପାଳନ କରିବା ସହ ତମାମ ପୋଲିସକର୍ମୀଙ୍କୁ ସମ୍ମାନ ଦିଆଯାଉଛି | ସକାଳ ୧୦ଟା ରୁ ୧୧ଟା ମଧ୍ୟରେ ଭାରତୀୟ ବାୟୁସେନା ବିମାନ ଦେଶର ଅନେକ ପ୍ରାନ୍ତରେ ପହଂଚି ପୁଷ୍ପ ବର୍ଷା କରିଛି |

ସମସ୍ତ ବିମାନ ୫୦୦ ମିଟରରୁ ହଜାରେ ମିଟର ଉଚ୍ଚରୁ ପୁଷ୍ପ ବର୍ଷା କରିଥିଲା | ଦିଲ୍ଲୀରେ ବାୟୁସେନା ବିମାନ ଏମ୍ସ, ଦିନଦୟାଲ ଉପାଧ୍ୟାୟ ହସ୍ପିଟାଲ, ଗୁରୁ ତେଜ ବହାଦୁର ହସ୍ପିଟାଲ, ଲୋକନାୟକ ଜୟ ପ୍ରକାଶ ହସ୍ପିଟାଲ, ରାମ ମନୋହର ଲୋହିଆ ହସ୍ପିଟାଲ, ସଫଦରଗଞ୍ଜ, ବାବା ସାହେବ ଆମ୍ବେଦକର ହସ୍ପିଟାଲ, ଆପୋଲୋ ଇନ୍ଦ୍ରପ୍ରସ୍ଥ ହସ୍ପିଟାଲ ଏବଂ ଆର୍ମି ରିସର୍ଚ୍ଚ ଆଣ୍ଡ ରେଫରଲ ହସ୍ପିଟାଲ ଉପରେ ଫୁଲ ବର୍ଷା କରିଥିଲେ |
