ଜାମ୍ମୁ-କାଶ୍ମୀରରେ ନିଖୋଜ୍ ଥିବା ଯବାନଙ୍କୁ ଖୋଜି ପାଇଲା ପୁଲିସ, ଡାକ୍ତରୀ ପରୀକ୍ଷା ପରେ ହେବ ପଚରାଉଚରା

Published By : Prameya-News7 Bureau | August 03, 2023 IST

ଜାମ୍ମୁ କାଶ୍ମୀର: କୁଲଗାମରୁ ନିଖୋଜ ହୋଇଯାଇଥିବା ଭାରତୀୟ ସେନା ଯବାନ ଜାଭେଦ୍ ଅହମ୍ମଦ ୱାନୀଙ୍କୁ ଗୁରୁବାର (ଅଗଷ୍ଟ ୩) ପୋଲିସ ଖୋଜି ପାଇଛି। ଜାମ୍ମୁ କାଶ୍ମୀର ପୋଲିସର ଟୁଇଟ୍ ଅନୁଯାୟୀ ଏଡିଜିପି କାଶ୍ମୀର ପକ୍ଷରୁ ଏ ସମ୍ପର୍କରେ ସୂଚନା ଦିଆଯାଇଛି। ସେ କହିଛନ୍ତି ଯେ ଡାକ୍ତରୀ ପରୀକ୍ଷା ପରେ ଯବାନ ଜାଭେଦ ଅହମ୍ମଦଙ୍କୁ ପଚରାଉଚରା କରାଯିବ। ଏହି ତଦନ୍ତରେ ଉଭୟ ସେନା ଏବଂ ପୋଲିସର ଅଧିକାରୀମାନେ ସାମିଲ ହେବେ ବୋଲି ଏଡିଜିପି କହିଛନ୍ତି।

ଜାଭେଦ୍ ଅହମ୍ମଦ ୱାନୀ ଇଦ୍‌ ପାଇଁ ୨୯ ଜୁଲାଇରେ ଛୁଟିରେ ତାଙ୍କ ଘରକୁ ଆସିଥିଲେ। ସେହିଦିନ ସନ୍ଧ୍ୟାରେ ପ୍ରାୟ ସାଢ଼େ ୮ଟା ସମୟରେ ସେ ନିଖୋଜ ହୋଇଯାଇଥିଲେ। ଏହାପରେ ତାଙ୍କୁ ଅପହରଣ କରାଯାଇଥିବା ଯବାନଙ୍କ ପରିବାର ପକ୍ଷରୁ ଅଭିଯୋଗ କରାଯାଇଥିଲା। ତେବେ ଯବାନଙ୍କୁ ଖୋଜି ପାଇବା ପରେ ପୁଲିସ ଏନେଇ ବିଶେଷ କିଛି ସୂଚନା ଦେଇନାହିଁ।

କୁଲଗାମର ଆସ୍ଥଲ ଗାଁର ବାସିନ୍ଦା ୨୮ ବର୍ଷୀୟ ଜାଭେଦ୍ ଅହମ୍ମଦ ୱାନୀ,ତାଙ୍କ ଗାଁର ଅନ୍ୟ ୬ ଜଣଙ୍କ ସହିତ ୨୦୧୩ରେ ଭାରତୀୟ ସେନାରେ ଯୋଗ ଦେଇଥିଲେ। ସେ ଶାରୀରିକ ଏବଂ ଲିଖିତ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ। ଏହାପରେ ତାଙ୍କୁ ୨୦୧୪ରେ ଜାମ୍ମୁ କାଶ୍ମୀରର ଲାଇଟ୍ ଇନ୍‌ଫେଣ୍ଟ୍ରି (JAKLI) ରେଜିମେଣ୍ଟର ତୃତୀୟ ବାଟାଲିୟନରେ ନିଯୁକ୍ତି ଦିଆଯାଇଥିଲା।

ଜାଭେଦ ତାଙ୍କ କାର୍ଯ୍ୟକାଳ ମଧ୍ୟରେ ସେନାବାହିନୀରେ ରାଷ୍ଟ୍ରୀୟ ରାଇଫଲ୍ସର ୯ତମ ବାଟାଲିଅନ୍‌ରେ ରହି ଉଗ୍ରବାଦୀଙ୍କ ବିରୋଧରେ କାର୍ଯ୍ୟ କରିଛନ୍ତି। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ସେ ଲୋକଙ୍କୁ ସହଯୋଗ କରୁଥିଲେ।

ସ୍ଥାନୀୟ ଗ୍ରାମବାସୀଙ୍କ କହିବାନୁସାରେ, ଜାଭେଦ୍ ପିଲାଦିନରୁ ଲୋକଙ୍କୁ ସାହାଯ୍ୟ କରିଆସୁଛନ୍ତି। ଗରିବ ଲୋକଙ୍କୁ ସାହାଯ୍ୟ କରିବାରେ ସେ ସର୍ବଦା ଆଗରେ ରହିଥାନ୍ତି। ଅପହରଣର ଦୁଇ ଦିନ ପୂର୍ବରୁ ସେ ନିକଟସ୍ଥ ଗାଁର ଜଣେ ରୋଗୀଙ୍କୁ ରକ୍ତ ଦାନ କରିଥିଲେ ବୋଲି ସ୍ଥାନୀୟ ଲୋକେ କହିଛନ୍ତି।

ପଢ଼ନ୍ତୁ-ଶ୍ରେଣୀରେ ହିନ୍ଦୁ ଦେବାଦେବୀଙ୍କ ଉପରେ ଟିପ୍ପଣୀ କରି ଗିରଫ ହେଲେ ପ୍ରୋଫେସର, ଭିଡିଓ ଭାଇରାଲ ପରେ ହୋଇଥିଲା ବିବାଦ

୨୦୧୪ ବନ୍ୟା ସମୟରେ ସେ ନିଜ ଗାଁର ଅନ୍ୟ ଯୁବକମାନଙ୍କ ସହ ବନ୍ୟାରେ ଫସି ରହିଥିବା ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଅନେକ ପରିଶ୍ରମ କରିଥିଲେ। ସ୍ଥାନୀୟ ଲୋକଙ୍କ କହିବାନୁସାରେ, ତାଙ୍କର କୌଣସି ଶତ୍ରୁ ନଥିଲେ କି ତାଙ୍କୁ ଉଗ୍ରବାଦୀଙ୍କ ଠାରୁ କୌଣସି  ଭୟ ମଧ୍ୟ ନଥିଲା। ତେବେ ପୁଲିସ ତଦନ୍ତ ପରେ ପୂରା ଘଟଣା ଜଣାପଡ଼ିବ ବୋଲି ପୁଲିସ କହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.