ଭାରତୀୟ ସେନାରୁ ଅବସର ନେଲା କୁକୁର; ସମ୍ମାନର ସହ ଏସି କୋଚ୍‌ରେ ଘରକୁ ଗଲା, ଭାଇରାଲ୍ ଭିଡିଓ ଦେଖି ୟୁଜର୍ସ କଲେ ସାଲ୍ୟୁଟ୍

Published By : Prameya-News7 Bureau | May 24, 2024 IST

ନୂଆଦିଲ୍ଲୀ 24/05 :  ସମାଜ ପ୍ରତି ନିଜର ଅବଦାନ ପାଇଁ ପ୍ରତ୍ୟେକଙ୍କୁ ଦିଆଯାଉଥିବା ସମ୍ମାନ ଏକ। ସେ ମଣିଷ ହୁଅନ୍ତୁ କି ପଶୁ। କାହା ମଧ୍ୟରେ ପାତରଅନ୍ତର ନାହିଁ। କାହିଁକି ନା ସମାଜ ପ୍ରତି  ପଶୁପକ୍ଷୀମାନଙ୍କର ଅବଦାନ ବି ଢେର୍। ସେମାନେ ମଣିଷଠୁ କୋଉ ଗୁଣରେ କମ୍ ନୁହଁନ୍ତି।  ନିକଟରେ, ଓସ୍କାର ପୁରସ୍କାର ଶୋ ଏବଂ କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଏକ କୁକୁରର ଦେଖିବାକୁ ମିଳିଥିଲା ଜଲୱା। ସେହିଭଳି ଭର୍ମୋଣ୍ଟ ଷ୍ଟେଟ୍‌ ୟୁନିଭଏର୍ସିଟିରୁ ସାହିତ୍ୟରେ ଡକ୍ଟରେଟ୍ ଉପାଧି ପାଇଥିଲା ଏକ ବିଲେଇ।  ଯାହା ସମସ୍ତଙ୍କୁ  କରିଦେଇଥିଲା ଆଶ୍ଚର୍ଯ୍ୟ। ଏବେ ପୁଣି ଏକ ଚକିତ କଲାଭଳି ଘଟଣା ହେଉଛି,  ଭାରତୀୟ ସେନାର ଏକ କୁକୁରକୁ ଅବସର ପରେ ମିଳିଥିବା ସମ୍ମାନ। ସେନା କୁକୁର ମେରୁ ମେରଠରେ ତାଙ୍କ ଅବସର ଗୃହରେ ପହଞ୍ଚିବା ପାଇଁ ଟ୍ରେନର ଏସି ଫାଷ୍ଟ କୋଚରେ ଯାତ୍ରା କରିଛନ୍ତି। କୁକୁର ହୁଏତ ଏସବୁ କିଛି ବୁଝୁନଥିବ। କିନ୍ତୁ ତାକୁ ସମ୍ମାନ ଦେବାରେ  ଦିଆଯାଇନି ପଛଘୁଞ୍ଚା।  

ମେରୁ ୨୨ ଆର୍ମି ଡଗ୍ ୟୁନିଟ୍‌ର ସେନା କୁକୁର। ନିକଟରେ ତାଙ୍କର ଅବସର ଯାତ୍ରା ସୋସିଆଲ୍ ମିଡିଆ ୟୁଜରଙ୍କ ମନକୁ ଛୁଇଁଛି। ଭାଇରାଲ ହେଉଥିବା ଭିଡିଓରେ ମେରୁ ଅବସର ନେବା ପରେ ଟ୍ରେନ୍‌ର ଫାର୍ଷ୍ଟ ଏସି କୋଚ୍‌ରେ ଅତି ଆରାମଦାୟକ ଭାବେ ଯାତ୍ରା କରୁଥିବା ଦେଖିବାକୁ ମିଳିଛି। ୯ ବର୍ଷର ମେରୁ ଏକ ବିଶ୍ୱସ୍ତ କୁକୁର ଭାବରେ ଏକ ଉତ୍ସର୍ଗୀକୃତ କ୍ୟାରିୟର ପରେ ଅବସର ନେଇଛି। ମେରଠରେ ଏକ ଅବସର ଘରକୁ ଯାତ୍ରା କରୁଥିବା ତାଙ୍କ ଭାଇରାଲ୍ ଫଟୋ ଅନେକଙ୍କ ମନକୁ ଛୁଇଁଛି।  

ଏସି କୋଚ୍‌ରେ ମେରୁ ଯାତ୍ରାର ଭିଡିଓ ସେଆର କରାଯାଇ ଲେଖା ଯାଇଛି, " ୨୨ଆର୍ମି ଡଗ୍ ୟୁନିଟ୍‌ର ଆର୍ମି ଟ୍ରାକର୍ କୁକୁର ମେରୁ ଅବସର ସମୟରେ ମେରଠ୍ ଯିବା ପାଇଁ ଟ୍ରେନ୍‌ ଚଢିଲା। ସେ ତା’ର ଅବଶିଷ୍ଟ ଦିନ ରିମାଉଣ୍ଟ୍ ଆଣ୍ଡ୍ ଭେଟରନାରୀ କର୍ପସ୍ ସେଣ୍ଟରରେ କାଟିବ। ପ୍ରତିରକ୍ଷା ମନ୍ତ୍ରଣାଳୟ କୁକୁରକୁ ତାଙ୍କ ସଞ୍ଚାଳକ ସହ ଯିବାକୁ ଅନୁମତି ଦେଇଛି। "

ଏହି ସ୍ୱତନ୍ତ୍ର ବ୍ୟବସ୍ଥା ପ୍ରତିରକ୍ଷା ମନ୍ତ୍ରଣାଳୟର ନୂଆ ପଦକ୍ଷେପର ଏକ ଅଂଶ। ବିଭାଗୀୟ ନୀତିର ଏହି ପରିବର୍ତ୍ତନ ପଶୁମାନଙ୍କ ପାଇଁ ସମ୍ମାନ ଏବଂ କୃତଜ୍ଞତାକୁ ପ୍ରତିଫଳିତ କରେ ଯେଉଁମାନେ ନିଜ ଜୀବନକୁ ଦେଶର ସେବାରେ ଉତ୍ସର୍ଗ କରିଛନ୍ତି।

ମେରଠ୍ ର RVC ସେଣ୍ଟରକୁ  ଅବସର ପରେ ମେରୁର ଅତ୍ୟନ୍ତ ଆରାମଦାୟକ ଯାତ୍ରା ହେଉଛି ତା’ର ବହୁ ବର୍ଷର ନିଷ୍ଠା ଓ ପରିଶ୍ରମର ଫଳ। ସୋସିଆଲ୍ ମିଡିଆ ପ୍ଲାଟଫର୍ମ ଏକ୍ସରେ ପୋଷ୍ଟ ହୋଇଥିବା ଏହି ଭିଡିଓ ଦେଖିବା ପରେ, ଅନେକ ଲୋକ ମେରୁର ଏହି ଯାତ୍ରାକୁ ଖୁବ୍ ପସନ୍ଦ ଏବଂ ଶେୟାର କରୁଛନ୍ତି। ଲୋକମାନେ କମେଣ୍ଟ କରି ଲେଖିଛନ୍ତି, ସାଲ୍ୟୁଟ୍ ଏବଂ ଶୁଭ ଅବସର, ମେରୁ! ।

Also Read-  ଆଇପିଏଲ୍‌ରେ କୋହଲିଙ୍କ ଷ୍ଟ୍ରାଇକ୍ ରେଟ୍କୁ ନେଇ ହଙ୍ଗାମା, ତାତିଲେ ଫ୍ୟାନ୍ସ

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.