ଆର୍ମିଙ୍କୁ କୌଣସି ପ୍ରମାଣ ଦେବାର ଆବଶ୍ୟକତା ନାହିଁ, ଦିଗବିଜୟ ସିଂଙ୍କ ବୟାନ ଉପରେ ରାହୁଲଙ୍କ ରୋକ୍ଠୋକ୍
24/01/2023 at 4:03 PM

ନୂଆଦିଲ୍ଲୀ: କଂଗ୍ରେସର ବରିଷ୍ଠ ନେତା ଦିଗବିଜୟ ସିଂଙ୍କ ସର୍ଜିକାଲ୍ ଷ୍ଟ୍ରାଇକ୍କୁ ନେଇ ଦେଇଥିବା ବିବାଦୀୟ ବୟାନରୁ ପାର୍ଟିର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଦୂରେଇ ଯାଇଛନ୍ତି। ମଙ୍ଗଳବାର ରାହୁଲ ଗାନ୍ଧୀ କହିଛନ୍ତି ଯେ, ଦିଗବିଜୟଙ୍କ ଏହା ବ୍ୟକ୍ତିଗତ ବୟାନ। ଏଥିରେ ପାର୍ଟିର କୌଣସି ସଂପୃକ୍ତି ନାହିଁ। ଦିଗବିଜୟ କହିଥିଲେ ଯେ, କାହାକୁ ଜଣା ବାସ୍ତବରେ ସର୍ଜିକାଲ୍ ଷ୍ଟ୍ରାଇକ୍ ହୋଇଛି କି ନାହିଁ। ସରକାର ତ ପ୍ରମାଣ ଦେଇ ନାହାନ୍ତି।
ରାହୁଲ କହିଛନ୍ତି, ଯବାନଙ୍କ ପ୍ରତି ଆମର ସର୍ବୋଚ୍ଚ ସମ୍ମାନ ରହିଛି। ଦିଗବିଜୟଙ୍କ ଟିପ୍ପଣୀ ପାର୍ଟିର ଆଭିମୁଖ୍ୟ ନୁହେଁ। ଆମେ ଦିଗବିଜୟଙ୍କ ବ୍ୟକ୍ତିଗତ ବୟାନକୁ ଗ୍ରହଣ କରି ପାରିବୁ ନାହିଁ। ତାଙ୍କର ବୟାନ ପାର୍ଟିର ବିଚାରଧାରାର ବିପରୀତ ରହିଛି। ଆମେ ସ୍ପଷ୍ଟ କରିବାକୁ ଚାହୁଁ ଯେ, ଯବାନ ସେମାନଙ୍କର କର୍ତ୍ତବ୍ୟ ଉତ୍ସର୍ଗୀକୃତ ଭାବେ କରୁଛନ୍ତି। ସେମାନଙ୍କୁ କୌଣସି ପ୍ରମାଣ ଦେବାର ଆବଶ୍ୟକତା ନାହିଁ। ମଙ୍ଗଳବାର ସାମ୍ବାଦିକ ସମ୍ମିଳନୀରେ ଏହା କହିଛନ୍ତି ରାହୁଲ ଗାନ୍ଧୀ।
#WATCH | We don't appreciate Digvijaya Singh's personal views. His views are outlying views. We are absolutely clear that the Armed Forces do their job exceptionally well and they do not need to provide proof of that: Congress MP Rahul Gandhi pic.twitter.com/O67iRg8aNk
— ANI (@ANI) January 24, 2023
ଦିଗବିଜୟଙ୍କ ବୟାନକୁ ନେଇ ବିବାଦ ହେବା ପରେ ସେ ଆଜି ସାମ୍ବାଦିକ ସମ୍ମିଳନୀରୁ ଦୂରେଇ ରହିଥିଲେ। ଗତକାଲି ଜାମ୍ମୁରେ ଭାରତ ଯୋଡୋ ଯାତ୍ରା ସମୟରେ ଦିଗବିଜୟ ସୀମାରେ ସେନାଙ୍କ କାର୍ଯ୍ୟକଳାପକୁ ନେଇ ସନ୍ଦେହ ପ୍ରକାଶ କରିଥିଲେ। ସର୍ଜିକାଲ୍ ଷ୍ଟ୍ରାଇକ୍ ହୋଇଥିବା କେନ୍ଦ୍ର ସରକାର ଦାବି କରୁଛନ୍ତି। କିନ୍ତୁ ସେମାନେ ଏହାର ପ୍ରମାଣ ଦେଇ ନାହାନ୍ତି ବୋଲି ଦିଗବିଜୟ କହିଥିଲେ।
ଏ ଖବର ପଢନ୍ତୁ- ଦୈନିକ ୨୨ କିଲୋମିଟର ପାଦଚଲା, କେବେ ଡ୍ୟାନ୍ସ ତ କେବେ କ୍ରିକେଟ, ପତ୍ନୀ ଅମୃତା ଖୋଲିଲେ ୭୫ ବର୍ଷରେ ଦିଗବିଜୟଙ୍କ ଫିଟନେସ୍ର ରହସ୍ୟ
ସୂଚନାଯୋଗ୍ୟ, ୨୦୧୬ ସେପ୍ଟେମ୍ବରରେ ଉରି ନିକଟସ୍ଥ ନିୟନ୍ତ୍ରଣ ରେଖା(ଏଲଓସି)ରେ ଭାରତୀୟ ଯବାନ ସର୍ଜିକାଲ୍ ଷ୍ଟ୍ରାଇକ୍ କରିଥିଲେ। ଏଥିରେ ଆତଙ୍କବାଦୀଙ୍କ ଆଡ୍ଡା ଧ୍ଵଂସ କରିବା ସହ ଅନେକ ଆତଙ୍କବାଦୀଙ୍କ ନିପାତ କରିଥିଲେ। ଏହାକୁ ନେଇ ବିରୋଧୀ ଅନେକ ପ୍ରଶ୍ନ ଉଠାଇଛନ୍ତି।