ଚୀନ ଷଡଯନ୍ତ୍ର ପଣ୍ଡ: ପାଙ୍ଗଙ୍ଗ୍ ବିବାଦୀୟ କ୍ଷେତ୍ରରେ କବ୍‌ଜା କଲେ ସେନା, ଉଖାଡି ଫିଙ୍ଗିଲେ ଚୀନ କ୍ୟାମେରା ଓ ସର୍ଭିଲାନ୍ସ ସିଷ୍ଟମ

Published By : Prameya-News7 Bureau | September 01, 2020 IST

ନୂଆଦିଲ୍ଲୀ ୦୧।୦୯: ଭରାତୀୟ ସେନା ବାସ୍ତବ ନିୟନ୍ତ୍ରଣ ରେଖା(ଏଲଏସି)ରେ ଚୀନ ଷଡଯନ୍ତ୍ରକୁ ପଣ୍ଡ କରିବା ସହିତ ପାଙ୍ଗଙ୍ଗ ହ୍ରଦର ଦକ୍ଷିଣ ଭାଗରେ ଥିବା ଏକ ଗୁରୁତ୍ଵପୂର୍ଣ୍ଣ ଶିଖର ବ୍ଲାକ ଟପ୍ ପୋଷ୍ଟକୁ ଦଖଲ କରିଛନ୍ତି। ରିପୋର୍ଟ ଅନୁଯାୟୀ ଏହି ବିବାଦୀୟ ଶିଖର ଏବେ ଭାରତର ନିୟନ୍ତ୍ରଣକୁ ଚାଲି ଆସିଛି। ଅଗଷ୍ଟ ୨୯-୩୦ ରାତ୍ରିରେ ଚୀନ ସେନା ଅନୁପ୍ରବେଶ ଉଦ୍ୟମ କରିଥିଲେ, ଯାହାର ମୁହଁତୋଡ ଜବାବ ଦେଇ ଭାରତୀୟ ସେନା ପଛକୁ ହଟାଇ ଦେଇଥିଲେ। ଭାରତୀୟ ସେନା ପିଏଲଏକୁ ମାତ୍ ଦେଇ ବ୍ଲାକ ଟପ୍ ପୋଷ୍ଟ ଉପରେ କବଜା କରିବା ସହିତ କ୍ୟାମେରା ଓ ସର୍ଭିଲାନ୍ସ ଉପକରଣ ଉଖାଡି ଫିଙ୍ଗିଛନ୍ତି।

ଚୀନ ସେନା ପିପୁଲ୍ସ ଲିବେରେସନ ଆର୍ମି(ପିଏଲଏ) ପାଙ୍ଗଙ୍ଗ ହ୍ରଦର ଦକ୍ଷିଣ କୂଳରେ ସ୍ଥିତ ବ୍ଲାକ ଟପ୍‌ ପୋଷ୍ଟ ଉପରେ କ୍ୟାମେରା ଓ ସର୍ଭିଲାନ୍ସ ସିଷ୍ଟମ ଲଗାଇଥିଲେ। ଏବେ ଏହି ପୋଷ୍ଟ ଉପରେ ଭାରତୀୟ ସେନା କବ୍‌ଜା କରିବା ସହିତ କ୍ୟାମେରା ଓ ସର୍ଭିଲାନ୍ସ ଉପକରଣ ଉଖାଡି ଫିଙ୍ଗିଛନ୍ତି।

ଇଣ୍ଡିଆ ଟୁଡେର ରିପୋର୍ଟ ଅନୁଯାୟୀ ବ୍ଲାକ ଟପ୍ ପୋଷ୍ଟରେ କ୍ୟାମେରା ଓ ସର୍ଭିଲାନ୍ସ ସିଷ୍ଟମ ଲାଗିବା ପରେ ମଧ୍ୟ ଭାରତୀୟ ସେନା ଚୀନ ସେନାକୁ ପଛକୁ ଘଉଡାଇ ରଣନୈତିକ ଭାବେ ଗୁରୁତ୍ଵପୂର୍ଣ୍ଣ ଏହି ପୋଷ୍ଟକୁ ଦଖଲ କରିଛି। ଏହି ପୋଷ୍ଟ ଏଲଏସିରେ ଭାରତୀୟ ସୀମା ପାର୍ଶ୍ଵରେ ରହିଛି।

ସୂତ୍ର ଅନୁଯାୟୀ ଚୀନ ନିଜ ସୀମାର ନୀରିକ୍ଷଣ ତନ୍ତ୍ରକୁ ଦୃଢ କରିବା ସହିତ ଭାରତୀୟ ସୈନିକଙ୍କ ଗତିବିଧି ଉପରେ ନଜର ରଖିବା ପାଇଁ କ୍ୟାମେରା ଓ ସେନସର ମୁତୟନ କରିଥିଲା। ଠାକୁଙ୍ଗ ନିକଟ ପର୍ବତ ଶିଖର ନିକଟରେ ମଧ୍ୟ ଚୀନ ସେନା ଭାରତୀୟ ସେନାର ଗତିବିଧି ଉପରେ କଡା ନଜର ରଖୁଥିଲା।

ଚୀନ ଏହି ଅଞ୍ଚଳକୁ ନିଜର ବୋଲି ଦାବି କରୁଥିଲା ଏବଂ ଏହାକୁ ଦଖଲ କରିବାକୁ ଚାହୁଁଥିଲା। ଏହା ଦ୍ଵାରା ପାଙ୍ଗଙ୍ଗ ହ୍ରଦର ଦକ୍ଷିଣ କୂଳରେ ଏବଂ ନିକଟତର ସ୍ପନଗୁର ଗ୍ୟାପରେ ରଣନୈତିକ ଅଗ୍ରଣୀ ହାସଲ କରିବାକୁ ଚାହୁଁଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.