୨୪ ଘଣ୍ଟା ହେଲାଣି ଚାଲିଛି ଆର୍ମେନିଆ ସହ ଅଜରବୈଜାନର ଯୁଦ୍ଧ : ତିନୋଟି ହେଲିକପ୍ଟରକୁ ଆର୍ମେନିଆ ଗୁଳି କରି ଖସାଇବା ପରେ ଅଜରବୈଜାନର ପ୍ରତି ଆକ୍ରମଣ, ୧୬ ନିହତ, ଶତାଧିକ ଆହତ
28/09/2020 at 12:46 PM

ନୂଆଦିଲ୍ଲୀ, ୨୮|୦୯ ଆର୍ମେନିଆ ଓ ଅଜରବୈଜାନ ମଧ୍ୟରେ ରବିବାର ବିବାଦିତ ନାଗୋରନୋ-କରବାଖ ଅଞ୍ଚଳକୁ ନେଇ ଲଢେଇ ଆରମ୍ଭ ହୋଇଯାଇଛି । ଏହି ଯୁଦ୍ଧରେ ଉଭୟ ପକ୍ଷର ପ୍ରାୟ ୧୬ ଜଣ ପ୍ରାଣ ହରାଇଛନ୍ତି । ଏହାସହ ଶତାଧିକ ଲୋକ ଆହତ ହୋଇଛନ୍ତି ।
ଆର୍ମେନିଆ ଦାବି କରିଛି ଯେ, ଅଜରବୈଜାନର ସେନା ଏହି ସ୍ଥାନରେ ଗୁଳିମାଡ ଆରମ୍ଭ କରିଦେଇଥିଲା । ଏଥିରେ ପ୍ରଥମେ ଜଣେ ମହିଳା ଓ ଜଣେ ଶିଶୁ ପ୍ରାଣ ହରାଇଥିଲେ । ଅନ୍ୟପକ୍ଷରେ ଅଜରବୈଜାନର ରାଷ୍ଟ୍ରପତି ତାଙ୍କ ଦେଶର ସେନାକୁ ବହୁତ କ୍ଷତି ହୋଇଥିବା କହିଛନ୍ତି । ଆର୍ମେନିଆ ଅଜରବୈଜାନର ତିନୋଟି ହେଲିକପ୍ଟରକୁ ଆକ୍ରମଣ କରି ତଳେ ଖସାଇ ଦେଇଛି । ଏହାସହ ୫ଟି ଟ୍ୟାଙ୍କ୍ ଓ ତୋପକୁ ମଧ୍ୟ ଟାର୍ଗେଟ୍ କରିଥିବା ଦାବି କରିଛି । କିନ୍ତୁ ଅଜରବୈଜାନ ଏହାକୁ ଖଣ୍ଡନ କରିଛି ।
ସୂଚନାଯୋଗ୍ୟ, ଉଭୟ ଦେଶ ମଧ୍ୟରେ ନାଗୋରନୋ-କରବାଖ ଅଞ୍ଚଳକୁ ନେଇ ବିବାଦ ରହିଛି । ତେବେ ଏହି ଯୁଦ୍ଧ କଣପାଇଁ ଆରମ୍ଭ ହୋଇଛି ତାହା ସ୍ପଷ୍ଟ ହୋଇନାହିଁ । ଜୁଲାଇମାସରେ ଏହି ଦୁଇ ଦେଶ ମଧ୍ୟରେ ଘଟିଥିବା ସଙ୍ଘର୍ଷ ପରେ ଏହା ସବୁଠାରୁ ବଡ ଲଢେଇ ଅଟେ । ଜୁଲାଇରେ ଉଭୟ ପକ୍ଷର ପ୍ରାୟ ୧୬ ଜଣ ପ୍ରାଣ ହରାଇଥିଲେ ।
ନଗୋରନୋ-କରବାଖର ଅଧିକାରୀ କହିଛନ୍ତି ଯେ, ଅଜରବୈଜାନ ତରଫରୁ ହୋଇଥିବା ଗୁଳିଗୋଳା ମାଡ ରାଜଧାନୀ ଷ୍ଟେପନାକେର୍ଟ ଓ ମାର୍ଚକେଟରେ ପଡିଥିଲା । ଆର୍ମେନିଆ ପ୍ରତିରକ୍ଷା ମନ୍ତ୍ରୀଳୟ କହିଛି ଯେ, ଅଜରବୈଜାନ ଆଡୁ ଆକ୍ରମଣ ହୋଇଥିଲା । ତୋପରୁ ମାଡ କରାଯାଇଥିବା ଗୋଳା ସୀମାରେ ପଡିଥିଲା । ଏଥିରେ ଦୁଇଜଣ ଜୀବନ ହାରିଥିଲେ ।
ଏହି ମାମଲାରେ ଅଜରବୈଜାନର ସହଯୋଗୀ ତୁର୍କୀ ଟ୍ୱିଟ୍ କରି ଆର୍ମେନିଆର ଆକ୍ରମଣକୁ ନିନ୍ଦା କରିଛି । ଏହାସହ ଆର୍ମେନିଆ ଯୁଦ୍ଧ ପାଇ ଉସକାଉଥିବା ଓ ନିୟମକୁ ଭଙ୍ଗ କରୁଥିବା ଅଭିଯୋଗ କରିଛି । ଆର୍ମେନିଆ ନିଆଁ ସହ ଖେଳୁଛି ବୋଲି ତୁର୍କୀ କହିଛି । ତେବେ ଏହାପରେ ଆର୍ମେନିଆ ତୁର୍କୀକୁ ଚେତାବନୀ ଦେବା ସହ ଏହା ମଧ୍ୟରେ ମୁଣ୍ଡ ନଖେଳାଇବାକୁ କହିଛି ।
ତେବେ ଋଷ ଉଭୟ ଦେଶକୁ ଶାନ୍ତି ପ୍ରତିଷ୍ଠା କରିବାକୁ ପରାମର୍ଶ ଦେଇଛି । ଯୁଦ୍ଧ ନକରି ଆଲୋଚନା ମାଧ୍ୟରେ ପ୍ରସଙ୍ଗର ସମାଧାନ ପାଇଁ ଋଷ କହିଛି ।