ସୁପ୍ରିମକୋର୍ଟଙ୍କୁ କ୍ଷମାଯାଚନା କଲେ ଗୋଧ୍ରା ଟ୍ରେନପୋଡି ଦୋଷୀ, କହିଲେ ରାଜୀବ ହତ୍ୟାକାରୀଙ୍କ ପରି ଛାଡି ଦିଅ
21/02/2023 at 6:54 PM

ନୂଆଦିଲ୍ଲୀ ୨୧।୨: ଗୁଜରାଟ ଗୋଧ୍ରାକାଣ୍ଡର ଦୋଷୀମାନେ ସେମାନଙ୍କ ଲାଗି କ୍ଷମା ଯାଚନା କରିଛନ୍ତି। ଅଯୋଧ୍ୟାରୁ ଫେରୁଥିବା ୫୯ ହିନ୍ଦୁ ତୀର୍ଥ ଯାତ୍ରୀଙ୍କୁ ଟ୍ରେନରେ ଜୀବନ୍ତ ପୋଡି ଦେଇଥିବା ଲୋକେ ନିଜ ଲାଗି ଦୟା ନିବେଦନ କରିଥିବା ବେଳେ ରାଜୀବ ହତ୍ୟାକାରୀଙ୍କ ପରି ସେମାନଙ୍କୁ ମଧ୍ୟ ଦୟା କରାଯାଉ ବୋଲି ଏକ ନିବେଦନ କହିଛନ୍ତି। ତେବେ ଅଧିକାଂଶ ଦୋଷୀ ୧୬ରୁ ୧୮ ବର୍ଷ ଦଣ୍ଡ ଭୋଗିସାରିଲେଣି ବୋଲି ସେମାନଙ୍କ ଓକିଲ କେ.ଟି.ଏସ୍. ତୁଲସୀ କହିଛନ୍ତି।
ତୁଲସୀ କହିଛନ୍ତି ଯେ ଅନେକ ମାମଲାରେ ଟ୍ରାୟଲ କୋର୍ଟଙ୍କ ଦ୍ୱାରା ଦିଆଯାଇଥିବା ଦଣ୍ଡ ସନ୍ଦିଗ୍ଧ। ଏହା ଛଡା ସେ ସୁପ୍ରିମକୋର୍ଟଙ୍କ ସେହି ଆଦେଶର ମଧ୍ୟ ଉଦାହରଣ ଦେଇଛନ୍ତି ଯେଉଁଥିରେ ୟୁପି ସରକାରଙ୍କୁ ୧୪ ବର୍ଷରୁ ଅଧିକ ଦଣ୍ଡ ଭୋଗି ସାରିଥିବା କୈଦୀଙ୍କ ମୁକ୍ତ କରିବା ଲାଗି ବିଚାର କରିବାକୁ କହିଥିଲେ। ତେବେ ସିଜେଆଇ ଡି.ୱାଇ.ଚନ୍ଦ୍ରଚୂଡ଼, ଜଷ୍ଟିସ୍ ପି.ଏସ୍. ନରସିମହା ଓ ଜଷ୍ଟିସ୍ ଜେ.ବି.ପାରଦୀୱାଲାଙ୍କ ପୀଠ ମାମଲାରେ ଗୁଜରାଟ ସରକାରଙ୍କ ପକ୍ଷରୁ ଉପସ୍ଥିତ ସୋଲିସିଟର ଜେନେରାଲ ତୁଷାର ମେହେଟ୍ଟାଙ୍କୁ ଏହି ଆବେଦନ ଉପରେ ବିଚାର କରାଯାଇ ପାରିବ କି ବୋଲି ପ୍ରଶ୍ନ କରିଥିଲେ।

ଏହାର ଜବାବରେ ସୋଲିସିଟର ଜେନେରାଲ ଅପରାଧ ଜଘନ୍ୟତମ ଥିଲା ବୋଲି କହିଛନ୍ତି। ଦୋଷୀମାନେ ଟ୍ରେନକୁ ରୋକିଥିଲେ, ସାବରମତୀ ଏକ୍ସପ୍ରେସ୍ର ଏସ୍-୬ କୋଚ୍କୁ ବାହାର ପଟୁ ପେଟ୍ରୋଲ ଫିଙ୍ଗି ନିଆଁ ଲଗାଇବା ସହ ଜଳନ୍ତା ବଗିରୁ ଓହ୍ଲାଇବାକୁ ଚେଷ୍ଟା କରୁଥିବା ଲୋକଙ୍କୁ ଘେରି ଟେକାପଥର ମାଡ କରିଥିଲେ, ସେହିପରି ଟ୍ରେନରେ ଲାଗିଥିବା ନିଆଁକୁ ଲିଭାଇବାକୁ ଆସୁଥିବା ଦମକଳ ଗାଡିକୁ ରାସ୍ତାରେ ମଧ୍ୟ ଅଟକା ଯାଇଥିଲା ଏହା କୌଣସି ସାଧାରଣ ଘଟଣା ନଥିଲା। ଫଳରେ ମହିଳା ଓ ଶିଶୁଙ୍କ ସମେତ ୫୯ ଜଣଙ୍କ ମୃତ୍ୟୁ ହୋଇଥିଲା ବୋଲି କହିଛନ୍ତି।
ଏହା ଠୁ ବଳି ଜଘନ୍ୟତମ ଓ ବିରଳ ଅପରାଧ କିଛି ବି ହୋଇ ନପାରେ ବୋଲି ସୋଲିସିଟର ଜେନେରାଲ କୋର୍ଟଙ୍କୁ କହିଥିବା ବେଳେ ରାଜ୍ୟ ସରକାର ଘଟଣାରେ ୧୧ ଜଣଙ୍କ ମୃତ୍ୟୁଦଣ୍ଡାଦେଶ ପୁଣି କାୟମ କରିବା ଲାଗି କୋର୍ଟଙ୍କୁ ଆବେଦନ କରିଥିବା କହିଛନ୍ତି। ଯେଉଁମାନଙ୍କ ମୃତ୍ୟୁ ଦଣ୍ଡାଦେଶକୁ ସୁପ୍ରିମକୋର୍ଟ ଅତୀତରେ ଆଜୀବନ କାରାଦଣ୍ଡରେ ରୂପାନ୍ତରିତ କରିଛନ୍ତି। ଏହା ଛଡା ଗୋଧ୍ରା ଟ୍ରେପୋଡିର ଦୋଷୀମାନେ କ୍ଷମାର ପାତ୍ର ନୁହନ୍ତି ବୋଲି ସୋଲିସିଟର ଜେନେରାଲ କହିଛନ୍ତି, କାରଣ ସେମାନଙ୍କ ବିରୋଧରେ ‘ଟାଡା’ ଲଗାଯାଇଥିଲା ବୋଲି କହିଛନ୍ତି।