ମେସିଙ୍କ ସ୍ଵପ୍ନ ପୂରଣ: ଆର୍ଜେଣ୍ଟିନା ଫିଫା ବିଶ୍ଵ କପ୍ ଚାମ୍ପିଅନ, ପେନାଲଟି ସୁଟ୍‌ ଆଉଟ୍‌ରେ ଫ୍ରାନ୍ସକୁ ଦେଲା ମାତ୍

Published By : Prameya-News7 Bureau | December 18, 2022 IST

ନୂଆଦିଲ୍ଲୀ: ମେସି ଏବଂ ଏମ୍ବାପେଙ୍କ ଲଢେଇରେ ଶେଷରେ ବାଜି ମାରିଲେ ମେସି। ପେନାଲଟି ସୁଟଆଉଟ୍‌ରେ ଡିଫେଣ୍ଡିଂ ଚାମ୍ପିଅନ ଫ୍ରାନ୍ସକୁ ମାତ୍ ଦେଇଛି ଆର୍ଜେଣ୍ଟିନା। ଦୀର୍ଘ ୩୬ ବର୍ଷ ଅପେକ୍ଷାର ଅନ୍ତ ଘଟିଛି। ଫିଫା ବିଶ୍ଵ କପ୍‌ ୨୦୨୨ର ବିଜୟ ମୁକୁଟ ପିନ୍ଧିଛି ଆର୍ଜେଣ୍ଟିନା। ରୋମାଞ୍ଚକର, ଉତ୍କଣ୍ଠାପୂର୍ଣ୍ଣ ଏବଂ ସଂଘର୍ଷପୂର୍ଣ୍ଣ ମୁକାବିଲାରେ ଡିଫେଣ୍ଡିଂ ଚାମ୍ପିଅନ ଫ୍ରାନ୍ସକୁ ୩-୩(ପେନାଲଟି ସୁଟଆଉଟ୍୪-୨ ) ଗୋଲ୍‌ରେ ହରାଇ ତୃତୀୟ ଥର ଫୁଟବଲ୍ ବିଶ୍ଵ କପ୍ ଚାମ୍ପିଅନ ହୋଇଛି ଆର୍ଜେଣ୍ଟିନା।  ଆଉ ଦୁନିଆର ମହାନ ଖେଳାଳିଙ୍କ ମଧ୍ୟରୁ ଜଣେ ଲିଓନେଲ ମେସିଙ୍କ ବିଶ୍ଵ କପ୍ ଜିତିବା ସ୍ଵପ୍ନ ସାକାର ହୋଇଛି। ନିଃଶ୍ଵାସ ଅଟକାଇ ଦେଇଥିବା ଏବଂ  ହୃଦ କମ୍ପନ ବଢାଇଦେଉଥିବା ମ୍ୟାଚ୍‌ରେ ଲିଓନେଲ ମେସି ୨ଟି ଗୋଲ୍  ଦେଇ ଆର୍ଜେଣ୍ଟିନାକୁ ବିଶ୍ଵ ଚାମ୍ପିଅନ କରାଇବାରେ ଗୁରୁତ୍ଵପୂର୍ଣ୍ଣ ଭୂମିକା ନିର୍ବାହ କରିଛନ୍ତି। ଡିଏଗୋ ମାରାଡୋନାଙ୍କ ପରି ମେସି ଦଳର ନେତୃତ୍ଵ ନେଇ ଦଳକୁ ବିଶ୍ଵ ବିଜୟୀ କରାଇଛନ୍ତି।  ଏହା ପୂର୍ବରୁ ଆର୍ଜେଣ୍ଟିନା ୧୯୭୮ ଏବଂ ୧୯୮୬ରେ ବିଶ୍ଵ ଚାମ୍ପିଅନ ହୋଇଥିଲା। ଅନ୍ୟପଟେ ଫ୍ରାନ୍ସର ତୃତୀୟ ଫିଫା ବିଶ୍ଵ କପ୍ ଜିତିବା ସ୍ଵପ୍ନ ଧୂଳିସାତ ହୋଇଛି। ମେସିଙ୍କ ଏହା ଶେଷ ବିଶ୍ଵ କପ୍ ଥିଲା। ଫାଇନାଲ୍‌ ମୁକାବିଲାରେ ଲିଓନେଲ୍ ମେସି ୨ଟି ଏବଂ ଡି ମାରିଓ ଗୋଟିଏ ଗୋଲ୍ ଦେଇଛନ୍ତି। ଫ୍ରାନ୍ସ ପକ୍ଷରୁ ଏମ୍ବାପେ ୩ଟି ଗୋଲ୍ ଦେଇ ଥିଲେ ହେଁ ଫ୍ରାନ୍ସକୁ ଚାମ୍ପିଅନ କରାଇ ପାରି ନାହାନ୍ତି। ବିଶ୍ଵ କପ୍ ଇତିହାସରେ ଏମ୍ବାପେ ପ୍ରଥମ ଖେଳାଳି ଭାବେ ହ୍ୟାଟ୍ରିକ ଗୋଲ୍ ଦେବାର ରେକର୍ଡ କରିଛନ୍ତି।

କାତାରର ରାଜଧାନୀ ଦୋହାସ୍ଥିତ ଲୁସେଲ ଷ୍ଟାଡିୟମରେ ଆୟୋଜିତ ଫାଇନାଲ ମ୍ୟାଚରେ ପ୍ରଥମାର୍ଦ୍ଧାରେ ଆର୍ଜେଣ୍ଟିନା ଦୁଇଟି ଗୋଲ୍ ଦେଇଥିବା ବେଳେ ଦ୍ଵିତୀୟାର୍ଦ୍ଧରେ ଫ୍ରାନ୍ସ ଦୁଇଟି ଗୋଲ୍ ଦେଇ ମ୍ୟାଚ୍‌କୁ ବରାବର ସ୍ଥିତିକୁ ଆଣିଥିଲା। ତେବେ ଖେଳର ଅତିରିକ୍ତ ସମୟରେ ମେସି ଗୋଟିଏ ସ୍କୋର ଦେଇଥିବା ବେଳେ ଏମ୍ବାପେ ଗୋଲ୍ ଦେଇ ମ୍ୟାଚ୍‌କୁ ପୁଣି ଥରେ ୩-୩ ସମାନ ସ୍ଥିତିକୁ ଆଣିଥିଲେ। ଅତିରିକ୍ତ ସମୟରେ ମ୍ୟାଚ୍ ବରବାର ରହିବାରୁ ପେନାଲ୍ଟି ସୁଟଆଉଟ୍‌ର ସାହାରା ନିଆଯାଇଥିଲା। ଆଉ ଫିଫା ବିଶ୍ଵ କପ୍ ଇତିହାସରେ ତୃତୀୟ ଥର ପେନାଲ୍ଟି ସୁଟଆଉଟ୍‌ ଜରିଆରେ ମ୍ୟାଚ୍‌ର ଫଳାଫଳ ବାହାରିଛି। ପେନାଲ୍ଟି ସୁଟଆଉଟ୍‌ରେ ଆର୍ଜେଣ୍ଟିନା ଫ୍ରାନ୍ସକୁ ୪-୨ରେ ମାତ୍ ଦେଇ ତୃତୀୟ ଥର ବିଶ୍ଵ ଚାମ୍ପିଅନ ଆଖ୍ୟା ଅର୍ଜନ କରିଛି। ବିଶେଷ  କରି ଆର୍ଜେଣ୍ଟିନାର ଗୋଲ୍ କିପର ଫ୍ରାନ୍ସର ଦୁଇଟି ପେନାଲଟି ଅଟକାଇ ଆର୍ଜେଣ୍ଟିନାର ବିଶ୍ଵ କପ୍ ଜିତିବା ସ୍ଵପ୍ନକୁ ସାକାର କରିବାରେ ମହତ୍ଵପୂର୍ଣ୍ଣ ଯୋଗଦାନ ଦେଇଛନ୍ତି।

କାତାରରେ ଖେଳାଯାଇଥିବା ବିଶ୍ଵ କପ୍‌ ଫାଇନାଲ୍‌ ଟୁର୍ଣ୍ଣାମେଣ୍ଟ ଇତିହାସରେ ସବୁଠୁ ରୋମାଞ୍ଚକର ଫାଇନାଲ୍ ରହିଛି। ପ୍ରଥମାର୍ଦ୍ଧରେ ଆର୍ଜେଣ୍ଟିନା ଆକ୍ରମଣାତ୍ମକ ଖେଳି ଫ୍ରାନ୍ସ ଉପରେ ଚାପ ପକାଇବାରେ ସଫଳ ହୋଇଥିଲା। ୨୩ତମ ମିନିଟ୍‌ରେ ମିଳିଥିବା ପେନାଲ୍‌ଟିକୁ ମେସି ଗୋଲ୍‌ କରିବାରେ କୌଣସି ତ୍ରୁଟି କରିନଥିଲେ ଏବଂ ଆର୍ଜେଣ୍ଟିନାକୁ ୧-୦ରେ ଅଗ୍ରଣୀ କରାଇଥିଲେ। ପୁଣି ୩୬ତମ ନିନିଟ୍‌ରେ ମେସି ଆଲଭାରେଜକୁ ପାସ୍ ଦେଇଥିଲେ। ଆଉ ଆଲଭାରେଜ୍‌ଙ୍କଠୁ ପାସ୍ ପାଇ ଡି ମାରିଓ ୩୬ତମ ମିନିଟ୍‌ରେ ଦମଦାର ଗୋଲ୍ ଦେଇ ଆର୍ଜେଣ୍ଟିନାକୁ ୨-୦ରେ ଅଗ୍ରଣୀ କରାଇଥିଲେ। ପ୍ରଥମାର୍ଦ୍ଧରେ ଆର୍ଜେଣ୍ଟିନା ଘନ ଘନ ଗୋଲ୍ ପୋଷ୍ଟକୁ ଆକ୍ରମଣ କରି ଫ୍ରାନ୍ସ ଉପରେ ଚାପ ପକାଇଥିବା ସହ ଅଗ୍ରଣୀକୁ ବଳବତ୍ତର ରଖିଥିଲା।

ତେବେ ଦ୍ଵିତୀୟାର୍ଦ୍ଧରେ ଦୁଇ ଦଳ ମଧ୍ୟରେ ମ୍ୟାଚ୍ କଡା ସଂଘର୍ଷ ହୋଇଥିଲା। ଫ୍ରାନ୍ସ ଗୋଲ୍ ଦେବାକୁ ଚେଷ୍ଟା କରିଥିଲେ ମଧ୍ୟ ଆର୍ଜେଣ୍ଟିନାର ଡିଫେଣ୍ଡରକୁ ଭେଦ କରି ପାରିନଥିଲା। ତେବେ ଦଳର ଷ୍ଟାର ଖେଳାଳି ଏମ୍ବାପେ ୭୯ତମ ମିନିଟ୍‌ରେ ଚମତ୍କାର ଗୋଲ୍‌ ଦେଇ ମ୍ୟାଚ୍‌ର ଫ୍ରାନ୍ସକୁ ପ୍ରତ୍ୟାବର୍ତ୍ତନ କରାଇଥିଲେ। ପୁଣି ଏହାର ଦୁଇ ମିନିଟ୍ ଅର୍ଥାତ ୮୧ତମ ମିନିଟ୍‌ରେ ଏମ୍ବାପେ ଆର୍ଜେଣ୍ଟିନାର ଡିଫେଣ୍ଡରଙ୍କୁ ଚକମା ଦେଇ ଦ୍ଵିତୀୟ ଗୋଲ୍ ଦେଇ ମ୍ୟାଚ୍‌କୁ ୨-୨ ବରାବର ସ୍ଥିତିକୁ ଆଣିଥିଲେ। ବିଶେଷ କରି ଦ୍ଵିତୀୟାର୍ଦ୍ଧର ଶେଷ ୧୫ ମିନିଟ୍‌ରେ ଫ୍ରାନ୍ସ ଆକ୍ରମଣାତ୍ମକ ଖେଳ ଖେଳି ଆର୍ଜେଣ୍ଟିନାକୁ ଚାପରେ ରଖିବାରେ ସଫଳ ହୋଇଥିଲା। ନିର୍ଦ୍ଧାରିତ ସମୟରେ ମ୍ୟାଚ୍‌ ବରାବର ହେବାରୁ ଅତିରିକ୍ତ ସମୟରେ ମେସି ଦ୍ଵିତୀୟ ଗୋଲ୍ ଦେଇ ଆର୍ଜେଣ୍ଟିନାକୁ ୩-୨ରେ ଅଗ୍ରଣୀ କରାଇଥିଲେ। ତେବେ ଫ୍ରାନ୍ସ ପାଲଟା ଜବାବ ଦେଇ ଦଳ ପକ୍ଷରୁ ଏମ୍ବାପେ ହ୍ୟାଟ୍ରିକ ଗୋଲ୍ ଦେଇ ମ୍ୟାଚ୍‌କୁ ପୁଣି ଥରେ ୩-୩ ବରାବର ସ୍ଥିତିକୁ ଆଣିଥିଲେ। ପୁଣି ମିଳିଥିବା ଅତିରିକ୍ତ ସମୟରେ କୌଣସି ଗୋଲ୍ ନହେବାରୁ ମ୍ୟାଚ୍ ସମାନ ସ୍ଥିତିରେ ରହିବାରୁ ପେନାଲ୍‌ଟି ସୁଟଆଉଟ୍‌ର ସାହାରା ନିଆଯାଇଥିଲା। ଆଉ ଏଥିରେ ୪-୨ରେ ବାଜି ମାରିଛି ଆର୍ଜେଣ୍ଟିନା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.