କ'ଣ ମଦ ପିଉଥିବା ଭାରତୀୟ ସୈନିକ ହିନ୍ଦୁସ୍ତାନୀ ନୁହଁନ୍ତି, ସେମାନେ କ'ଣ ମହାପାପୀ ? ନୀତିଶଙ୍କ ମହାପାପୀ ମନ୍ତବ୍ୟରେ ତେଜସ୍ୱୀଙ୍କ କଟାକ୍ଷ

Published By : Prameya-News7 Bureau | April 01, 2022 IST

ପଟନା: ବିହାରରେ ମଦ ମୃତ୍ୟୁ ଘଟଣାକୁ ରୋକିବାରେ ଅସମର୍ଥ ବିହାରର ନୀତିଶ ସରକାର। ଯେତେ କଡ଼ା ଆଇନକାନୁନ କଲେ ବିଷାକ୍ତ ମଦ ପିଇ ଲୋକଙ୍କର ମୃତ୍ୟୁ ହୋଇଛି। ଏଥିରେ ଥକିଯାଇ ଶେଷରେ ମଦ ପିଇବା ମହାପାପ ବୋଲି କହିଛନ୍ତି ନୀତିଶ। ମହାପାପୀମାନେ ମଦ ପିଅନ୍ତି ଓ ମୁଁ ସେମାନଙ୍କୁ ଭାରତୀୟ ମାନେନି ବୋଲି ଗତକାଲି କହିଥିଲେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର।

ଆଜି ତାଙ୍କର ଏହି ମହାପାପୀ ମନ୍ତବ୍ୟ ଉପରେ ଆଶ୍ଚର୍ଯ୍ୟ ହୋଇ କଟାକ୍ଷ କରିଛନ୍ତି ଆର୍‌ଡେଜି ମୁଖ୍ୟ ତେଜସ୍ୱୀ ଯାଦବ। ସେ କହିଛନ୍ତି ଭାରତୀୟ ସେନା ବି ମଦ ପିଅନ୍ତି, କଣ ସେମାନେ ସମସ୍ତେ ମହାପାପୀ ?  

ତେଜସ୍ୱୀ କହିଛନ୍ତି ” ମଦ ପିଉଥିବା ଲୋକ ମହାପାପୀ ମହା ଅଯୋଗ୍ୟ। ମଦ ପିଉଥିବା ଲୋକମାନେ ହିନ୍ଦୁସ୍ତାନୀ ନୁହଁନ୍ତି। ନୀତିଶ କୁମାରଙ୍କର ଏହି ତର୍କ ଅନୁସାରେ ତ ମଦ ପିଇଥିବା ଭାରତୀୟ ସେନା ବି ହିନ୍ଦୁସ୍ତାନୀ ନୁହଁନ୍ତି। ବିହାରରେ ରକ୍ତର ନଦୀ ବୁହାଉଥିବା ଦୁର୍ଦାନ୍ତ ଅପରାଧି ଓ ଭ୍ରଷ୍ଟାଚାରୀମାନେ ମହାଅଯୋଗ୍ୟ ଓ ମହାପାପୀ ନୁହଁନ୍ତି କିନ୍ତୁ ମଦୁଆ ମହାପାପୀ।”

ଗତକାଲି ବିଧାନସଭାର ମଦବନ୍ଦ ନେଇ ଏକ ସଂସୋଧିତ ବିଧେୟକ ପାରିତ ହେବା ସମୟରେ ନୀତିଶ କୁମାର ଏପରି ଅଜବ ବୟାନ ଦେଇଥିଲେ। ଏହାର ଭିଡିଓକୁ ଟ୍ୱିଟ୍ କରି ଆଜି ନୀତିଶଙ୍କ ବାୟନ ଉପରେ ଏପରି କଟାକ୍ଷ କରିଛନ୍ତି ତେଜସ୍ୱୀ ଯାଦବ।
ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ନୀତିଶକୁ କ୍ଲାନ୍ତ ଓ ପରାଜିତ ବୋଲି କହି ଟ୍ୱିଟ୍ କରିଥିଲେ ତେଜସ୍ୱୀ। ବିଜେପି ମଧ୍ୟ ନୀତିଶଙ୍କର ଏହି ଅବସ୍ଥାକୁ ଜାଣିସାରିଲାଣି ବୋଲି ତେଜସ୍ୱୀ କହିଥିଲେ।    

ବୁଧବାର ବିହାର ବିଧାନସଭାରେ ବନ୍ଦ ବନ୍ଦ ସଂଶୋଧନ ବିଧେୟକ ପାରିତ ହୋଇଛି। ଏଥିରେ ମଦ ପିଇ ପ୍ରଥମ ଥର ଧରାପଡ଼ିବା ପରେ ବ୍ୟକ୍ତିଙ୍କୁ ଜୋରିମାନ ଦେଇ ଛାଡ଼ିଦିଆଯିବ ସହିତ ଅନ୍ୟାନ୍ୟ ନିୟମ ରହିଛି। ଏହି ବିଧେୟକ ପାରିତ ହେବା ସମୟରେ ବିରୋଧୀମାନେ ପ୍ରବଳ ହଟ୍ଟୋଗୋଳ କରୁଥିଲେ। ଏତିକି ବେଳେ ନୀତିଶ କୁମାର ଏଭଳି ମନ୍ତବ୍ୟ ଦେଇଥିଲେ।

ନୀତିଶ କହିଥିଲେ “ଯେଉଁମାନେ ମଦ ପିଅନ୍ତି ଓ ବାପୁଙ୍କ ଭାବନାକୁ ସମ୍ମାନ କରନ୍ତି ନାହିଁ ସେମାନଙ୍କୁ ମୁଁ ହିନ୍ଦୁସ୍ତାନୀ ବୋଲି ମାନେ ନାହିଁ। ଏମିତି କରୁଥିବା ବ୍ୟକ୍ତି ମହାପାପୀ ଓ ମହାଅଯୋଗ୍ୟ। ମଦ ପିଇବା ଆଦୌ ଭଲ ନୁହେଁ। ଯେଉଁମାନେ ଏହି ତର୍କ ଦିଅନ୍ତି ଯେ ମଦ ବନ୍ଦ ହେବା ଦ୍ୱାରା ରାଜସ୍ୱ ହାନୀ ହୋଇଥାଏ, ଏହା ଭୁଲ। ପ୍ରଥମେ ଯେତେବେଳେ ମଦ ବିକ୍ରି ହେଉଥିଲା ସେତେବେଳେ ରାଜ୍ୟକୁ ୫ ହଜାର କୋଟି ରାଜସ୍ୱ ମିଳୁଥିଲା। ଏବେ ମଦ ବନ୍ଦ ହେବା ପରେ ଲୋକଙ୍କୁ ବହୁତ ଲାଭ ମିଳିଛି। ”

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.