ଆମେରିକାର ପ୍ରଯୁକ୍ତିବିଦ୍ୟାରେ ସଜ୍ଜିତ ରୁଷ୍‌ର ଅସ୍ତ୍ରଶସ୍ତ୍ର ? ରିପୋର୍ଟରେ ଆଶ୍ଚର୍ଯ୍ୟକର ଖୁଲାସା

Published By : Prameya-News7 Bureau | July 05, 2025 IST

ନୂଆଦିଲ୍ଲୀ : ରୁଷ୍‌ - ୟୁକ୍ରେନ୍‌ ମଧ୍ୟରେ ଜାରି ଯୁଦ୍ଧକୁ ତିନି ବର୍ଷ ବିତି ସାରିଛି, ଏବଂ ଆମେରିକା ସମେତ ପାଶ୍ଚାତ ଦେଶ ଗୁଡ଼ିକ ରୁଷ୍‌ ଉପରେ ଖୁବ୍‌ ପ୍ରତିବନ୍ଧକ ଲଗାଇ ରଖିଛନ୍ତି। ଏହା ସତ୍ତ୍ୱେ ଏବେ ଏକ ନୂଆ ରିପୋର୍ଟ ପୂରା ଦୁନିଆକୁ ଆଶ୍ଚର୍ଯ୍ୟ କରି ଦେଇଛି। ଏହି ରିପୋର୍ଟ ଇଣ୍ଟରନ୍ୟାସନାଲ ପାର୍ଟନରସିପ୍‌ ଫର୍‌ ହ୍ୟୁମାନ ରାଇଟ୍ସ ( ଆଇପିଏଚ୍‌ଆର), ଇଣ୍ଡିପେଣ୍ଡେଣ୍ଟ ଆଣ୍ଟି କରପ୍ସନ କମିଶନ ( ଏନଏକେଓ) ଓ ମିଡ଼ିଆ ସଙ୍ଗଠନ ହଣ୍ଟରବୁକ୍‌ ମିଶି ପ୍ରସ୍ତୁତ କରିଛନ୍ତି।

ରିପୋର୍ଟରେ ଦାବି କରାଯାଇଛି ଯେ , ରୁଷୀୟ ଫାଇଟର ଜେଟ୍ସ ଓ ଅସ୍ତ୍ରଶସ୍ତ୍ରରେ ଆଜି ବି ଆମେରିକୀୟ କମ୍ପାନୀମାନଙ୍କ ଦ୍ୱାରା ନିର୍ମିତ ଉପକରଣ ବ୍ୟବହୃତ ହେଉଛି। ତାହା ବି ଏମିତି ରାସ୍ତାରେ ଯାହା ଉପରେ କାହାର ଧ୍ୟାନ ଯାଇ ନାହିଁ। ରିପୋର୍ଟରେ ଏହି କଥାର ଖୁଲାସା ହୋଇଛି ଯେ, କେମିତି ଏହି ପାର୍ଟସ୍‌ ୩ୟ ଦେଶ ମାଧ୍ୟମରେ ରୁଷ୍‌ ପର୍ଯ୍ୟନ୍ତ ପହଞ୍ଚୁଛି । ତ କେମିତି ପାର୍‌ କରାଯାଉଛି ଏହି ପ୍ରତିବନ୍ଧକର ପାଚେରୀ ? କିଏ ଏହି ଗୋପନ ସପ୍ଲାଇ ରୁଟ୍‌ର ଖେଳାଳିମାନେ ?

ଉଲ୍ଲେଖନୀୟ ଯେ, ୟୁକ୍ରେନ ଉପରେ ହମଲା ପରେ ଆମେରିକା ଓ ଏହାର ସହଯୋଗ ଦେଶମାନେ କଡ଼ା ଆଭିମୁଖ୍ୟ ଆପଣାଇ ଥିଲେ । ରୁଷ୍‌ ଉପରେ ବ୍ୟବସାୟିକ ଓ ପ୍ରଯୁକ୍ତିବିଦ୍ୟାର ପ୍ରତିବନ୍ଧକ ପାଚେରୀ ଠିଆ କରାଇ ଦେଇ ଥିଲେ। କିନ୍ତୁ ଏବେ ଏହି ରିପୋର୍ଟରେ ଦାବି କରାଯାଇଛି ଯେ, ରୁଷ୍‌ ଇଣ୍ଟରମିଡିଏଟ୍‌ ଟ୍ରେଡ୍‌ ରୁଟ୍ସ ଅର୍ଥାତ୍ ୩ୟ ଦେଶ ଗୁଡ଼ିକ ମାଧ୍ୟମରେ ପାଶ୍ଚାତ ଟେକନିକ୍‌ ହାସଲ କରିବା ଜାରି ରହିଛି। ଏହି କାରଣରୁ ରୁଷ୍‌ର ଫାଇଟର ଜେଟ୍ସ ଓ ମିସାଇଲ ସିଷ୍ଟମରେ ଏବେ ବି ଆମେରିକୀୟ କମ୍ପାନୀ ଗୁଡ଼ିକର ଇଲେକ୍ଟ୍ରୋନିକ୍‌ କମ୍ପୋନେଣ୍ଟସ ମିଳୁଛି।

ରିପୋର୍ଟରେ ଏହା ମଧ୍ୟ ସ୍ପଷ୍ଟ କରାଯାଇଛି ଯେ, ଏହି ଆମେରିକୀୟ କମ୍ପାନୀଗୁଡ଼ିକ ପକ୍ଷରୁ ଜାଣିଶୁଣି କୌଣସି ବେଆଇନ କାମ କରାଯାଇ ନାହିଁ। ଏହି ପାର୍ଟ୍ସ ଅନେକ ସମୟରେ ଅନେକ ହାତ ଓ ଦେଶ ମଧ୍ୟଦେଇ ରୁଷ୍‌ରେ ପହଞ୍ଚି ଥାଏ , ଯେଉଁଥିରେ କମ୍ପାନୀ ଗୁଡ଼ିକୁ ନିଜେ ବି ଜାଣିପାରନ୍ତି ନାହିଁ ଯେ, ତାଙ୍କର ଜିନିଷ କୁଆଡ଼େ ଯାଉଛି।

ଆଜିକା ସମୟରେ ବୈଶ୍ୱିକ ସପ୍ଲାଇ ଚେନ୍‌ ଏତେ ଜଟିଳ ଓ ପ୍ରସାର ହୋଇ ଗଲାଣି ଯେ ,ଏହା ଜାଣିବା ମୁସ୍କିଲ ହୋଇଯାଏ ଯେ , ଗୋଟେ ଛୋଟ ଚିପ୍ ବା ସାର୍କିଟ୍‌ କାହା ହାତକୁ ଯାଇଛି। ରିପୋର୍ଟରେ କୁହାଯାଇଛି ଯେ, ରୁଷ୍‌ ଅନେକ ଛୋଟ ଏସୀୟ ଓ ମଧ୍ୟ ଏସୀୟ ଦେଶ ଗୁଡ଼ିକ ମାଧ୍ୟମରେ ଏହି ପାର୍ଟ୍ସକୁ ମଗାଇବାର ନେଟୱର୍କ ତିଆରି କରିଛି,ଯେଉଁଥିରେ ଆମେରିକୀୟ ପ୍ରତିବନ୍ଧକର ସିଧା ଉଲ୍ଲଂଘନ ତ ହୋଇ ନାହିଁ , କିନ୍ତୁ ଉଦ୍ଦେଶ୍ୟ ଏଠାରେ ପୂରା ହୋଇଯାଉଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.