ହାର୍ଦ୍ଦିକ ପଟେଲଙ୍କ ନିଖୋଜ, ଜାନୁଆରୀ ୧୮ରୁ ତାଙ୍କ ପତ୍ତା ମିଳୁନି: ଅଭିଯୋଗ ଆଣିଲେ ପଟିଦାର ନେତାଙ୍କ ପତ୍ନୀ

Published By : Prameya-News7 Bureau | February 10, 2020 IST

ଅହମ୍ମଦାବାଦ ୧୦/୦୨- ହାର୍ଦ୍ଦିକ ପଟେଲଙ୍କ ପତ୍ତା ମିଳୁନି। ଜାନୁଆରୀ ୧୮ ତାରିଖରୁ ତାଙ୍କ ସଂପର୍କରେ କିଛି ଖବର  ମଧ୍ୟ ପାଉନାହାନ୍ତି ତାଙ୍କ ପରିବାର । ଏପରି ଅଭିଯୋଗ କରିଛନ୍ତି ପଟିଦାର ଆନ୍ଦୋଳନର ନେତା ତଥା ଗୁଜୁରାଟ କଂଗ୍ରେସର  ସଦସ୍ୟ ହାର୍ଦ୍ଦିକ ପଟେଲଙ୍କ ପତ୍ନୀ କିଞ୍ଜଲ। ପଟିଦାରଙ୍କ ଏକ ସଭାରେ ହାର୍ଦ୍ଦିକ ପଟେଲଙ୍କ ସ୍ତ୍ରୀ ଏପରି ଅଭିଯୋଗ କରିବା ବେଳେ ପୋଲିସ ଏବଂ କିଛି ଅଦୃଶ୍ୟ ପ୍ରଭାବୀଙ୍କ ଉପରକୁ ଅଙ୍ଗୁଳି ଉଠାଇଛନ୍ତି ।

 ସୋମବାର ସଭାରେ ହାର୍ଦ୍ଦିକ ପଟେଲଙ୍କ ସ୍ତ୍ରୀ କିଞ୍ଜଲ କରିଛନ୍ତି ଏପରି ସଙ୍ଗୀନ ଅଭିଯୋଗ । ସେ କହିଚନ୍ତି, ଜାନୁଆରୀ ୧୮ ତାରିଖରେ ହାର୍ଦ୍ଦିକଙ୍କୁ ୨୦୧୫ ର ଏକ ଦେଶ ଦ୍ରୋହ ମାମଲାରେ ପୋଲିସ ଗିରଫ କରିଥିଲା ।ସେବେଠୁ ତାଙ୍କ ବିଷୟରେ ପରିବାର ଲୋକେ ବି କିଛି ଜାଣି ପାରୁନାହାନ୍ତି । ପଟିଦାର କୋଟା ଆନ୍ଦୋଳନର ଏକ ମାମଲାରେ କୋର୍ଟରେ ହାଜର ନହେବା କାରଣରୁ ହାର୍ଦ୍ଦିକ ପଟେଲଙ୍କ ନାମରେ ଜାମିନ ବିହୀନ ଗିରଫ ପରୱାନା ଜାରି ହୋଇଥିଲା । ତେଣୁ ହାର୍ଦ୍ଦିକ ଆତ୍ମସମର୍ପଣ କରିବାକୁ ଯିବା ମାତ୍ରେ ପୋଲିସ ତାଙ୍କୁ ଗିରଫ କରିନେଇଥିଲା ।ତେବେ ଏହାର ୪ ଦିନ ପରେ ହାର୍ଦ୍ଦିକଙ୍କୁ କୋର୍ଟ ଜାମିନ ମଞ୍ଜୁର କରିଥିଲେ । କିନ୍ତୁ ପୋଲିସ ତାଙ୍କୁ ପଟଣା ଏବଂ ଗାନ୍ଧିନଗର ଜିଲ୍ଲାର ଅନ୍ୟ ଦୁଇଟି ମାମଲାରେ ଗିରଫ କରିନେଇଥିଲା । ଜାନୁଆରୀ ୨୪ ତାରିଖରେ ହାର୍ଦ୍ଦିକଙ୍କୁ ସେହି ଦୁଇ ମାମଲାରେ ମଧ୍ୟ ଜାମିନ ମିଳିଥିଲା । କିନ୍ତୁ ପୁଣି  ପୋଲିସ ତାଙ୍କୁ ଅଟକାଇଦେଲା ।ଫେବୃଆରୀ ୭ ତାରିଖରେ ଏକ ଅଦାଲତ ପୁଣି  ଏକ ମାମଲାରେ  ହାର୍ଦ୍ଦିକ ପଟେଲଙ୍କ ନାମରେ  ଜାମିନ ବିହିନ ପରୱାନା ଜାରି କଲେ ।

ଜାନୁଆରୀ ୧୮ ରୁ ହିଁ ହାର୍ଦ୍ଦିକଙ୍କ ପରିବାର ତାଙ୍କର ସ୍ଥିତି ନେଇ କିଛି ଜାଣିପାରୁନାହାନ୍ତି । ହାର୍ଦ୍ଦିକଙ୍କ ସ୍ତ୍ରୀ କିଞ୍ଜଲ ଏହା ପ୍ରକାଶ କରିବାବେଳେ କହିଛନ୍ତି, ପୋଲିସ କିନ୍ତୁ ପ୍ରତିଦିନ ତାଙ୍କ ଘରକୁ ଆସି  ଓଲଟା ହାର୍ଦ୍ଦିକଙ୍କ ସଂପର୍କରେ ପଚାରୁଛି ।ତାଙ୍କ ସ୍ଥିତି ନେଇ ପ୍ରଶ୍ନ କରୁଛି।    

 ୨୦୧୫ ରେ ହାର୍ଦ୍ଦିକ ପଟେଲ ପଟିଦାର ଆନ୍ଦୋଳନର ନେତୃତ୍ବ ନେବାଠାରୁ ପୋଲିସ ଗୁଜୁରାଟର ବିଭିନ୍ନ ସ୍ଥାନରେ ତାଙ୍କ ନାମରେ ୨୦ ପାଖାପାଖି ମାମଲା ରୁଜ୍ଜୁ କରିଛି ।  ହାର୍ଦ୍ଦିକଙ୍କ ସ୍ଥିତି ନେଇ ତାଙ୍କ ପରିବାର ପାଖରେ ଖବର ନଥିବା ବେଳେ, ଏପଟେ ପଟିଦାର ମାନେ ୨୦୧୫ ପରେ ଏବଂ ୨୦୧୭ ଗୁଜୁରାଟ ନିର୍ବାଚନ ପୂର୍ବରୁ ପଟିଦାର ନେତା ଏବଂ ସଂପ୍ରଦାୟ ବିରୋଧରେ ରୁଜ୍ଜୁ ପ୍ରାୟ ୧୫ ଶହ ମାମଲାର ପ୍ରତ୍ୟାହାର ଲାଗି ସୋମବାର ବୈଠକରେ ଦାବି କରିଛନ୍ତି ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.