ସ୍ଵାମୀ ସହ ରାଜଧାନୀରେ ବିଳାସପୂର୍ଣ୍ଣ ଜୀବନ ବିତାଉଥିଲା ଅର୍ଚ୍ଚନା, ଗାଁରେ ଦୟନୀୟ ସ୍ଥିତିରେ ଶାଶୂ-ଶ୍ଵଶୁର

Published By : Prameya-News7 Bureau | October 08, 2022 IST

ବାଲେଶ୍ଵର/ଜଳେଶ୍ଵର: ଲୋକଙ୍କୁ ବିଭିନ୍ନ ଆଳରେ ବ୍ଲାକମେଲିଂ କରି ଚର୍ଚ୍ଚାରେ ଥିବା ଅର୍ଚ୍ଚନା ନାଗକୁ ନେଇ ଏବେ ଚର୍ଚ୍ଚାରେ ବାଲେଶ୍ଵର ଜିଲ୍ଲା।  ଅର୍ଚ୍ଚନା ଶାଶୂଘର ଅର୍ଥାତ ସ୍ଵାମୀ ଜଗବନ୍ଧୁ ଚନ୍ଦଙ୍କ ଘର ବାଲେଶ୍ଵର ଜିଲ୍ଲା ଜଳେଶ୍ବର ବ୍ଲକ ନେତୁଆ ପଞ୍ଚାୟତ ଅନ୍ତର୍ଗତ ବାଉଁଶବଣୀ ଗ୍ରାମରେ। ଗାଁରେ ନିଜ ବାପା-ମାଆ ଦୟନୀୟ ସ୍ଥିତିରେ ରହୁଥିବା ବେଳେ ପୁଅ ଜଗବନ୍ଧୁ ସ୍ତ୍ରୀ ସହ ରାଜଧାନୀ ଭୁବନେଶ୍ଵରରେ ବିତାଉଥିଲା ବିଳାସମୟ ଜୀବନ। ଅର୍ଚ୍ଚନା ଗିରଫ ହେବା ପରେ ବାଲେଶ୍ଵର ଜିଲ୍ଲାରେ ଆଉ କେହି ଜଗବନ୍ଧୁ କିମ୍ବା ଅର୍ଚ୍ଚନାଙ୍କ ଗ୍ୟାଙ୍ଗରେ ଅଛନ୍ତି କି ନାହିଁ ତାହାକୁ ନେଇ ଚର୍ଚ୍ଚା ଜୋର ଧରିଛି।

ଜଗବନ୍ଧୁ ସ୍ତ୍ରୀ ଅର୍ଚ୍ଚନାଙ୍କ ସହ ବିଳାସବ୍ୟସନରେ ଦିନ କାଟୁଥିଲେ। ରହୁଥିଲେ ଆଲିସାନ ଘରେ। ଦାମୀ ଦାମୀ ଗାଡ଼ି ଚଢୁଥିଲେ। ମାତ୍ର ନିଜ ଘରର ଆର୍ଥିକ ସ୍ଥିତି ଦେଖିଲେ କେହି ବି ବିଶ୍ଵାସ କରିବେନି ଯେ ଗାଁରେ ଘର ଲୋକ ଏମିତି ଦୟନୀୟ ଅବସ୍ଥାରେ ଜୀବନ ବିତାଉଛନ୍ତି। ଜଗବନ୍ଧୁଙ୍କ ବାପା ଶଶାଙ୍କ ଜଣେ ଚାଷୀ। ବଡ଼ ଭାଇ ବୈକୁଣ୍ଠ ପରିବାର ଚଳାଇବା ପାଇଁ ଏକ ସଂସ୍ଥାରେ କାମ କରନ୍ତି। ଆଜବେଷ୍ଟସ ଘରେ ସେମାନେ ଦୟନୀୟ ଭାବେ ଦିନ କାଟୁଥିବା ବେଳେ ପୁଅ ଜଗବନ୍ଧୁ କିନ୍ତୁ ସ୍ତ୍ରୀ ଅର୍ଚ୍ଚିତା ସହ ସୌଖୀନ ଜୀବନ ବିତାଉଥିଲେ।

ଅର୍ଚ୍ଚନା ଏବଂ ଜଗବନ୍ଧୁଙ୍କ ହୋଇଥିଲା ପ୍ରେମ ବିବାହ

ଅର୍ଚ୍ଚନାଙ୍କ ଘର ହେଉଛି ଭବାନୀପାଟଣା।  ପ୍ରାୟ ୪ ବର୍ଷ ତଳେ ଜଳେଶ୍ଵର ବ୍ଲକ ଅନ୍ତର୍ଗତ ନେତୁଆ ପଂଚାୟତର ବାଉଁଶବଣି ଗ୍ରାମର ଶଶାଙ୍କ ଚନ୍ଦଙ୍କ ସାନ ପୁଅ ଜଗବନ୍ଧୁ ଙ୍କୁ (୩୦)ପ୍ରେମ କରିବା ପରେ ବିବାହ କରିଥିଲେ। ଜଗବନ୍ଧୁ ସେତେବେଳେ ଭୁବନେଶ୍ବରର ଏକ ହୋଟେଲରେ କାମ କରୁଥିଲେ। ସେ କମାରଶାଳିଆ ଉଚ୍ଚ ବିଦ୍ୟାଳୟରୁ ମ୍ୟାଟ୍ରିକ ପାସ କରିବା ପରେ ଦୀନକୃଷ୍ଣ ମହାବିଦ୍ୟାଳୟରୁ ସ୍ନାତକରେ ଡିଗ୍ରୀ ଲାଭ କରିଥିଲେ। ଚାକିରୀ ଆଶାରେ ଭୁବନେଶ୍ୱର ଯାଇ ଏକ ହୋଟେଲରେ କାମ କରୁଥିବା ସମୟରେ ଅର୍ଚ୍ଚନା ସହିତ ତାଙ୍କର ପ୍ରଥମେ ପରିଚୟ ହୋଇଥିଲା। ପରେ ଉଭୟଙ୍କ ମଧ୍ୟରେ ପ୍ରେମ ସଂପର୍କ ଗଢି ଉଠିଥିଲା। ଶେଷରେ ସେମାନଙ୍କର ବିବାହ ହୋଇଥିଲା। ଏହା ପରେ ଅର୍ଚ୍ଚନା ଜଗବନ୍ଧୁଙ୍କୁ ନିଜ ବାପା-ମାଆଙ୍କଠୁ ଅଲଗା କରି ଦେଇଥିଲା।  ଏବେ ସେମାନଙ୍କ ଏକ  ୩ ବର୍ଷ ବୟସର ଏକ ପୁଅ ରହିଛି।

ଜଗବନ୍ଧୁଙ୍କ ବଡ ଭାଇ ବୈକୁଣ୍ଠ ବାଲେଶ୍ବର ଠାରେ ଏକ ଟ୍ରାକ୍ଟର ସୋ ରୁମରେ ପ୍ରଥମେ କାମ କରୁଥିବା ବେଳେ ପରବର୍ତ୍ତୀ ସମୟରେ ସେହି ସୋ ରୁମର ଏକ ଶାଖା ଜଳେଶ୍ବରରେ ଖୋଲିବା ପରେ ସେଠାରେ କାମ କରୁଥିଲେ। ମାତ୍ର ପରବର୍ତ୍ତୀ ସମୟରେ ସେ ମଧ୍ୟ ସେଠାରୁ ଚାକିରୀ ଛାଡି ଦେଇଥିଲେ। ଜଗବନ୍ଧୁ ଓ ଅର୍ଚ୍ଚନା ମଝିରେ ମଝିରେ ନିଜର ଗାଁ ବାଉଁଶବଣି ଆସି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ  ଦେଇଥାନ୍ତି। ସେମାନେ ପ୍ରାୟ ଗାଁକୁ ଏକ ଧଳା ରଙ୍ଗର କାର ଓ ଡି ୦୨-ବି ପି -୨୩୨୪ ନଂ କିମ୍ବା ଲାଲ ରଙ୍ଗର କାରରେ ଆସୁଥିଲେ।

୨ବର୍ଷ ତଳେ ଗାଁରେ ହୋଇଥିବା କାଳୀ ପୂଜାରେ ଜଗବନ୍ଧୁ ଭୁବନେଶ୍ଵରରୁ ମେଲୋଡି ଓ ସିନେ କଳାକାର ମାନଙ୍କୁ ନିଜ ଖର୍ଚ୍ଚରେ ଆଣିଥିଲେ ବୋଲି ଗ୍ରାମବାସୀ ମାନେ ପ୍ରକାଶ କରିଛନ୍ତି। ସେହିପରି ମନସା ମାଙ୍କ ପୂଜା ସମୟରେ ଉଭୟ ଗାଁକୁ ଆସିଥିଲେ। ମାତ୍ର କିଛି ଦିନ ପୂର୍ବରୁ ଅର୍ଚ୍ଚନା ଜଗବନ୍ଧୁଙ୍କୁ ଭୁବନେଶ୍ଵର ସ୍ଥିତ ଘରର ଛାତରୁ ଠେଲି ଦେବା ଫଳରେ ତାଙ୍କର ମେରୁଦଣ୍ଡରେ ଶକ୍ତ ଆଘାତ ଲାଗିଥିଲା ବୋଲି ଜଣାପଡିଛି। ମାତ୍ର ପ୍ରାୟ ୬ ମାସ ହେଲା ସେମାନେ ଆଉ ଗାଁକୁ ଆସୁ ନ ଥିଲେ। ଏତେ ଅଳ୍ପ ସମୟ ମଧ୍ୟରେ ଜଗବନ୍ଧୁ ଓ ଅର୍ଚ୍ଚନା କିପରି ଏତେ ସମ୍ପତ୍ତିର ମାଲିକ ହେଲେ, ସେ ସମ୍ପର୍କରେ ଗ୍ରାମବାସୀମାନେ କୌଣସି ତଥ୍ୟ ଦେଇପାରି ନ ଥିଲେ।

ଗ୍ରାମବାସୀଙ୍କ କହିବା କଥା, ପ୍ରାୟ ୧୦ ବର୍ଷ ପୂର୍ବରୁ ଜଗବନ୍ଧୁ ଭୁବନେଶ୍ଵର କାମ କରିବାକୁ ଯାଇଥିଲେ। ସେଠାରେ ସେ କୌଣସି କାମ କରୁଥିଲେ। ପରେ ଅର୍ଚ୍ଚନାକୁ ପ୍ରେମ ବିବାହ କରିଥିଲେ। ପରେ ତାଙ୍କ ଭାଗ୍ୟ ଉଦୟ ହୋଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.