ଅର୍ଚ୍ଚନା ନାଗ ମାମଲା: କେସ ଡାଏରୀ ଦାଖଲ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ
6/01/2023 at 6:11 PM

କଟକ: ବ୍ଲାକମେଲ୍ କୁଇନ ଅର୍ଚ୍ଚନା ନାଗଙ୍କ ପକ୍ଷରୁ ହୋଇଥିବା ଜାମିନ ଆବେଦନର ଆଜି ଶୁଣାଣି କରିଛନ୍ତି ହାଇକୋର୍ଟ। ନ୍ୟାୟାଳୟ କେସ ଡାଏରୀ ଦାଖଲ କରିବାକୁ କୋର୍ଟକୁ ନିର୍ଦ୍ଦେଶ ଦେଇଛନ୍ତି। ଅର୍ଚ୍ଚନା ଏକାଧିକ ମାମଲାରେ ଛନ୍ଦି ହୋଇ ପଡିଛନ୍ତି। ସମସ୍ତ ମାମଲାରେ ଜାମିନ ପାଇବାକୁ ସେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। କିନ୍ତୁ ନୟାପଲ୍ଲୀ ଥାନାରେ ଦାୟର ହୋଇଥିବା ମାମଲା ଉପରେ ଆଜି ହାଇକୋର୍ଟ ଶୁଣାଣି କରିଛନ୍ତି। ଅର୍ଚ୍ଚନା ନାଗ ନାଁରେ ଇଡି ପକ୍ଷରୁ ମାମଲା ରୁଜ୍ଜୁ ହୋଇଥିବା ବେଳେ ଖଣ୍ଡଗିରି ଥାନାରେ ମଧ୍ୟ ଆଉ ଏକ ମାମଲା ଦାୟର ହୋଇଛି।
ଏହା ପୂର୍ବରୁ ଗତକାଲି ଅର୍ଚ୍ଚନାଙ୍କ ସଂପତ୍ତିର ବ୍ୟାଜାପ୍ତି ପ୍ରକ୍ରିୟା ଆରମ୍ଭ ହୋଇଛି। ପଳାଶୁଣି ସତ୍ୟବିହାର ଘର ସିଲ୍ କରିବାକୁ ଅଣ୍ଟା ଭିଡ଼ିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) । ସେଥିପାଇଁ ଇଡିର ଅଧିକାରୀମାନେ ଗୁରୁବାର ଅମିନଙ୍କୁ ନେଇ ଅର୍ଚ୍ଚନାଙ୍କ ଘର ମାପଚୁପ କରିଥିଲେ । ଖୁବ୍ଶୀଘ୍ର ଅର୍ଚ୍ଚନାଙ୍କ ସହଯୋଗୀ ଖଗେଶ୍ୱର ପାତ୍ରଙ୍କ ଘର ସିଲ୍ କରିବାକୁ ଇଡି ଆଗକୁ ବଢ଼ିବ । ଗୁରୁବାର ସକାଳ ୯ଟା ବେଳେ ଇଡିର ଏକ ଟିମ୍ ଯାଇଥିଲା ସତ୍ୟବିହାର । ତାଙ୍କ ସହ ଥିଲେ ସରକାରୀ ଅମିନ । ଅର୍ଚ୍ଚନା ଘର ଓ ଜମି ମପାଯାଇଥିଲା । ଏମାନଙ୍କ ସହ ଏକ ବୈଷୟିକ ଟିମ୍ ମଧ୍ୟ ଥିଲା । ସେଠାରେ ଘର ମୂଲ୍ୟ ଆକଳନ କରାଯାଇଥିଲା । ଅର୍ଚ୍ଚନା ଘର ଓ ଜବତ ହୋଇଥିବା ସମ୍ପତ୍ତି ବାଜ୍ୟାପ୍ତି ପାଇଁ ଇଡି କୋର୍ଟକୁ ଲେଖିଛି ।