ଅର୍ଚ୍ଚନା ନାଗ୍‌ ସମ୍ପତ୍ତି ବାଜ୍ୟାପ୍ତି ପ୍ରକ୍ରିୟା ଆରମ୍ଭ, ଇଡିରେ ହାଜର ହେବେ ଆକାଉଣ୍ଟାଣ୍ଟ

Published By : Prameya-News7 Bureau | January 06, 2023 IST

ଭୁବନେଶ୍ୱର ୦୬/୦୧: ବହୁ ଚର୍ଚ୍ଚିତ ଅର୍ଚ୍ଚନା ନାଗ ମାମଲା ଏବେ ନୂଆ ମୋଡ଼ ନେଇଛି । ଅର୍ଚ୍ଚନାଙ୍କ ପଳାଶୁଣି ସତ୍ୟବିହାର ଘର ସିଲ୍‌ କରିବାକୁ ଅଣ୍ଟା ଭିଡ଼ିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) । ସେଥିପାଇଁ ଇଡିର ଅଧିକାରୀମାନେ ଗୁରୁବାର ଅମିନଙ୍କୁ ନେଇ ଅର୍ଚ୍ଚନାଙ୍କ ଘର ମାପଚୁପ କରିଥିଲେ । ଖୁବ୍‌ଶୀଘ୍ର ଅର୍ଚ୍ଚନାଙ୍କ ସହଯୋଗୀ ଖଗେଶ୍ୱର ପାତ୍ରଙ୍କ ଘର ସିଲ୍‌ କରିବାକୁ ଇଡି ଆଗକୁ ବଢ଼ିବ । ଅନ୍ୟପକ୍ଷରେ ଶୁକ୍ରବାର ଇଡିରେ ହାଜର ହେବେ ଅର୍ଚ୍ଚନାଙ୍କ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ । ଗୁରୁବାର ସକାଳ ୯ଟା ବେଳେ ଇଡିର ଏକ ଟିମ୍‌ ଯାଇଥିଲା ସତ୍ୟବିହାର । ତାଙ୍କ ସହ ଥିଲେ ସରକାରୀ ଅମିନ । ଅର୍ଚ୍ଚନା ଘର ଓ ଜମି ମପାଯାଇଥିଲା । ଏମାନଙ୍କ ସହ ଏକ ବୈଷୟିକ ଟିମ୍‌ ମଧ୍ୟ ଥିଲା । ସେଠାରେ ଘର ମୂଲ୍ୟ ଆକଳନ କରାଯାଇଥିଲା । ଅର୍ଚ୍ଚନା ଘର ଓ ଜବତ ହୋଇଥିବା ସମ୍ପତ୍ତି ବାଜ୍ୟାପ୍ତି ପାଇଁ ଇଡି କୋର୍ଟକୁ ଲେଖିଛି ।

ଆସନ୍ତା ୧୩ ତାରିଖରେ କୋର୍ଟରେ ଏ ବାବଦରେ ଶୁଣାଣି ହେବ । ବାଜ୍ୟାପ୍ତି ବିରୋଧରେ ଅର୍ଚ୍ଚନା ମଧ୍ୟ ତାଙ୍କ ଓକିଲଙ୍କ ଜରିଆରେ କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ସମ୍ପତ୍ତି ବାଜ୍ୟାପ୍ତି କରାଯିବ ନାଁ ନାହିଁ ତାହା ଉପରେ କୋର୍ଟ ନିଷ୍ପତ୍ତି ନେବେ । ସେପଟେ ଆଜି ଇଡିର ଆଉ ଏକ ଦୁଇଜଣିଆ ଟିମ୍‌
ସକାଳ ୧୧ଟା ବେଳେ ପହଞ୍ଚିଥିଲା ଝାରପଡ଼ା ଜେଲ୍‌ରେ । ସେଠାରେ ଖଗେଶ୍ୱରଙ୍କୁ ଜେରା କରାଯାଇଥିଲା ।

ଓଲିଉଡ୍‌ ପ୍ରଯୋଜକ ପ୍ରମୋଦ ସ୍ୱାଇଁ ଓ ଅର୍ଚ୍ଚନା ସହ ହୋଇଥିବା ଟଙ୍କା କାରବାର ବିଷୟରେ ଖଗେଶ୍ୱରଙ୍କୁ ପଚାରିଥିଲା ଇଡି । କାରଣ ପ୍ରମୋଦଙ୍କୁ ବ୍ଲାକ୍‌ମେଲିଂ କରି ଅର୍ଚ୍ଚନା ୩୦ ଲକ୍ଷରୁ ଅଧିକ ଟଙ୍କା ନେଇଥିଲେ । ସେହି ଟଙ୍କାରେ ଅର୍ଚ୍ଚନା ଓ ଖଗେଶ୍ୱର ବ୍ୟବସାୟ ଆରମ୍ଭ କରିଥିଲେ । ସେ ବିଷୟରେ ଦୀର୍ଘ ୪ ଘଣ୍ଟା ଜେରା କରାଯାଇଥିଲା । ଅପରାହ୍ଣ ପ୍ରାୟ ୪ଟାରେ ଉକ୍ତ ଟିମ୍‌ ଜେଲ୍‌ରୁ ବହାରି ଅର୍ଚ୍ଚନା ଘରକୁ ଯାଇଥିଲେ । ସେଠାରେ ଥିବା ଅନ୍ୟ ଟିମ୍‌ ଓ ଅମିନଙ୍କ ସହ ଆଲେଚନା ହୋଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.