ଜଗବନ୍ଧୁଙ୍କୁ ରିମାଣ୍ଡରେ ନେବ ଇଡି, କୋର୍ଟରେ ଅର୍ଚ୍ଚନା ବି ହେବେ ହାଜର
13/12/2022 at 2:33 PM

ଭୁବନେଶ୍ୱର ୧୩।୧୨ : ଅର୍ଚ୍ଚନା ନାଗ ଗିରଫ ମାମଲା । ମଙ୍ଗଳବାର ଦିନ କୋର୍ଟରେ ହାଜର ହେବେ ଜଗବନ୍ଧୁ ଓ ଅର୍ଚ୍ଚନା । ଭୁବନେଶ୍ୱର କୋର୍ଟରେ ଉଭୟଙ୍କ ହାଜର କରିବ ଇଡି । କଡ଼ା ସୁରକ୍ଷା ବଳୟରେ ଯାଉଛନ୍ତି ନାଗ ଦମ୍ପତ୍ତି ।
ଖବର ଅନୁଯାୟୀ, ମଙ୍ଗଳବାର ଅର୍ଚ୍ଚନାଙ୍କ ସ୍ୱାମୀ ଜଗବନ୍ଧୁଙ୍କୁ ରିମାଣ୍ଡରେ ନେବା ପାଇଁ ଆବେଦନ କରିବ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଏହିକ୍ରମରେ ଜଗବନ୍ଧୁଙ୍କୁ କଡ଼ାସୁରକ୍ଷା ବଳୟ ମଧ୍ୟରେ ଝାରପଡ଼ା ଜେଲ୍ରୁ ନେଇଛି ଇଡି । ଜଗବନ୍ଧୁଙ୍କ ଭୁବନେଶ୍ୱର କୋର୍ଟରେ ହାଜର କରାଯିବ । ଜଗବନ୍ଧୁଙ୍କୁ ୧୫ ଦିନିଆ ରିମାଣ୍ଡ ପାଇଁ ଆବେଦନ କରିପାରେ ଇଡି ।
ସେପଟେ ସୋମବାର ଶେଷ ହୋଇଛି ଅର୍ଚ୍ଚନା ନାଗଙ୍କ ସାତ ଦିନିଆ ରିମାଣ୍ଡ ଅବଧି । ଏହି ରିମାଣ୍ଡ ସମୟରେ ଅର୍ଚ୍ଚନା ଇଡିକୁ ସହଯୋଗ କରିନଥିବା ସୂଚନା ମିଳିଛି । ଯାହାକୁ ନେଇ ଅର୍ଚ୍ଚନାଙ୍କୁ ପୁଣି ଥରେ ଆଜି କୋର୍ଟରେ ହାଜର କରିବ ଇଡି । ଏହିପ୍ରରିପେକ୍ଷୀରେ କଡ଼ା ସୁରକ୍ଷା ମଧ୍ୟରେ ଅର୍ଚ୍ଚନାଙ୍କୁ ଇଡି ଅଫିସରୁ କୋର୍ଟକୁ ନିଆଯାଉଛି ।
ସୂଚନାଯୋଗ୍ୟ ଯେ, ଅର୍ଚ୍ଚନା ନାଗଙ୍କ ଆର୍ଥିକ କାରବାର ନେଇ ଯାଞ୍ଚ କରୁଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । କିଛି ଦିନ ତଳେ ଅର୍ଚ୍ଚନାଙ୍କ ବାସଭବନ ଏବଂ ବିଭିନ୍ନ ସ୍ଥାନରେ ଚଢାଉ କରିଥିଲା ଇଡି । ଏଥିରେ ଇଡିକୁ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିଛି ।ଯାହାକୁ ଆଧାର କରି ଅଧିକ ତଦନ୍ତ ଜାରି ରଖିଛି ଇଡି ।