ମନ୍ତ୍ରୀ ଦେଉଥିଲେ ଦାମୀ ଉପହାର, ନେତା ହେଉଥିଲେ ସାଙ୍ଗ: ଅର୍ଚ୍ଚନାଙ୍କ ହାତ ମୁଠାରେ ଏପରି ଚାଲିଥିଲା କଳାସାମ୍ରାଜ୍ୟ

Published By : Prameya-News7 Bureau | October 13, 2022 IST

ଭୁବନେଶ୍ୱର,୧୩/୧୦ : ଅର୍ଚ୍ଚନା ରାଜ୍ୟର ଅଧାରୁ ଅଧିକ ନେତାଙ୍କୁ ନିଜ ଆୟତ୍ତରେ ରଖିଥିଲେ । ଯାହା ଇଚ୍ଛା ତାହା କରୁଥିଲେ । ଏହାରି ଭିତରେ ଆଉ ଏକ ନୂଆ ତଥ୍ୟ ପଦାକୁ ଆସିଛି । ପୁଲିସ୍ ଯେତେବେଳେ ଅର୍ଚ୍ଚନାଘରେ ଚଢ଼ଉ କରିଥିଲା ସେତେବେଳେ ଅର୍ଚ୍ଚନାଙ୍କ ଭ୍ୟାନିଟିରୁ ଏକ ପେନ୍ ଡ୍ରାଇଭ୍ ଜବତ କରିଥିଲା ।

ଏହି ସମୟରେ ପୁଲିସ୍‌ରେ ନଜର ଉକ୍ତ ଭ୍ୟାନିଟି ବ୍ୟାଗ୍ ଉପରେ ପଡିଥିଲା । ବ୍ୟାଗ୍ଟି ଥିଲା ବିଶ୍ୱର ଟପ୍ ବ୍ରାଣ୍ଡ୍ ଭିତରୁ ଗୋଟିଏ । ଯେଉଁ ଭ୍ୟାନିଟିକୁ ଦିବଂଗତ ପ୍ରିନ୍ସେସ୍ ଡାଇନାଙ୍କ ହାତରେ ଦେଖିବାକୁ ମିଳିଥିଲା । ସେ ଭ୍ୟାନିଟି ବ୍ରାଣ୍ଡ୍‌ର ନାଁ ହେଲା ‘ଏଲ୍‌ଭି’ । ଏହି ବ୍ୟାଗ୍ ପୁଲିସ୍ ଦେଖି ଆଖି ତରାଟି ଦେଇଥିଲା । ଭ୍ୟାନିଟି ବ୍ୟାଗ୍ ବିଷୟରେ ପୁଲିସ୍ ତଦନ୍ତ କରି ଜାଣିବାକୁ ପାଇଥିଲା ଜଣେ ପୂର୍ବତନ ମନ୍ତ୍ରୀ ଏହି ଭ୍ୟାନିଟି ବ୍ୟାଗ୍ ଅର୍ଚ୍ଚନାଙ୍କ ଜନ୍ମଦିନରେ ଉପହାର ଦେଇଥିଲେ ।

ଯାହାର ଦାମ ସାଢ଼େ ୩ ଲକ୍ଷ ଟଙ୍କା । କ୍ୟାପଟେନ୍‌ଙ୍କ ଦାମୀ ଉପହାର ପାଇ ଅର୍ଚ୍ଚନା ତାଙ୍କୁ ଉକ୍ତ ଭ୍ୟାନିଟି ବ୍ୟାଗ୍ ସହ ଏକ ସେଲ୍ଫି ଉଠାଇ ପଠାଇବା ସହ ଧନ୍ୟବାଦ ଦେଇଛନ୍ତି । ଏହାର ପ୍ରମାଣ ମଧ୍ୟ ପୁଲିସ୍ ହାତରେ ଲାଗିଛି । ଖାଲି ସେତିକି ନୁହେଁ, ପଟିଆ ଅଞ୍ଚଳରେ ଏକ କଲେଜରେ ଚାକିରି କରିଥିବା ବିକି ଓ ଅର୍ଚ୍ଚନାର ଚାଟିଂ ପୁଲିସ୍କୁ ହରଡ଼ଘଣାରେ ପକାଇଛି । ବିକି ଅର୍ଚ୍ଚନାକୁ କହୁଛନ୍ତି ଏଥର ୪ ଜଣ ଷ୍ଟୁଡେଣ୍ଟ ରାଜି ହୋଇଛନ୍ତି ତାଙ୍କୁ ଦୁଇ-ଚାରି ହଜାର ଅଧିକା ଦେବାକୁ ପଡିବ… । ଅର୍ଚ୍ଚନା ତାଙ୍କୁ ଓକେ ବସ୍ ବୋଲି ଉତ୍ତର ଦେଇଛନ୍ତି ।

ରୂପଜୀବୀଙ୍କୁ ମଡେଲ୍ ବୋଲି ଦର୍ଶାଉଥିଲେ:
ଅର୍ଚ୍ଚନାଙ୍କ ବେଶ୍ ଚତୁର ଥିଲେ । ‘ଏସକର୍ଟ ସର୍ଭିସ୍’ର ଏକାଧିକ ଦଲାଲ୍‌ଙ୍କ ସହ ତାଙ୍କର ବେଶ୍ ବ୍ୟବସାୟିକ ସମ୍ପର୍କ ଥିଲା । ଦଲାଲ୍ଙ୍କ ଜରିଆରେ କିଛି ସୁନ୍ଦରୀ ରୂପଜୀବୀଙ୍କୁ ମଗାଉଥିଲେ । ରୂପଜୀବୀମାନଙ୍କୁ ୬ ମାସ ନ ହେଲେ ବର୍ଷେ ପାଇଁ ଭଡ଼ାସୂତ୍ରରେ ଆଣୁଥିଲେ । ସେମାନଙ୍କୁ ଏକ ଅଜ୍ଞାତ ସ୍ଥାନରେ ରଖିବା ସହ ଖାଇବା ପିଇବା କଥା ବୁଝୁଥିଲେ । ସେମାନଙ୍କ ପିଛାରେ ଢେର ଟଙ୍କା ଖର୍ଚ୍ଚ କରୁଥିଲେ ଅର୍ଚ୍ଚନା । ଦାମୀ ପ୍ରସାଧାନ ସାମଗ୍ରୀ ବ୍ୟବହାର କରିବାକୁ ଦେଉଥିଲେ । ଏମିତିକି ନାମୀ ପାର୍ଲରରେ ମେକ୍ଅପ୍ କରି ସେମାନଙ୍କ ହୁଲିଆ ବଦଳାଇ ଦେଉଥିଲେ । ପରେ ରାଜନେତା ଓ ବ୍ୟବସାୟୀଙ୍କ ସାମ୍ନାରେ ରାଜ୍ୟର ଜଣେ ଜଣେ ମଡେଲ୍ ବୋଲି ଦର୍ଶାଇ ଦେହ ବେପାର କରୁଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.