ଗିନିଜ୍ ବୁକ୍ ଅଫ୍ ଓ୍ୱାର୍ଲ୍ଡ ରେକର୍ଡରେ ସ୍ଥାନିତ ହେଲା ଅଯୋଧ୍ୟାର ଦୀପୋତ୍ସବ, ଏକା ସମୟରେ ଜଳିଲା ୨୨.୨୩ ଲକ୍ଷ ଦୀପ
11/11/2023 at 9:21 PM

ଲକ୍ଷ୍ନୌ: ଦୀପ ମହୋତ୍ସବରେ ଝଲସୁଛି ଅଯୋଧ୍ୟା ନଗରୀ। ରାମଙ୍କ ଜନ୍ମଭୂମି ଏମିତି ସଜେଇ ହୋଇଛି ଦେଖିଲେ ଆଖି ଲାଖି ହୋଇ ରହିଯିବ। ରଙ୍ଗ ବେରଙ୍ଗ ଲାଇଟ୍ ନୁହେଁ ଏଥର ଦୀପ ପାଇଁ ୧୫ ତୋରଣ ଦ୍ୱାର, ଓ୍ୱେଲକମ୍ ଗେଟ୍ ସୁନ୍ଦର ଦେଖାଯାଉଛି। ଶନିବାର ଆୟୋଜିତ ଏହି ଦୀପୋତ୍ସବରେ ୨୨ ଲକ୍ଷ ୨୩ ହଜାର ଦୀପ ଜଳାଯାଇଛି ଯାହା ଆଉ ଏକ ନୂଆ ରେକର୍ଡ ସୃଷ୍ଟି କରିଛି।
ଗତ ବର୍ଷ ୨୦୨୨ରେ ଅଯୋଧ୍ୟାରେ ୧୫.୭୬ ଦୀପ ପ୍ରଜ୍ୱଳିତ ହୋଇଥିଲା। କିନ୍ତୁ ଚଳିତ ବର୍ଷ ଏହାର ସଂଖ୍ୟା ପାଖାପାଖି ୬ ଲକ୍ଷ ୪୭ ହଜାର ବଢିଛି। ଡ୍ରୋନ୍ରୁ କରାଯାଇଥିବା ଦୀପ ଗଣନାରେ ଦୀପୋତ୍ସବ ଏକ ନୂଆ କୀର୍ତ୍ତିମାନ ସ୍ଥାପିତ କରିଛି। ଏହାସହ ଗିନିଜ୍ ବୁକ୍ ଅଫ୍ ଓ୍ୱାର୍ଲ୍ଡ ରେକର୍ଡରେ ସାମିଲ ହୋଇଛି। ଅଯୋଧ୍ୟାର ପ୍ରାଚୀନ ନଗରୀ ପ୍ରତି ଭକ୍ତି ଭାବ ଓ ପ୍ରତିବଦ୍ଧତା ପୁଣି ଥରେ ବିଶ୍ୱ ରେକର୍ଡରେ ସାମିଲ ହୋଇଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ।
ଗିନିଜ୍ ବୁକ୍ ଅଫ୍ ଓ୍ୱାର୍ଲ୍ଡ ରେକର୍ଡ୍ସର ପ୍ରତିନିଧି କହିଛନ୍ତି ଯେ- ଉତ୍ତର ପ୍ରଦେଶ ସରକାରଙ୍କ ଭବ୍ୟ ଦୀପ ମହୋତ୍ସବରେ ଗୋଟିଏ ସ୍ଥାନରେ ଏକ ସମୟରେ ବୃହତ ସଂଖ୍ୟାରେ ଲୋକ ବସି ଦୀପ ପ୍ରଜ୍ୱଳନ କରିବା ବିଶ୍ୱ କୀର୍ତ୍ତିମାନରେ ସାମିଲ ହୋଇଛି। ତେବେ ଏହି ରେକର୍ଡ ପାଇଁ ରାମ ମନୋହର ଲୋହିଆ ଅବଘ ବିଶ୍ୱବିଦ୍ୟାଳୟ ଏହାସହ ଜଡିତ ମହାବିଦ୍ୟାଳୟର ଶିକ୍ଷକ, ଇଣ୍ଟର କଲେଜ ଶିକ୍ଷକ, ଛାତ୍ରଛାତ୍ରୀ ଓ ସ୍ୱୟଂସେବୀ ସଂସ୍ଥାର ବଡ଼ ଭୂମିକା ରହିଛି।
ତେବେ ଦୀପ ଜଳାଇବା ସମୟରେ ‘ଶ୍ରୀ ରାମ ଜୟ ରାମ ଜୟ ରାମ’ ନାମ ଜପ କରାଯିବା ସହ ୨୨.୨୩ ଲକ୍ଷ ଦୀପ ପ୍ରଜ୍ଜ୍ୱଳନ କରାଯାଇଥିଲା। ରାମ ନାମରେ ଅଯୋଧ୍ୟା ନଗରୀରେ ସୃଷ୍ଟି ହୋଇଥିଲା ଭକ୍ତି ଓ ଭାବମୟ ପରିବେଶ।