Apple ଆପ୍ ଷ୍ଟୋର୍‌ରେ ଟ୍ୱିଟର ବ୍ୟାନ୍! ମସ୍କ କହିଲେ, କମ୍ପାନୀ ବିରୋଧରେ ଲଢ଼ିବି

Published By : Prameya-News7 Bureau | November 29, 2022 IST

ନୂଆଦିଲ୍ଲୀ: iPhone ନିର୍ମାତା କମ୍ପାନୀ ଅପଲ ଉପରେ ବର୍ଷିଲେ ଟ୍ୱିଟର ନୂଆ ମାଲିକ ଏଲନ ମସ୍କ। ଅପଲ ଆପ ଷ୍ଟୋର୍‌ ପଲିସି ଓ ଟ୍ୟାକ୍ସ ନିୟମକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଟେସ୍‌ଲା ସିଇଓ।

ଆପଲ କୌଣସି ସୂଚନା ନ ଦେଇ ଆପ ଷ୍ଟୋର୍‌ରେ ଟ୍ୱିଟ୍‌ରକୁ ବ୍ଲକ୍ କରିଛି ଓ ଟ୍ୱିଟରରେ ବିଜ୍ଞାପନ ମଧ୍ୟ ଦିଆଯାଉ ନାହିଁ ବୋଲି ମସ୍କ ଅଭିଯୋଗ କରିଛନ୍ତି। କଣ୍ଟେଣ୍ଟ ମଡରେସନ ଡିମାଣ୍ଡ ପାଇଁ ଆପଲ ଟ୍ୱିଟର ଉପରେ ଚାପ ପକାଉଛି ବୋଲି ଟେସଲା ସିଇଓ କହିଛନ୍ତି।  

ମସ୍କଙ୍କର ଏହି ଟ୍ୱିଟ୍‌ ପରେ ତାଙ୍କର ପ୍ରଶଂସକମାନେ ସୋସିଆଲ୍ ମିଡିଆରେ ତାଙ୍କୁ ସମର୍ଥନ କରିଛନ୍ତି। ଏନେଇ ସେମାନେ ଟ୍ୱିଟରରେ 'ଫ୍ରି ସ୍ପିଚ୍'(ବାକ ସ୍ୱାଧିନତା) ହ୍ୟାସ୍‌ ଟ୍ୟାଗ୍  ଦେଇ ଆପଲ ବିରୋଧରେ ଏକ ଅଭିଯାନ ଆରମ୍ଭ କରିଦେଇଛନ୍ତି।

ତେବେ ମସ୍କଙ୍କର ଏଭଳି ଅଭିଯୋଗ ପରେ ଆପଲ ପକ୍ଷରୁ କିନ୍ତୁ ଘଟଣାକୁ ନେଇ ସ୍ପଷ୍ଟୀକରଣ ଦିଆଯାଇ ନାହିଁ। କାହିଁକି ଆପଲ ଟ୍ୱିଟରକୁ ଆପ୍‌ ଷ୍ଟୋର୍‌ରୁ ବ୍ୟାନ୍ କରିବାକୁ ଧମକ ଦେଉଛି ସେ ନେଇ କମ୍ପାନୀ ପକ୍ଷରୁ କୌଣସି ମନ୍ତବ୍ୟ ଦିଆଯାଇ ନାହିଁ। ତେବେ ଭାରତରେ ଆପଲ୍ ଆପ୍ ଷ୍ଟୋର୍‌ରେ ଟ୍ୱିଟର ଏବେ ବି ଉପଲବ୍ଧ ରହିଛି।

ତେବେ ପୂର୍ବ ରେକର୍ଡକୁ ଦେଖିଲେ ଆପଲ ପ୍ରଥମ ଥର କୌଣସି ଆପ୍‌କୁ ହଟାଇବାକୁ ଧମକ ଦେଇ ନାହିଁ। ଏହା ପୂର୍ବରୁ ଅନେକ ଆପ୍‌କୁ ହଟାଇବାକୁ ଧମକ ଦେଇସାରିଛି ଆପଲ। ଏମିତିକି ଆପ୍‌ ଷ୍ଟୋର୍‌ରୁ ହଟାଇ ବି ଦେଇଛି। ଏହା ପୂର୍ବରୁ ଟ୍ୱିଟର ଭଳି କାମ କରୁଥିବା ପାରଲର(Parler) ଆପ୍‌କୁ ଷ୍ଟୋର୍‌ରୁ ହଟାଇ ଦେଇଥିଲା ଆପଲ। ୟୁଏସ୍ କ୍ୟାପିଟୋଲ୍‌ ଦଙ୍ଗା ପରେ ପରେ କମ୍ପାନୀ ଏହି ଆପ୍‌ ଉପରେ କାର୍ଯ୍ୟାନୁଷ୍ଠାନ ନେଇଥିଲା।

ଏହାପରେ ପାରଲର ନିଜ ମଡରେଟ ପ୍ରକ୍ରିୟା ଓ କଣ୍ଟେଣ୍ଟ ଅପ୍‌ଡେଟ୍ କରିବା ପରେ ମେ ୨୦୨୧ରେ ଏହି ଆପ୍‌କୁ ପୁଣିଥରେ ରିଷ୍ଟୋର୍ କରାଯାଇଥିଲା। ସେହିପରି ଲବ୍ରେ(Lbry) ଆପ୍ ମଧ୍ୟ ଆପଲ ବିରୋଧରେ ସମାନ ଅଭିଯୋଗ ଆଣିଥିଲା।

ଏହି ସୋସିଆଲ୍ ମିଡିଆକୁ ଆପଲ କିଛି ସର୍ଚ୍ଚ ଟର୍ମରେ ପରିବର୍ତ୍ତନ କରିବାକୁ କହିଥିଲା। ଏହାର ଜବାବ ଦେଇ କମ୍ପାନୀ କହିଥିଲା ଯେ ଆପଲ ଭଲ ସାମଗ୍ରୀ ନିର୍ମାଣ କରୁଥାଇ ପାରେ ହେଲେ ବାକ୍ ସ୍ୱାଧୀନତାକୁ ଦବାଇକୁ ଚେଷ୍ଟା କରୁଛି କମ୍ପାନୀ। ବର୍ତ୍ତମାନ ଏହି ସମାନ ଅଭିଯୋଗ ଟ୍ୱିଟର ମାଲିକ ଏଲନ ମସ୍କ ଆଣିଛନ୍ତି। ଆପଲ ବାକ୍ ସ୍ୱାଧିନତାକୁ ସମର୍ଥନ କରୁ ନାହିଁ ବୋଲି ମସ୍କ କହିଛନ୍ତି।

ରୟଟର୍ସର ସୂଚନା ଅନୁସାରେ, ଆପଲ ନଭେବମ୍ବର ୧ ତାରିଖରୁ ୧୬ ତାରିଖ ମଧ୍ୟରେ ଟ୍ୱିଟର ବିଜ୍ଞାପନ ବାବଦକୁ ୧୩୧,୬୦୦ ଆମେରିକୀୟ ଡଲାର ଖର୍ଚ୍ଚ କରିଛି। ଯାହା ଅକ୍ଟୋବର ୧୬-୨୨ (୨୨୦, ୮୦୦) ତୁଳନାରେ କମ ରହିଛି। ୨୦୨୨ ତୃତୀୟାଂଶରେ ଟ୍ୱିଟରକୁ ବିଜ୍ଞାପନ ଦାତାଙ୍କ ମଧ୍ୟରେ ଆପଲ ନମ୍ବର ୱାନ୍‌ରେ ରହିଥିଲା।

ଏଥିସହିତ ଆପ୍‌ ଷ୍ଟୋର୍‌କୁ ଆପ୍ କିଣିବାକୁ ଆପଲ ଓ ଗୁଗଲ ୩୦ ପ୍ରତିଶତ ଚାର୍ଜ ନେଉଥିବାରୁ ମସ୍କ ଏଥିରେ ମଧ୍ୟ ନିଜର ଅସନ୍ତୋଷ ଜାହିର କରିଛନ୍ତି। ଟ୍ୱିଟର ବିଶ୍ୱସ୍ତରରେ ଗ୍ରାହକଙ୍କୁ ମାତ୍ର ୮ ଆମେରିକୀୟ ଡଲାର ମୂଲ୍ୟରେ ବ୍ଲୁ ଟିକ୍ ଦେବାକୁ ଯାଉଛି। ଆଉ ଏହାର ୩୦ ପ୍ରତିଶତ ଆପଲ ନେବ। ଏନେଇ ଆପଲ ବିଷୟରେ ସୂଚନା ଦେଇ ମସ୍କ କହିଛନ୍ତି ଯେ ଆପଲ ଷ୍ଟୋର୍‌ରୁ ଆପଣ ଯାହା କିଣନ୍ତି କମ୍ପାନୀ ତା ଉପରେ ଲୁଚାଇ କରି ୩୦ ପ୍ରତିଶତ ଟେକ୍ସ କାଟିଦେଇଥାଏ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.