ଇତିହାସ ରଚିଲା ଆପଲ, ଗୋଟିଏ ମାସରେ ଭାରତରୁ ବିଦେଶକୁ ରପ୍ତାନୀ କଲା ୮,୧୦୦ କୋଟି ଟଙ୍କାର ଆଇଫୋନ
23/01/2023 at 4:43 PM

ନୂଆଦିଲ୍ଲୀ: ଗୋଟିଏ ମାସରେ ଆପଲ ଭାରତରୁ ଏକ ବିଲିୟନ ଡଲାର ମୂଲ୍ୟ(୮,୧୦୦ କୋଟି ଟଙ୍କା)ର ସ୍ମାର୍ଟଫୋନ ରପ୍ତାନୀ କରିଛି । ଆଇଫୋନ ନିର୍ମାତା ୨୦୨୨ ଡିସେମ୍ୱରରେ ଏହି ରେକର୍ଡ କରିଛନ୍ତି । ଡାଟା ଅନୁସାରେ ଭାରତର ସ୍ମାର୍ଟଫୋନ ଉଦ୍ୟୋଗ ଡିସେମ୍ୱର ମାସରେ ରେକର୍ଡ ୧୦,୦୦୦ କୋଟି ଟଙ୍କାରୁ ଅଧିକ ମୋବାଇଲ ଫୋନ ରପ୍ତାନୀ କରିଛି । ଆପଲ ଏବଂ ସାମ୍ସଙ୍ଗ ଭାରତରୁ ମୋବାଇଲ ଫୋନ ରପ୍ତାନୀ କରିବାରେ ପ୍ରମୁଖ କମ୍ପାନି ହୋଇଛନ୍ତି । ସରକାରୀ ଅଧିକାରୀଙ୍କ ଅନୁସାରେ ନଭେମ୍ୱରେ ଆପଲ ପ୍ରମୁଖ ମୋବାଇଲ ଫୋନ ରପ୍ତାନୀ ମାମଲାରେ ସାମସାଙ୍ଗକୁ ପଛରେ ପକାଇଛି । ଏହାପରେ ଡିସେମ୍ୱରରେ ଆପଲ ଏକ ବିଲିୟନ ଡଲାର ମୂଲ୍ୟର ମୋବାଇଲ ଫୋନ ରପ୍ତାନୀ କରିଛି ।
ଭାରତରେ ନିର୍ମାଣ ହେଉଛି ଏହି ଆଇଫୋନ୍
ଆପଲ ନିଜର ତିନି କଣ୍ଟ୍ରାକ୍ଟ ନିର୍ମାତାଙ୍କ ଜରିଆରେ ଭାରତରେ ଆଇଫୋନ ୧୨, ୧୩, ୧୪ ଏବଂ ୧୪+ ମଡେଲ ଉତ୍ପାଦନ ଏବଂ ରପ୍ତାନୀ କରୁଛି । ଏହି ତିନି ମେନ୍ୟୁଫେକ୍ଚରଙ୍କୁ ଛାଡି କିଛି ଛୋଟ ଭାରତୀୟ କମ୍ପାନି ମଧ୍ୟ ଭାରତରୁ ଆଇଫୋନ ରପ୍ତାନୀ କରୁଛନ୍ତି । ଅଧିକାରୀମାନେ ଏହି ସୂଚନା ଦେଇଛନ୍ତି ।
ଆପଲର କନଟ୍ରାକ୍ଟ ମେନ୍ୟୁପେକ୍ଚର ଫାକ୍ସକମ ଏବଂ ପେଗାଣ୍ଟନ ଉଭୟଙ୍କ କାରଖାନା ତାମିଲନାଡୁରେ ରହିଛି । ଅନ୍ୟପଟେ ୱିଷ୍ଟନର ଫେସିଲିଟି କର୍ଣ୍ଣାଟକରେ ରହିଛି । ଏହି ସବୁ ଆଇଫୋନ ନିର୍ମାତା ସରକାରଙ୍କ ସ୍ମାର୍ଟଫୋନ ପ୍ରଡକ୍ସନ ଲିଙ୍କଡ ଇସେନଟିଭ (ପିଆଇଏଲ) ଯୋଜନାରେ ଭାଗ ନେଇଛନ୍ତି । କେନ୍ଦ୍ର ସରକାର ୨୦୨୦ରେ ଏହି ଯୋଜନାକୁ ଲାଗୁ କରିଥିଲେ ।
ଏହି ତିନି ଆଇଫୋନ ନିର୍ମାତାଙ୍କୁ ପିଏଲଆଇ ଯୋଜନାର ଭାଗିଦାର ଭାବେ ସମୟ-ସମୟରେ ସରକାରଙ୍କୁ ଉତ୍ପାଦନ, ରପ୍ତାନୀ ଏବଂ ନିଯୁକ୍ତି ଡାଟା ବିଷୟରେ ସୂଚନା ଦେବାକୁ ପଡିଥାଏ । ସରକାରଙ୍କ ଅନୁମାନ ଯେ ଭାରତ ଆର୍ଥିକ ବର୍ଷ ୨୦୨୩ରେ ପ୍ରାୟ ୯ ବିଲିୟନ ଡଲାର ମୂଲ୍ୟର ମୋବାଇଲ ଫୋନ ରପ୍ତାନୀ କରିବ । ଗୋଟିଏ ବର୍ଷ ପୂର୍ବର ୫.୮ ବିଲିୟନ ଡଲାର ଠାରୁ ବହୁ ଅଧିକ ରହିବ ।