ଦେଶରେ ୭ ପ୍ରତିଶତ ବଢ଼ିଛି iPhone ଉତ୍ପାଦନ, ଗତ ଆର୍ଥିକ ବର୍ଷରେ ତିନିଗୁଣା ବୃଦ୍ଧି
13/04/2023 at 5:36 PM

ନୂଆଦିଲ୍ଲୀ, ୧୩/୦୪: ଭାରତରେ ବଢ଼ିଛି ଆପଲ୍ ଆଇଫୋନ୍ ଉତ୍ପାଦନ। ଦେଶରେ ଆର୍ଥିକ ବର୍ଷ ୨୦୨୨-୨୩ରେ ଆପଲ ଆଇଫୋନ୍ ଉତ୍ପାଦନ ପ୍ରାୟ ୩ ଗୁଣା ବଢ଼ି ୭%କୁ ବୃଦ୍ଧି ହୋଇଛି। ଯେତେବେଳେକି ୨୦୨୧ରେ ଉତ୍ପାଦନ ମାତ୍ର ୧% ରହିଥିଲା। ସୂଚନା ଅନୁଯାୟୀ କମ୍ପାନୀ ଗତ ଆର୍ଥିକ ବର୍ଷରେ ପ୍ରାୟ ୭ ବିଲିୟନ ଡଲାରର ଆଇଫୋନ୍ ଭାରତରେ ତିଆରି କରିଛି।
ରିପୋର୍ଟ ଅନୁଯାୟୀ, ଏପ୍ରିଲ୍ ୨୦୨୨ ରୁ ମାର୍ଚ୍ଚ ୨୦୨୩ ସମୟରେ ଭାରତରୁ ୫ ବିଲିୟନ ଡଲାର ଅର୍ଥାତ୍ ୪୦ ହଜାର କୋଟି ଟଙ୍କାରୁ ଅଧିକ ଆଇଫୋନ୍ ରପ୍ତାନୀ ହୋଇଛି। ଆଉ ୫ ବିଲିୟନ ଡଲାର ରପ୍ତାନୀକୁ ସ୍ତର ପାର୍ କରିବାରେ ମଧ୍ୟ ଆପଲ ଆଇଫୋନ୍ ପ୍ରଥମ ବ୍ରାଣ୍ଡ୍ ହୋଇଛି। ଏଥିରୁ ଜଣା ପଡ଼ୁଛି ଯେ କମ୍ପାନୀ ଭାରତରେ କେଉଁ ଗତିରେ ନିଜର ନିର୍ମାଣ କ୍ଷମତାର ବିସ୍ତାର କରିଛି। ତେବେ ଦେଶରେ କେବଳ ଆଇଫୋନ୍ ନୁହେଁ ବରଂ ଆପଲର ଅନ୍ୟ ଉତ୍ପାଦ ମଧ୍ୟ ବୃଦ୍ଧି ହୋଇଛି ।
ଆମେରିକା ଏବଂ ଚୀନ୍ ମଧ୍ୟରେ ଜାରି ତିକ୍ତତା ଏବଂ କୋଭିଡ୍ ମହମାରୀ କାରଣରୁ ଉପୁଜିଥିବା ସ୍ଥିତି ଭାରତକୁ ମଧ୍ୟ ଫାଇଦା ହୋଇଛି। ଚୀନ୍ ପରେ ଭାରତ ଆପଲ ପାଇଁ ନୂଆ ଉତ୍ପାଦନ କେନ୍ଦ୍ର ହେବାରେ ଲାଗିଛି। ଆପଲ ୨୦୨୭ ସୁଦ୍ଧା ଏହାର ୫୦ ପ୍ରତିଶତ ଆଇଫୋନ୍ର ଉତ୍ପାଦନ ଭାରତ ସ୍ଥାନାନ୍ତରିତ କରିବାକୁ ଯୋଜନା କରିଛି।
ଭାରତରେ ଆଇଫୋନ୍ର ଆସେମ୍ବଲିଂ ୨୦୧୭ରେ ଆରମ୍ଭ ହୋଇଥିଲା। ସେତେବେଳେ ଓ୍ବିଷ୍ଟ୍ରନ ଭାରତରେ ପ୍ଲାଣ୍ଟ ଲଗାଇଥିଲା। ଏହାପରେ ଫକ୍ସକନ୍ ଏବଂ ପେଗାଟ୍ରନ୍ ଭଳି ଆପଲ୍ର ଯୋଗାଣକାରୀ ଭାବରେ ଭାରତରେ ପ୍ଲାଣ୍ଟ ଲଗାଇଛନ୍ତି। ନିକଟରେ ଫକ୍ସକନ୍ ଏବଂ ପେଗାଟ୍ରନ୍ ନୂଆ ପ୍ଲାଣ୍ଟ୍ ଲଗାଇବାକୁ ମଧ୍ୟ ସୂଚନା ଦେଇଛି। ସ୍ପଷ୍ଟ ଯେ ଆଗାମୀ ସମୟରେ ଭାରତରୁ ଆଇଫୋନ୍ ରପ୍ତାନୀ ଆହୁରି ବଢ଼ିବାକୁ ଯାଉଛି।