ବିରୋଧୀଙ୍କୁ ନିବେଦନ ଏମିତି ସମୟରେ ରାଜନୀତ କରନ୍ତୁ ନାହିଁ, ସତ୍ୟ ସାମ୍ନାକୁ ଆସିବ: ଅପରାଜିତା ଷଡ଼ଙ୍ଗୀ
6/06/2023 at 9:41 PM

ଭୁବନେଶ୍ଵର: ବାହାନଗା ଟ୍ରେନ ଟ୍ରାଜେଡ଼ିରେ ଦୁର୍ଘଟଣାଗ୍ରସ୍ତ ରୁଟ୍ରେ ଟ୍ରେନ ଚଳାଚଳ ସ୍ଵାଭାବିକ ଅବସ୍ଥାକୁ ଫେରିବାରେ ଲାଗିଛି। ଅନ୍ୟପଟେ ଏ ପର୍ଯ୍ୟନ୍ତ ସମସ୍ତ ମୃତଦେହ ଚିହ୍ନଟ ହୋଇପାରିନାହିଁ। ମୃତ ସଂଖ୍ୟା ବି ବଢିବାରେ ଲାଗିଛି। ଏହା ମଧ୍ୟରେ ଭୁବନେଶ୍ଵର ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ ବିରୋଧୀଙ୍କୁ ରାଜନୀତି ନ କରିବାକୁ ହାତ ଯୋଡ଼ି ନିବେଦନ କରିଛନ୍ତି।
କେନ୍ଦ୍ର, ରାଜ୍ୟ ସରକାର ଓ ଅନ୍ୟ ସଂସ୍ଥାମାନେ ମିଳିତ ଭାବେ ଏହି ଘଟଣାକୁ ସାମ୍ନା କରି କାର୍ଯ୍ୟ ତୁଲାଉଛନ୍ତି। ଆମର ପ୍ରଥମ ପ୍ରାଧାନ୍ୟ ଆହତଙ୍କୁ ଚିକିତ୍ସା ଯୋଗାଇବା ଓ ମୃତଦେହ ଗୁଡ଼ିକ ଚିହ୍ନଟ କରାଯାଇ କେମିତି ପରିବାର ଲୋକଙ୍କ ପାଖରେ ପହଞ୍ଚିବ। ଜଗନ୍ନାଥଙ୍କ ନିକଟରେ ମୋର ପ୍ରାର୍ଥନା। ଏହି ଭୟାନକ ରେଳ ଦୁର୍ଘଟଣାର ତଦନ୍ତ ଦାୟିତ୍ଵ CBIକୁ ଦିଆଯାଇଛି। ମୋର ଆଶା ସଠିକ୍ ତଦନ୍ତ ହୋଇ ସାମ୍ନାକୁ ସତ୍ୟ ଆସିବ। ବର୍ତ୍ତମାନର ସମୟ ରାଜନୀତି ପାଇଁ ନୁହେଁ। ଆମେ ସମସ୍ତେ ଯେଉଁ ସମୟ ଦେଇ ଗତି କରୁଛେ , ପ୍ରଥମେ ଆହତ ଓ ମୃତ ପରିବାରଙ୍କ ସହ ଠିଆ ହେବା ଉଚିତ୍ ବୋଲି ଅପରାଜିତ ଷଡ଼ଙ୍ଗୀ କହିଛନ୍ତି।

ମୁଁ ହାତ ଯୋଡ଼ିକି ସମସ୍ତ ରାଜନୀତି ଦଳକୁ ଅନୁରୋଧ କରୁଛି ଏମିତି ସମୟରେ ରାଜନୀତି କରନ୍ତୁ ନାହିଁ। ସମସ୍ତେ ସମନ୍ଵୟ ରକ୍ଷା କରିବା। ସମସ୍ତେ ମନ ପ୍ରାଣ ଦେଇ କାର୍ଯ୍ୟ କରିବା। ଗୋଟିଏ ଉଦ୍ଦେଶ୍ୟ ସମସ୍ତ ଆହତ ଠିକ୍ ହୁଅନ୍ତୁ। ମୁଁ ଏକ ଅଫିସିଆଲ୍ କାର୍ଯ୍ୟରେ ବାହାର ରାଜ୍ୟକୁ ଗସ୍ତ କରିଥିଲି। ତେବେ ଆଜି ଫେରି ହସ୍ପିଟାଲ୍ ଯାଇ ସମସ୍ତଙ୍କୁ ଭେଟିବି। ମୃତଦେହ ଗୁଡ଼ିକ କେଉଁ ଭଳି ପରିବାର ଲୋକଙ୍କୁ ହସ୍ତାନ୍ତର ହୋଇପାରିବ ସେନେଇ ହସ୍ପିଟାଲ୍ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିବି।

ସୂଚନାଯୋଗ୍ୟ, ବାହାନଗା ଟ୍ରେନ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୨୮୮କୁ ବୃଦ୍ଧି ଘଟିଛି। ଗତକାଲି ମୃତ୍ୟୁ ସଂଖ୍ୟା ୨୭୫ ଥିଲା। ହେଲେ ଜିଲ୍ଲାପାଳଙ୍କ ଚୂଡ଼ାନ୍ତ ରିପୋର୍ଟ ମିଳିବା ପରେ ମୃତ୍ୟୁ ସଂଖ୍ୟା ୨୮୮ ହୋଇଛି। ଦୁର୍ଘଟଣାରେ ୧୨୦୦ରୁ ଅଧିକ ଆହତ ହୋଇଥିବା ବେଳେ ପାଖାପାଖି ୧୦୦୦ ଆହତ ମେଡିକାଲ୍ରୁ ଡିସଚାର୍ଜ ହେଲେଣି। ରେଳ ବିଭାଗର ସୁପାରିସ୍ କ୍ରମେ ସିବିଆଇ ତଦନ୍ତ ଆରମ୍ଭ କରିଛି। ସିବିଆଇର ୧୦ଟି ଦଳ ବାହାନଗା ଦୁର୍ଘଟଣାସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିଛି।