ଧାଡି ଦର୍ଶନ ବ୍ୟବସ୍ଥା ବନ୍ଦ କରିବାକୁ ସୁପ୍ରିମକୋର୍ଟରେ ଅପିଲ ପାଇଁ ରାଜ୍ୟସରକାରଙ୍କୁ ଅନୁରୋଧ କରାଯିବ : ମହେଶ୍ବର ମହାନ୍ତି
6/10/2018 at 6:24 PM

ଭୁବନେଶ୍ବର ୬|୧୦: ଶ୍ରୀମନ୍ଦିର ଧାଡି ଦର୍ଶନ ବ୍ୟବସ୍ଥା ପୁନଃବିଚାର କରିବାକୁ ସୁପ୍ରିମ କୋର୍ଟର ଦ୍ବାରସ୍ଥ ହେବେ କି ସରକାର । ଏନେଇ କଣ ରିଭ୍ୟୁ ପିଟିସନ ଦାୟର କରିବା ପ୍ଲାନ ଅଛିକି ସରକାରଙ୍କର । ଏବିଷୟ ଉପରୁ ଏବେ ପରଦା ହଟିନି । କିନ୍ତୁ ଚୋର ଗଲା ପରେ ବୁଦ୍ଧି ଦିଶିବା ପରି ଧାଡି ଦର୍ଶନ ବ୍ୟବସ୍ଥା ବନ୍ଦ କରିବାକୁ ସୁପ୍ରିମ କୋର୍ଟରେ ଅପିଲ ପାଇଁ ରାଜ୍ୟସରକାରଙ୍କୁ ଅନୁରୋଧ କରାଯିବ ବୋଲି କହିଛନ୍ତି ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ମହେଶ୍ହର ମହାନ୍ତି । ଯାହା ଜଣା ପଡୁଛି ମନ୍ତ୍ରୀ ଏବେ ଅନୁଶୋଚନା ମୁଦ୍ରାରେ । ମହେଶ୍ବରଙ୍କ ଯୁକ୍ତି ପୁରୀ ମନ୍ଦିରରେ ଏକାଧିକ ଠାକୁର ଥିବାରୁ ଅନ୍ୟମନ୍ଦିରର ଧାଡି ଦର୍ଶନ ବ୍ୟବସ୍ଥା ଭଳି ଏଠି ତାହା ଲାଗୁ ହୋଇ ପାରିବ ନାହିଁ । ଏକଥା ଆମିକସ୍ କ୍ୟୁରୀଙ୍କ ୨ୟ ଗସ୍ତ ବେଳେ ବି ଉଠାଯିବ ବୋଲି ମହେଶ୍ବର ସଂକେତ ଦେଇଛନ୍ତି । ପ୍ରଶ୍ନ ଉଠୁଛି ଏକଥା ସେତେବେଳେ କାହିଁକି ଆମିକସକ୍ୟୁରୀଙ୍କ ପାଖରେ ଉପସ୍ଥାପନ କରିନଥିଲେ ମହେଶ୍ବର । ନେଡିଗୁଡ କହୁଣିକୁ ବୋହିଗଲା ପରେ ଏବେ ଚିନ୍ତା କେମିତି ଭକ୍ତ, ସେବାୟତ, ସ୍ଥାନୀୟ ଲୋକଙ୍କ ମନକୁ ଖୁସ୍ କରିବା । ବିଜେପି ପ୍ରଶ୍ନ କରିଛି , ପୁରୀ ମାମଲ ଏକ ଜାଣତ ଭୁଲ ଥିବାରୁ ଏବେ ବିଜେଡି ବ୍ୟାକଫୁଟ୍ ରେ ଅଛି । ତେଣୁ ରିଭ୍ୟୁ ପିଟିସନ ଦାଖଲକଥା ଉଠିଛି ।
ସେପଟେ ପୁରୀ ବନ୍ଦ ଦିନ ବିଭିନ୍ନ ସ୍ଥାନରେ ଭଙ୍ଗାରୁଜା କରିବା ଅଭିଯୋଗରେ ପୋଲିସ ଆଜି ୧୨ ଜଣଙ୍କୁ ଗିରଫ କରିଛି। ସିଂହଦ୍ୱାର ଫାଣ୍ତି, ଶ୍ରୀମନ୍ଦିର ସୂଚନା କେନ୍ଦ୍ର ସହ ଶ୍ରୀମନ୍ଦିର କାର୍ଯ୍ୟାଳୟ ଭଙ୍ଗାରୁଜା ଘଟଣାରେ ସିସିଟିଭି ଯାଞ୍ଚ ପରେ ୧୨ ଜଣ ଅଭିଯୁକ୍ତ ଗିରଫ ହୋଇଛନ୍ତି ବୋଲି ପୋଲିସ କହିଛି। ଟାଉନ୍ ଥାନା ନିକଟରେ ଥିବା ସରକାରୀ ଗାଡ଼ି ଓ ଅନ୍ୟ ସ୍ଥାନରେ ଭଙ୍ଗାରୁଜା କରିବା ଘଟଣାରେ ପୋଲିସ ପୂର୍ବରୁ ୧୯ ଜଣଙ୍କୁ ଗିରଫ କରିଥିଲା । ଏବେ ଗିରଫ ସଂଖ୍ୟା ୩୧ ରେ ପହଞ୍ଚିଛି। ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବା ପରେ ସ୍ଥାନୀୟ ଏସଡ଼ିଜେଏମଙ୍କ କୋର୍ଟରେ ହାଜର କରାଯାଇଛି। କୋର୍ଟ ସେମାନଙ୍କ ଜାମିନ୍ ଆବେଦନ ଖାରଜ କରିବାରୁ ସେମାନଙ୍କୁ ପୁରୀ ଜେଲକୁ ପଠାଇଦିଆଯାଇଛି। ତେବେ ଅଭିଯୁକ୍ତ ମାନେ ଏହି ଘଟଣାରେ ସଂପୃକ୍ତ ନଥିବା କହିଛନ୍ତି ତାଙ୍କ ସଂପର୍କୀୟ ମାନେ। ଅନ୍ୟପଟେ ନିର୍ଦ୍ଦୋଷ ମାନଙ୍କୁ ପୋଲିସ ଗିରଫ କରିବା ଉଚିତ୍ ନୁହେଁ ବୋଲି ଶ୍ରୀଜଗନ୍ନାଥ ସେନା ଦାବି କରିଛି ।
ଗତକାଲି ଠାରୁ ଆମିକସ୍ କ୍ୟୁରୀଙ୍କ ନିକଟକୁ ଶ୍ରୀମନ୍ଦିର ମୁଖ୍ୟପ୍ରସାଶକ ରିପୋର୍ଟ ପଠାଇ ସାରିଛନ୍ତି । ଖୁବ୍ ଶିଘ୍ର ବି ସେ ପୁରୀ ଆସିବା କାର୍ଯ୍ୟକ୍ରମ ରହିଛି । ସୁପ୍ରିମ କୋର୍ଟ ବି ଧାଡି ଦର୍ଶନ ବ୍ୟବସ୍ଥା କଥା ସିଧାସଳଖ କହିନାହାଁନ୍ତି । ଶୃଙ୍ଖଳିତ ଦର୍ଶନ କିପରି ହେବ ତା କରିବାକୁ କହିଛନ୍ତି । ଜଣାପଡିବ ଧାଡି ଦର୍ଶନ ବ୍ୟବସ୍ଥା ହେବ ନା ନିସ୍ପତି ବଦଳିବ ।