ଉଦ୍ଧବ ଗୋଷ୍ଠୀଙ୍କୁ ସୁପ୍ରିମକୋର୍ଟଙ୍କ ଝଟକା, ବିଧାୟକଙ୍କ ଅଯୋଗ୍ୟତା ଲାଗି ପିଟିସନର ତୁରନ୍ତ ଶୁଣାଣିକୁ କହିଲେ ନା
1/07/2022 at 2:09 PM

ନୂଆଦିଲ୍ଲୀ ୧।୭: ମହାରାଷ୍ଟ୍ରରେ ଗୁରୁବାର ବଡ଼ ଧରଣର ରାଜନୈତିକ ପରିବର୍ତ୍ତନ ହୋଇଛି। ବିଜେପି ସମର୍ଥନରେ ଏକନାଥ ସିନ୍ଦେ ସରକାର ଗଠନ ଲାଗି ରାଜ୍ୟପାଳଙ୍କ ନିକଟରେ ଦାବି ଉପସ୍ଥାପନ କରିବା ସହ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ଏଣୁ ସିନ୍ଦେ ସରକାର ଏବେ ବିଧାନସଭାରେ ସଂଖ୍ୟାଗରିଷ୍ଠତା ପ୍ରମାଣ ଲାଗି ଉଦ୍ୟମ ଚଳାଇଥିବା ବେଳେ ଶିବସେନା ଏହା ବିରୋଧରେ ସୁପ୍ରିମ କୋର୍ଟରେ ପହଞ୍ଚିଛି। ତେବେ ମାମଲାର ତୁରନ୍ତ ଶୁଣାଣି ନିମନ୍ତେ କୋର୍ଟ ମନା କରିଦେଇଛନ୍ତି।
ଉଲ୍ଲେଖଯୋଗ୍ୟ ଯେ ଶିବସେନା ଚିଫ ହ୍ୱିପ୍ ସୁନିଲ ପ୍ରଭୁଙ୍କ ପକ୍ଷରୁ ସୁପ୍ରିମକୋର୍ଟରେ ଏକ ପିଟିସନ ଦାଖଲ ହୋଇଛି। ଏଥିରେ ୧୬ ବିଦ୍ରୋହୀ ବିଧାୟକଙ୍କୁ ସସପେଣ୍ଡ କରିବା ଲାଗି ସୁନିଲ ପ୍ରଭୁ ନିବେଦନ କରିଛନ୍ତି, ଯେଉଁମାନଙ୍କ ବିରୋଧରେ ବିଧାନସଭା ଅଯୋଗ୍ୟତା କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛନ୍ତି। ସେହିପରି ଯେଉଁ ପର୍ଯ୍ୟନ୍ତ ବିଧାୟକଙ୍କ ବିରୋଧରେ ଅଯୋଗ୍ୟତା କାର୍ଯ୍ୟାନୁଷ୍ଠାନ ନ ହୋଇଛି ସେ ପର୍ଯ୍ୟନ୍ତ ବିଧାନସଭାରେ ସଂଖ୍ୟାଗରିଷ୍ଠତା ପ୍ରମାଣର ସୁଯୋଗ ନ ଦେବା ପାଇଁ ନିବେଦନ କରାଯାଇଥିଲା।

ଏଥିରେ ସୁନିଲ ପ୍ରଭୁ କୋର୍ଟଙ୍କୁ ତାଙ୍କ ଗତ ଆଦେଶ କଥା ମଧ୍ୟ ମନେ ପକାଇଛନ୍ତି, ଯେଉଁଥିରେ କୋର୍ଟ ଜୁଲାଇ ୧୨ ତାରିଖ ପର୍ଯ୍ୟନ୍ତ ଯଥାସ୍ଥିତି କାୟମ ରଖିବାକୁ କହିଥିଲେ। ତେବେ ଇତିମଧ୍ୟରେ ନୂଆ ସରକାର ଶପଥ ଗ୍ରହଣ କରିସାରିଲେଣି ବୋଲି ଆବେଦନରେ ପ୍ରଭୁ ଉଲ୍ଲେଖ କରିଛନ୍ତି। ତେବେ ଆବେଦନ ଉପରେ କୋର୍ଟ ତୁରନ୍ତ ଶୁଣାଣି ଲାଗି ମନା କରିଥିବା ବେଳେ ଏଥିଲାଗି ଜୁଲାଇ ୧୧ ତାରିଖକୁ ଦିନ ଧାର୍ଯ୍ୟ କରିଛନ୍ତି।
ଏପଟେ ଉପ ବାଚସ୍ପତି ନରହରି ଜିରୱାଲ ୧୬ ବିଦ୍ରୋହୀ ବିଧାୟକଙ୍କୁ ଅଯୋଗ୍ୟ ନୋଟିସ ଦେଇଛନ୍ତି। ଏ ନେଇ ସିନ୍ଦେ ଗୋଷ୍ଠୀ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିବା ବେଳେ ବିଧାୟକମାନେ ଉପବାଚସ୍ପତିଙ୍କୁ ହଟାଇବା ପାଇଁ ନୋଟିସ୍ ଦେଇଥିବାର କହିଛନ୍ତି। ଏଣୁ ଏଥିରେ କାହାର ଯୋଗ୍ୟତା କିଏ ନିର୍ଦ୍ଧାରଣ କରିବେ ବୋଲି ପ୍ରଶ୍ନ କରାଯାଇଛି। ଏହି ପ୍ରସଙ୍ଗରେ କୋର୍ଟ ପୂର୍ବରୁ ଉପବାଚସ୍ପତିଙ୍କୁ ନୋଟିସ୍ କରି ଜବାବ ଦେବାକୁ କହିଛନ୍ତି।ସେପଟେ ୨ ଓ ୩ ଜୁଲାଇରେ ମହାରାଷ୍ଟ୍ର ବିଧାନସଭାର ବିଶେଷ ଅଧିବେଶନ ଡକାଯାଇଛି। ନାନା ପୋଟଲେ ବାଚସ୍ପତି ପଦରୁ ଇସ୍ତଫା ଦେଇଥିଲେ। ଏଣୁ ସ୍ୱତନ୍ତ୍ର ଅଧିବେଶନ ଆରମ୍ଭରେ ପ୍ରଥମେ ବାଚସ୍ପତି ନିର୍ବାଚନ ହେବ। ପରେ ଜୁଲାଇ ୩ ତାରିଖ ଦିନ ବିଧାନସଭାରେ ସଂଖ୍ୟାଗରିଷ୍ଠତା ପ୍ରମାଣ ହେବ।