ଭୁବନେଶ୍ୱରରେ ପହଁଚିଲେ ଅପରାଜିତା : ବିମାନ ବନ୍ଦରରେ ବିଜେପି କର୍ମୀଙ୍କ ସ୍ୱାଗତ ଓ ପଟୁଆର, ଯୋଗ ଦେଲେନି କୌଣସି ବଡ ନେତା

Published By : Prameya-News7 Bureau | November 29, 2018 IST

ଭୁବନେଶ୍ୱର ୨୯/୧୧ : ଆଇଏଏସ ପଦବୀ ଛାଡି ଦିଲ୍ଲୀ ଠାରେ ବିଜେପିରେ ଯୋଗ ଦେଇଥିବା ଅପରାଜିତା ଷଡ଼ଙ୍ଗୀ ଆଜି ଭୁବନେଶ୍ୱର ପହଂଚିଛନ୍ତି | ଭୁବନେଶ୍ୱର ବିମାନ ବନ୍ଦର ଠାରେ ଅପରାଜିତା ପହଂଚିବା ପରେ ତାଙ୍କୁ ୧୦୦ରୁ ଅଧିକ ବିଜେପି କର୍ମୀ ଓ କର୍ମକର୍ତ୍ତା ସ୍ୱାଗତ କରି ବିଜେପି କାର୍ଯ୍ୟାଳୟ ପର୍ଯ୍ୟନ୍ତ ଏକ ଶୋଭାଯାତ୍ରାରେ ପାଛୋଟି ନେଇଛନ୍ତି | ଲିଙ୍ଗରାଜ ମନ୍ଦିର ନିକଟରେ ଦଳର ଉପ-ସଭାପତି ସମୀର ମହାନ୍ତି ତାଙ୍କୁ ସ୍ୱାଗତ ଜଣାଇଥିଲେ | ବିମାନ ବନ୍ଦର ଠାରେ ପହଂଚିବା ପରେ ସାମ୍ବାଦିକଙ୍କ ସହ କଥାବାର୍ତ୍ତା କରି ଅପରାଜିତା କହିଛନ୍ତି ଯେ, ସ୍ୱଚ୍ଛ ରାଜନୀତିରେ ସେ ବିଶ୍ୱାସ କରନ୍ତି | ଜନସେବା ପାଇଁ ପ୍ରସନିକ କ୍ଷେତ୍ର ଠାରୁ ରାଜନୈତିକ କ୍ଷେତ୍ରର କାନଭାସ ଆହୁରି ବଡ | ସବୁବେଳେ ସେ ଲୋକସେବାକୁ ଗୁରୁତ୍ୱ ଦେଇ ଆସିଛନ୍ତି | ରାଜନୀତି ମାଧ୍ୟମରେ ଲୋକଙ୍କ ସେବା କରିବାର ଅଧିକ ସୁଯୋଗ ମିଳିବ ବୋଲି ସେ ରାଜନୀତିକୁ ଆସିଥିବା ପ୍ରକାଶ କରିଛନ୍ତି | ୨୦୧୯ ସାଧାରଣ ନିର୍ବାଚନରେ ଭୁବନେଶ୍ୱର ଆସନରୁ ସେ ପ୍ରାର୍ଥୀ ହୋଇପାରନ୍ତି ବୋଲି ଚାଲିଥିବା ଚର୍ଚ୍ଚା ସମ୍ପର୍କରେ ମଧ୍ୟ ଅପରାଜିତା ପ୍ରତିକ୍ରିୟା ରଖିଛନ୍ତି | ଏବେ ଦଳର ଜଣେ କର୍ମୀ ଭାବେ କେବଳ ସେ ଯୋଗ ଦେଇଛନ୍ତି | ଦଳ ଯାହା ନିଷ୍ପତ୍ତି ନେବ ତାକୁ ସେ ଗ୍ରହଣ କରିବେ ବୋଲି କହିଛନ୍ତି | ରାଜ୍ୟର ବିକାଶ ସମ୍ପର୍କିତ ଏକ ପ୍ରଶ୍ନକୁ ଚତୁରତାର ସହିତ ଉତ୍ତର ଦେଇଛନ୍ତି ଅପରାଜିତା | ରାଜ୍ୟରେ ବିକାଶ ହୋଇନାହିଁ ବୋଲି ସିଧାସଳଖ କହିପାରିନାହାନ୍ତି | ବରଂ ବିକାଶକୁ ଆହୁରି ଆଗକୁ ନେବା ଦରକାର ବୋଲି କହିବା ସହ ଏନେଇ ତାଙ୍କର ଉଦ୍ୟମ ରହିବ ବୋଲି କହିଛନ୍ତି | ସୂଚନାଯୋଗ୍ୟ ଯେ, ଅପରାଜିତା ଭୁବନେଶ୍ୱରରେ ପହଂଚିବା ପରେ ତାଙ୍କୁ ଏକ ବଡ ଧରଣର ସ୍ୱାଗତ ସମ୍ବର୍ଧନା ପ୍ରଦାନ କରାଯିବ ବୋଲି ପୂର୍ବରୁ କୁହାଯାଉଥିଲା | ତେବେ ଅପରାଜିତା ଭୁବନେଶ୍ୱରରେ ପହଂଚିବା ପରେ ସେଭଳି ବଡ ଧରଣର ଆୟୋଜନ ଦେଖିବାକୁ ମିଳିନଥିଲା | ବିଜେପି ଭୁବନେଶ୍ୱର ଶାଖାର କିଛି କର୍ମକର୍ତ୍ତା ଓ କର୍ମୀ ବିମାନ ବନ୍ଦର ଠାରେ ଅପରାଜିତାଙ୍କୁ ସ୍ୱାଗତ ଜଣାଇଥିଲେ | ଦଳର କୌଣସି ବରିଷ୍ଠ ନେତା ସ୍ୱାଗତ ପର୍ବରେ ସାମିଲ ନଥିଲେ | ରାସ୍ତାରେ ଅପରାଜିତାଙ୍କୁ ସ୍ୱାଗତ କରୁଥିବା ଦଳର ଉପ ସଭାପତି ସମୀର ମହାନ୍ତି କହିଛନ୍ତି ଯେ, ଅପରାଜିତା କେବଳ ଜଣେ ସାଧାରଣ କର୍ମୀ ଭାବେ ଦଳରେ ଯୋଗ ଦେଇଛନ୍ତି | ତା'ଛଡା ଆସନ୍ତା ୧ ତାରିଖ ଦିନ ଦଳରେ ରାଜ୍ୟ କାର୍ଯ୍ୟାଳୟ ଠାରେ ତାଙ୍କ ପାଇଁ ସ୍ୱତନ୍ତ୍ର ସ୍ୱାଗତ ସମ୍ବର୍ଧନା ଉତ୍ସବ ଆୟୋଜନ କରାଯାଇଛି | ତେଣୁ ଅପରାଜିତାଙ୍କ ସ୍ୱାଗତରେ କୌଣସି ଅବହେଳା କରାଯାଇନାହିଁ ବୋଲି ସମୀର ମହାନ୍ତି କହିଛନ୍ତି | ତେବେ ଶୁଣିବାକୁ ମିଳୁଛି, ଦଳର ଜଣେ ତୁଙ୍ଗ ନେତା ଓ ପ୍ରଭାବଶାଳୀ ନେତାଙ୍କ ପ୍ରରୋଚନାରେ ଅପରାଜିତାଙ୍କ ସ୍ୱାଗତ ଉତ୍ସବକୁ କୌଣସି ବଡ ନେତା ଆସିନଥିଲେ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.