ନିର୍ବାଚନ ଡ୍ୟୁଟିରେ ନିୟୋଜିତ ହେବେନି ଶିକ୍ଷକ, ଜଗନ ରେଡ୍ଡୀ ସରକାରଙ୍କ ନିଷ୍ପତ୍ତି ପରେ ବିବାଦ
16/12/2022 at 10:13 PM

ନୂଆଦିଲ୍ଲୀ: ଆନ୍ଧ୍ର ପ୍ରଦେଶର ଜଗନ ରେଡ୍ଡୀ ସରକାର ସରକାରୀ ସ୍କୁଲରେ ଶିକ୍ଷକଙ୍କୁ ନିର୍ବାଚନୀ ଡ୍ୟୁଟିରୁ ଦୂରେଇ ରଖିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଏହାକୁ ନେଇ ଏବେ ବିବାଦ ବଢିଯାଇଛି । ରାଜ୍ୟ ମନ୍ତ୍ରିମଣ୍ଡଳ ଡିସେମ୍ୱର ୧୩ରେ ହୋଇଥିବା ବୈଠକରେ ନିଷ୍ପତ୍ତିକୁ ସରକାରୀ ମଞ୍ଜୁରୀ ଦିଆଯାଇଥିଲା । ଏଥିରେ ରାଜ୍ୟର ପିଲାମାନଙ୍କୁ ମାଗଣା ଏବଂ ବାଧ୍ୟତାମୂଳକ ଶିକ୍ଷାର ଅଧିକାରୀ ନିୟମ ୨୦୧୦ରେ ସଂଶୋଧନ କରାଯାଇଥିଲା । ଏହା ଅଧିନରେ ନୂଆ ନିୟମ ସଂଖ୍ୟା ୩୦ ଯୋଡା ଯାଇଥିଲା । ଯାହା ଅଣ ଶିକ୍ଷା ଉଦ୍ଦେଶ୍ୟରେ ଶିକ୍ଷକଙ୍କ ନିଯୁକ୍ତି ସହ ଜଡିତ ରହିଛି । ସରକାରଙ୍କ ଏହି ନିଷ୍ପତ୍ତିକୁ ଏବେ ରାଜ୍ୟର ବିରୋଧୀ ଏବଂ ଶିକ୍ଷକ ସଂଘ ପକ୍ଷରୁ ବିରୋଧ କରାଯାଉଛି ।
ସଂଶୋଧନରେ କୁହାଯାଇଛି ଯେ ଶିକ୍ଷକଙ୍କୁ ନିଜ ସମୟ ଶିକ୍ଷାଦାନ ମୁଖ୍ୟ ଉଦ୍ଦେଶ୍ୟରେ ବିନିଯୋଗ କରାଯିବା ଦରକାର। ଏହାଦ୍ୱାରା ପିଲାଙ୍କ ଏକଡେମୀକ ସଫଳତାକୁ ବଢାଯାଇ ପାରିବ। ନୂଆ ଆଇନରେ କୁହାଯାଇଥିଲା ଯେ ଶିକ୍ଷକଙ୍କୁ କେବଳ ଜରୁରୀ ସ୍ଥିତିରେ ନନ-ଏକାଡେମିକ୍ ଗତିବିଧିରେ ସାମିଲ କରାଯିବା ଦରକାର। ଅନ୍ୟ ସରକାରୀ ଅଧିକାରୀଙ୍କ ନିଯୁକ୍ତି ପରେ ବି ଅଧିକ କର୍ମଚାରୀ ଆବଶ୍ୟକ ହେଲେ ଶିକ୍ଷକଙ୍କ ନିଯୁକ୍ତି ହେବ ବୋଲି କୁହାଯାଇଥିଲା।
ରାଜ୍ୟର ସୂଚନା ଏବଂ ଲୋକସମ୍ପର୍କ ମନ୍ତ୍ରୀ ସି ଶ୍ରୀନିଭାସ ଭେଣୁଗୋପାଳ କୃଷ୍ଣା କ୍ୟାବିନେଟର ନିଷ୍ପତ୍ତି ନେଇ ସୂଚନା ଦେଇଥିଲେ। ମନ୍ତ୍ରୀ କହିଥିଲେ ଯେ ଶିକ୍ଷକଙ୍କୁ ନିର୍ବାଚନ, ଜନଗଣନା କିମ୍ୱା ଅନ୍ୟ ଗତିବିଧିରେ ସାମିଲ କରାଯିବା ଉପରେ ରୋକ ଲଗାଯିବ।