ଅନେକ ରୋଗକୁ କରିଥାଏ ସମୂଳେ ବିନାଶ: ଜାଣନ୍ତୁ ଅଁଳାର ଔଷଧୀୟ ଗୁଣ

Published By : Prameya-News7 Bureau | November 06, 2018 IST

ଭୁବନେଶ୍ବର ୬/୧୧: ଅଁଳାକୁ ଓ୍ବଣ୍ଡର ଫୁଡ ବୋଲି କୁହାଯାଏ । କାରଣ ଏହି ଫଳରେ ଏପରି ଚମତ୍କାରୀ ଗୁଣ ରହିଛି ଯାହା କେବଳ ଶରୀରର ପ୍ରତିରୋଧକ ଶକ୍ତି ବଢ଼ାଇନଥାଏ ବରଂ ଅନେକ ରୋଗକୁ ସମୂଳେ ବିନାଶ କରିଥାଏ। ଏଥିରେ ପ୍ରଚୁର ପରିମାଣର ଭିଟାମିନ୍-ସି ରହିଥାଏ । ଅଁଳା ଏକମାତ୍ର ଏଭଳି ଫଳ ଯାହା ଔଷଧୀୟ ଗୁଣ ପାଇଁ ବେଶ ପ୍ରସିଦ୍ଧ। ଆର୍ୟୁବେଦ ଶାସ୍ତ୍ରରେ ଏହାକୁ ଅମୃତା, ଅମୃତଫଳ, ଆମଲକୀ ଏବଂ ପଞ୍ଚରସା ବୋଲି ବର୍ମ୍ଣନା କରାଯାଇଛି । ଆର୍ୟୁବେଦର ବୃହତ୍ରୟୀ ଗ୍ରନ୍ଥ- ଶୁଶ୍ରୃତ ସଂହିତା, ଚରକ ସଂହିତା ଏବଂ ଅଷ୍ଟାଙ୍ଗ ହୃଦୟରେ ଅଁଳାର ଔଷଧୀୟ ଗୁଣ ବିଷୟରେ ବିସ୍ତୃତ ବର୍ଣ୍ଣନା କରାଯାଇଛି। ଏହି ସବୁ ଗ୍ରନ୍ଥ ଅନୁସାରେ ଅଁଳା ନିମ୍ନୋକ୍ତ ରୋଗଗୁଡ଼ିର ବିନାଶ କରିଥାଏ। ଅଁଳା ଦ୍ବାରା ତରଳ ଝାଡ଼ା , ଅମ୍ଳପିତ୍ତ, ରକ୍ତପିତ୍ତ, ପୁରୁଷଙ୍କ ଯୈାନ ସମ୍ବନ୍ଧୀୟ ରୋଗ, କୋଷ୍ଠକାଠିନ୍ୟ, ଅର୍ଶ ଆଦି ରୋଗରୁ ମୁକ୍ତି ମିଳିଥାଏ। ଏହା ଯୈାବନ ସୁରକ୍ଷା ଏବଂ ଆୟୁ ମଧ୍ୟ ବୃଦ୍ଧି କରିଥାଏ। ଅଁଳା ସ୍ମରଣ ଶକ୍ତି ଏବଂ ଶାରିରୀକ ଶକ୍ତି ବଢ଼ାଇଥାଏ। ଅଁଳା ପତ୍ରକୁ ସିଝାଇ ପ୍ରସ୍ତୁତ ହୋଇଥିବା ରସକୁ କୁଳି କରିବା ଦ୍ବାରା ପାଟିରେ ହୋଇଥିବା ଘା ଏବଂ ଖଣ୍ଡିଆ ଭଲ ହୋଇଥାଏ। ଏହାର ଶୁଖିଲା ଫଳକୁ ରାତିରେ ଭିଜାଇ ରଖି ସେହି ପାଣିରେ ଆଖିକୁ ଧୋଇବା ଦ୍ବାରା ଆଖିଫୁଲା ଦୂର ହୋଇଥାଏ। ଅଁଳାର ଶୁଖିଲା ଫଳ ଲୈାହଭସ୍ମ ସହ ନେବାଦ୍ବାରା ରକ୍ତ ଓ ତରଳ ଝାଡ଼ା, ଅର୍ଶ, ନାଳଝାଡ଼ା,ରକ୍ତପିତ୍ତ ଆଦି ଭଲ ହୋଇଥାଏ। ଏହା ଦ୍ବାରା ଅଜୀର୍ଣ୍ଣ ଏବଂ କାମଳ ରୋଗରୁ ମଧ୍ୟ ଉପଶମ ମିଳିଥାଏ। ତାଜା ଅଁଳା ଫଳ ବା ଏହାର ରସ କିମ୍ବା ରସରୁ ପ୍ରସ୍ତୁତ ସର୍ବତ ପେଟକୁ ଥଣ୍ଡା ରଖିବାରେ ସହାୟକ ହୋଇଥାଏ । ମଳବର୍ଦ୍ଧକ, ମୂତ୍ରବର୍ଦ୍ଧକ ଭାବେ କାମ କରିଥାଏ। ଏହା ଅମ୍ଳପିତ୍ତକୁ ମଧ୍ୟ ଦୂର କରିଥାଏ। ଏହା ଆର୍ଥରାଇଟିସ୍ ପାଇଁ ମଧ୍ୟ ଉପଯୋଗୀ ସାବ୍ୟସ୍ତ ହୋଇଥାଏ। ଚ୍ୟବନପ୍ରାଶ ଅଁଳାରୁ ପ୍ରସ୍ତୁତ ହୋଇଥାଏ। ଏହା ଭିନ୍ନ ଭିନ୍ନ ରୋଗ ଯେପରିକି ହୃଦରୋଗ, ବାତରୋଗ, ରକ୍ତ,ମୂ ତ୍ର ତଥା ଧାତୁପତନ, କାଶ ଏବଂ ଶ୍ବାସରୋଗ ପାଇଁ ଲାଭଦାୟକ ହୋଇଥାଏ। ଆଚାର୍ଯ୍ୟ ବାଗଭଟ୍ଟ ଅଁଳାକୁ ମଧୁମେହ ପାଇଁ ସର୍ବଶ୍ରେଷ୍ଠ ଔଷଧ ବୋଲି କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.