ଆସୁଛି ଅନୁପମ୍‌ଙ୍କ ନୂଆ ସିନେମା, ନଜର ଆସିବେ ସିଦ୍ଧାନ୍ତ ମହାପାତ୍ର

Published By : Prameya-News7 Bureau | August 17, 2022 IST

ନୂଆଦିଲ୍ଲୀ ୧୭।୦୮: ଖୁବ୍‌ଶୀଘ୍ର ଆସିବାକୁ ଯାଉଛି ପ୍ରତିଭାବାନ ପ୍ରଯୋଜକ ତଥା ନିର୍ଦ୍ଦେଶକ ଅନୁପମ ପଟ୍ଟନାୟକଙ୍କ ନୂଆ ଓଡ଼ିଆ ସିନେମା । ଯାହାର ନାଁ ଏଯାଏଁ ଘୋଷଣା ହୋଇନି । କିନ୍ତୁ ଏତିକି ଜଣାପଡ଼ିଛି ଯେ, ସିନେମାଟିର କାହାଣୀ ବିଶିଷ୍ଟ କଥାକାର ଡ. ଗୌରହରି ଦାସଙ୍କ ଏକ କ୍ଷୁଦ୍ର ଗଳ୍ପରୁ ଉଦ୍ଧାର କରାଯାଇଛି । ଏହାର ରଚନା ରୋଶନ ବିଶୋଇ କରିଛନ୍ତି। ପ୍ରଯୋଜନା ଏବଂ ନିର୍ଦ୍ଦେଶନା ଭାର ଅନୁପମ ସମ୍ଭାଳିଛନ୍ତି। ଏଥିରେ ସଙ୍ଗୀତ ଦେଇଛନ୍ତି ଆଶିଷ ଓ ଅଙ୍କେଶ। ସମ୍ପାଦନା କରିଛନ୍ତି ସ୍ୱର୍ଗତ ଦେବେନ ମିଶ୍ର।

ସିନେମାଟୋଗ୍ରାଫିରେ ଦୀପକ କୁମାର ତାଙ୍କ ଦକ୍ଷତା ପରଖିଛନ୍ତି । ସିନେମାର ମୁଖ୍ୟ ଭୂମିକାରେ ଦୀପନ୍ୱିତ ଦାଶ ମହାପାତ୍ର, ବର୍ଷା ପଟ୍ଟନାୟକ, ସିଦ୍ଧାନ୍ତ ମହାପାତ୍ର, ଚୌଧୁରୀ ଜୟପ୍ରକାଶ ଦାସ, ରୋଶନ ବିଶୋଇ, ଦୀପକ ଉପାଧ୍ୟାୟ, ଶ୍ରୀଲା ତ୍ରିପାଠୀ, ଅବକାଶ ମିଶ୍ର ଓ ଅନ୍ୟମାନେ ବିଭିନ୍ନ ଚରିତ୍ରରେ ଅଭିନୟ କରିଛନ୍ତି । ଖୁବ୍‌ଶୀଘ୍ର ସିନେମାର ଶୀର୍ଷକ ଘୋଷଣା ସାଙ୍ଗକୁ ପୋଷ୍ଟର୍‌ ରିଲିଜ୍‌ ହେବାକୁ ଯାଉଛି ।

ନିକଟରେ ମୁକ୍ତିଲାଭ କରିଥିବା ୱେବ୍‌ସିରିଜ୍‌ ‘ଗ୍ୟାଙ୍ଗସ୍‌ ଅଫ୍‌ ପୁରୀ’ ପାଇଁ ଅନୁପମ ଚର୍ଚ୍ଚାରେ ଥିଲାବେଳେ ଏହି ସିନେମାରେ ଆଉ କ’ଣ ନୂଆ ଦେଖିବାକୁ ମିଳିବ ତାକୁ ନେଇ ଆଲୋଚନା ଆରମ୍ଭ ହୋଇଛି । ପୂର୍ବରୁ ‘ରାତି ସରି ସରି ଯାଉଛି’ ଏବଂ ‘ତୁଳସୀ ଅପା’ ଭଳି ଓଡିଆ ମୌଳିକ କାହାଣୀ ଭେଟି ଦେଇଥିବା ଅନୁପମଙ୍କଠୁ ଦର୍ଶକ ବହୁତ କିଛି ଆଶା ରଖିଥିଲାବେଳେ ଏ ସିନେମା ଏକ ମାଇଲ୍‌ଷ୍ଟୋନ୍‌ ହେବ ବୋଲି ସେ ଆଶାବାଦୀ ଅଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.