କ୍ରିକେଟର ଅଂଶୁମାନ ଗାଏକ୍ଓ୍ୱାଡ୍‌ଙ୍କ ନିଧନ, କର୍କଟରେ ରୋଗରେ ଥିଲେ ପୀଡିତ

Published By : Prameya-News7 Bureau | August 01, 2024 IST

ମୁମ୍ବାଇ ୦୧।୦୮ : ପରଲୋକରେ କ୍ରିକେଟର । ଭାରତୀୟ ଟିମ୍‌ର ପୂର୍ବତନ କ୍ରିକେଟର ତଥା ଟିମ୍‌ ଇଣ୍ଡିଆର କୋଚ ରହିସାରିଥିବା ଅଂଶୁମାନ ଗାଏକଓ୍ୱାଡ୍‌ଙ୍କ ନିଧନ ହୋଇଯାଇଛି । ଦୀର୍ଘ ଦିନ ଧରି କର୍କଟ ରୋଗରେ ଆକ୍ରାନ୍ତ ଥିଲେ ଅଂଶୁମାନ । ଶେଷରେ ୭୧ ବର୍ଷ ବୟସରେ ଆଖିବୁଜିଛନ୍ତି ଅଂଶୁମାନ ଗାଏକଓ୍ୱାଡ୍‌ । କିଛି ଦିନ ତଳେ ଅଂଶୁମାନଙ୍କୁ ସହାୟତା ପାଇଁ କପିଲ ଦେବ ନିଜର ପେନ୍‌ସନ୍ ଟଙ୍କା ଦାନ କରିଦେଇଥିଲେ । 

୨୭ ଡିସେମ୍ବର ୧୯୭୪ ମସିହାରେ କୋଲକାତା ଓ୍ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ଟେଷ୍ଟ ମ୍ୟାଚ୍‌ରେ ଡେବ୍ୟୁ କରିଥିଲେ । ମୋଟ ୪୦ଟି ଟେଷ୍ଟ ମ୍ୟାଚ୍‌ ଖେଳି ଅଂଶୁମାନ ୧୯୮୫ ରନ୍‌ ସଂଗ୍ରହ କରିଛନ୍ତି । ଯେଉଁଥିରେ ୨ଟି ଶତକ ଏବଂ ୧୦ଟି ଅର୍ଦ୍ଧଶତକ ରହିଛି । ଏହାବାଦ୍‌ ୧୫ଟି ଦିନିକିଆ ମ୍ୟାଚ୍‌ ଖେଳି ୨୬୯ ରନ୍‌ ସଂଗ୍ରହ କରିଥିଲେ । ଯେଉଁଥିରେ ଗୋଟିଏ ଅର୍ଦ୍ଧଶତକ ସାମିଲ ଥିଲା । ସେହିପରି ପ୍ରଥମ ଶ୍ରେଣୀ କ୍ରିକେଟ୍‌ରେ ୨୦୬ଟି ମ୍ୟାଚ୍‌ ଖେଳିଛନ୍ତି । ଯେଉଁଥିରେ ୧୨୧୩୬ ରନ୍‌ ସଂଗ୍ରହ କରିଛନ୍ତି । ଯେଉଁଥିରେ ସର୍ବାଧିକ ସ୍କୋର ୨୨୫ ଥିବା ବେଳେ ଶତକ ୩୪ଟି ଏବଂ ଅର୍ଦ୍ଧଶତକ ୪୭ଟି ରହିଛି । ଲିଷ୍ଟ ଏ ଶ୍ରେଣୀର କ୍ରିକେଟ୍‌ରେ ଅଂଶୁମାନ ୫୫ଟି ମ୍ୟାଚ୍‌ ଖେଳିଛନ୍ତି । ଯେଉଁଥିରେ ସେ ୧୬୦୧ ରନ୍‌ ସଂଗ୍ରହ କରିଥିବା ବେଳେ ୨ଟି ଶତକ ଏବଂ ୧୨ଟି ଅର୍ଦ୍ଧଶତକ ରହିଛି । ୧୧୧ ରନ୍‌ ତାଙ୍କ ବ୍ୟକ୍ତିଗତ ଭାବେ ସର୍ବାଧିକ ସ୍କୋର । 

ଅଂଶୁମାନ ଗାଏକଓ୍ୱାଡ୍‌ କ୍ରିକେଟ୍‌ରୁ ଅବସର ନେବା ପରେ କୋଚିଂ କ୍ୟାରିୟର ଆରମ୍ଭ କରିଥିଲେ । ୧୯୯୭-୯୯ରେ ଭାରତୀୟ କ୍ରିକେଟ୍‌ ଟିମ୍‌ର ହେଡ୍‌ କୋଚ ରହିଥିଲେ । ଗାଏକଓ୍ୱାଡ GSFC ପାଇଁ କାମ ମଧ୍ୟ କରିସାରିଛନ୍ତି । ଶେଷରେ ଜୁନ୍‌ ୨୦୧୮ରେ ଭାରତୀୟ କ୍ରିକେଟ୍ ବୋର୍ଡ ପକ୍ଷରୁ ଗାଏକଓ୍ୱାଡ୍‌ଙ୍କୁ ଲାଇଫ୍‌ଟାଇମ୍‌ ଆଚିଭିମେଣ୍ଟର ପୁରସ୍କାର ଦିଆଯାଇଥିଲା । ଅଂଶୁମାନଙ୍କ ପିତା ଦତ୍ତା ଗାଏକଓ୍ୱାଡ୍‌ ମଧ୍ୟ ଟେଷ୍ଟ କ୍ରିକେଟ୍‌ରେ ଭାରତ ପାଇଁ ପ୍ରତିନିଧିତ୍ୱ କରିସାରିଛନ୍ତି । 

ତେବେ ଦୀର୍ଘ ଦିନ ଧରି ଅଂଶୁମାନ ରକ୍ତ କର୍କଟରେ ପୀଡିତ ଥିଲେ । ଏପିରିକି ତାଙ୍କ ସହଯୋଗ ଲାଗି ଆଗେଇ ଆସିଥିଲେ ବହୁ ବରିଷ୍ଠ କ୍ରିକେଟର । କପିଳ ଦେବ, ମହିନ୍ଦର ଅମରନାଥ, ସନ୍ଦୀପ ପାଟିଲା, ମଦନ ଲାଲ, କୀର୍ତ୍ତି ଆଜାଦ୍ ପରି ସାଥୀ ଖେଳାଳି ଆଗକୁ ଆସିଥିଲେ । ଏହାସହିତ ଭାରତୀୟ କ୍ରିକେଟ୍‌ ବୋର୍ଡ ମଧ୍ୟ ୧ କୋଟି ଟଙ୍କାର ସହାୟତା ରାଶିର ଘୋଷଣା କରିଥିଲେ। 

 

  • BCCI
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.