IIFLରୁ ସୁନା ଲୁଟ୍ ମାମଲା : ଆଉ ୨ ଜଣଙ୍କୁ ବାନ୍ଧିଲା ପୋଲିସ, ମୁଖ୍ୟ କାର୍ପଟଦାର ଲାଲାର ଥିଲେ ସହଯୋଗୀ

Published By : Prameya-News7 Bureau | November 28, 2020 IST

କଟକ ୨୮।୧୧: କଟକ ନୟାସଡକ ସ୍ଥିତ IIFLରୁ ସୁନା ଲୁଟ୍ ମାମଲାରେ ଆଉ ୨ ଜଣଙ୍କୁ ଗିରଫ କଲା ପୋଲିସ । ଗିରଫ ବ୍ୟକ୍ତି ହେଲେ ମଙ୍ଗଳାବାଗ ଥାନା ଅଞ୍ଚଳର ସୁନା ଦୋକାନୀ ସରୋଜ କୁମାର ପୃଷ୍ଟି ଏବଂ ଲାଲବାଗ ଥାନା ଆଲମଚାନ୍ଦ ବଜାର ଅଞ୍ଚଳର ଲଲିତ କୁମାର ସୋନି । ଗିରଫ ପରେ ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଛି । ଏମାନଙ୍କୁ ମିଶାଇ ସୁନା ଲୁଟ୍ ମାମଲାରେ ଗିରଫ ସଂଖ୍ୟା ୧୦କୁ ବୃଦ୍ଧି ପାଇଛି । ଉଭୟ ମୁଖ୍ୟ ଅଭିଯୁକ୍ତ ଲାଲା ଅମ୍ରିତ ରାୟର ସହଯୋଗୀ ଥିବା ସୂଚନା ମିଳିଛି ।

ପୂର୍ବରୁ IIFL ଶାଖାରୁ ସୁନା ଲୁଟ୍ ଘଟଣାରେ ୮ ଜଣଙ୍କୁ ପୋଲିସ ଗିରଫ କରିଥିଲା । ଏଥିସହ ସୁନା ମଧ୍ୟ ପୋଲିସ ଜବତ କରିଥିଲା । IIFLରୁ ସୁନା ଲୁଟ୍ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଲାଲା ଅମ୍ରିତ ରାୟଙ୍କ ସହ ସହଯୋଗୀ ନୀଳିମା ଲେଙ୍କାଙ୍କୁ ମଧ୍ୟ ପୋଲିସ ଗିରଫ କରିଥିଲା । ସୁନା ଲୁଟ୍ କରି ଅୟସ କରୁଥିଲା ଲାଲା ଅମ୍ରିତ ରାୟ । ଆଉ ଏଥିରେ ସହଯୋଗ କରିଥିଲେ IIFLର ଆକାଉଣ୍ଟାଣ୍ଟ ନୀଳିମା ଲେଙ୍କା । କଟକ ବଜ୍ରକବାଟି ମାନାପୁରମ୍‌ ଗୋଲ୍ଡ ଲୋନ୍ ଶାଖାର ମ୍ୟାନେଜରଙ୍କୁ ମଧ୍ୟ ବାନ୍ଧିଛି ପୋଲିସ । ସୁନା ହେରଫେର ମାମଲାରେ ମ୍ୟାନେଜର ପୀତାମ୍ବର ସାହୁଙ୍କୁ ପୋଲିସ ଗିରଫ କରିଛି ।

ସୂଚନାଯୋଗ୍ୟ ଯେ, ଗତ ୧୯ ତାରିଖ ଦିନ କଟକ ନୟାସଡ଼କ ସ୍ଥିତ IIFL ଶାଖାରୁ ୨୦ କୋଟି ଟଙ୍କାର ସୁନା ଲୁଟିନେଇଥିଲେ ଦୁର୍ବୃତ୍ତ । ଲୁଟ୍‌ ସମୟରେ IIFLର ସିସିଟିଭ କାମ କରୁନଥିଲା । ଘଟଣାର ତଦନ୍ତ ଓ ଛାନ୍‌ଭିନ୍‌ କରିବା ପାଇଁ କମିଶନରେଟ୍ ପୋଲିସ ପକ୍ଷରୁ ସ୍ୱତନ୍ତ୍ର ଟିମ୍‌ ଗଠନ କରାଯାଇଥିଲା । ବିଭିନ୍ନ ସ୍ଥାନରେ ମଧ୍ୟ ଚଢାଉ କରିଥିଲା ପୋଲିସ । ମାତ୍ର ୬ ଦିନ ପରେ ପୋଲିସ ଲୁଟ୍ ଘଟଣାର ପର୍ଦ୍ଦାଫାଶ କରିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.