‘ନିଭାର’ ପରେ ଆଉ ଏକ ବାତ୍ୟାର ବିପଦ, ଚାରି ରାଜ୍ୟ ପାଇଁ ଚେତାବନୀ ଜାରି କଲା ଆଇଏମଡି

Published By : Prameya-News7 Bureau | November 30, 2020 IST

ନୂଆଦିଲ୍ଲୀ ୩୦।୧୧: ତାମିଲନାଡୁରେ ଗତ ସପ୍ତାହରେ ଘୂର୍ଣ୍ଣି ଝଡ ନିଭାର ଅନେକ କ୍ଷୟକ୍ଷତି ଘଟାଇଥିଲା। ଲୋକଙ୍କ ମନରୁ ଏହା ନଲିଭୁଣୁ ପୁଣି ଆଉ ଏକ ପ୍ରାକୃତିକ ବିପର୍ଯ୍ୟୟ ଆସିବାକୁ ଯାଉଛି। ଭାରତୀୟ ପାଣିପାଗ ବିଭାଗ(ଆଇଏମଡି) ସୋମବାର ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ଦାନା ବାନ୍ଧୁଥିବା ଆଶଙ୍କା ପ୍ରକାଶ କରିଛି। ଏହାକୁ ନେଇ ପାଣିପାଗ ବିଭାଗ ଚାରି ରାଜ୍ୟ ପାଇଁ ସତର୍କ ସୂଚନା ଜାରି କରିଛି।

ପାଣିପାଗ ବିଭାଗ ଆଶଙ୍କା ପ୍ରକାଶ କରିଛନ୍ତି ଯେ, ଆଗାମୀ ଚାରି ଦିନରେ ତାମିଲନାଡୁ ବ୍ୟତୀତ ପୁଡୁଚେରୀ, କେରଳ ଓ ଆନ୍ଧ୍ର ପ୍ରଦେଶର ଉପକୂଳବର୍ତ୍ତୀ ଅଞ୍ଚଳରେ ଏହାରି ପ୍ରଭାବରେ ବର୍ଷା ହୋଇପାରେ।

ପାଣିପାଗ ବିଭାଗ କହିଛନ୍ତି, ଏହି ସାମୁଦ୍ରିକ ଝଡ ଡିସେମ୍ବର ୨ରେ ଶ୍ରୀଲଙ୍କା ସମୁଦ୍ରକୂଳ ଅତିକ୍ରମ କରିବ। ଏହାରି ପ୍ରଭାବରେ ତାମିଲନାଡୁର ଓ  କେରଳରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସମ୍ଭାବିତ ଝଡକୁ ଦୃଷ୍ଟିରେ ରଖି ଆଇଏମଡି ତାମିଲନାଡୁ ଓ କେରଳର ଦକ୍ଷିଣ ଅଞ୍ଚଳରେ ରେଡ୍‌ ଆଲର୍ଟ ଜାରି କରିଛନ୍ତି। ପାଣିପାଗ ବିଭାଗ ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରିବା ସହିତ ଭିନ୍ନ ଭିନ୍ନ ଅଞ୍ଚଳ ପାଇଁ ଅଲଗା ଅଲଗା ଆଲର୍ଟ ଜାରି କରିଛନ୍ତି। ଇଡୁକି ପାଇଁ ରେଡ୍ ଆଲର୍ଟ ଏବଂ ତିରୁଅନନ୍ତପୁରମ ଓ କୋଲ୍ଲମ ଜିଲ୍ଲା ପାଇଁ ଅରେଞ୍ଜ ଆଲର୍ଟ ଜାରି କରିଛି। ଏହା ବ୍ୟତୀତ ଅଲାପୁପ୍ପା, କୋଟ୍ଟାୟମ ଓ ଏର୍ଣ୍ଣାକୁଲମ ଜିଲ୍ଲା ପାଇଁ ୟଲୋ ଆଲର୍ଟ ଜାରି କରାଯାଇଛି।

wp:html /wp:html

ଏହି ସବୁ ଅଞ୍ଚଳରେ ପ୍ରବଳ ବର୍ଷା ହେବ ବୋଲି ଆଇଏମଡି ପୂର୍ବାନୁମାନ କରିଛି। ଏହି ସମୟରେ ମତ୍ସ୍ୟଜୀବୀଙ୍କୁ ଡିସେମ୍ବର ୧ ରାତିରୁ ସମୁଦ୍ର ଭିତରକୁ ନଯିବାକୁ ପରାମର୍ଶ ଦେଇଛି। ଯେଉଁ ଲୋକ ସମୁଦ୍ର ଭିତରକୁ ଯାଇଛନ୍ତି, ସେମାନେ ନଭେମ୍ବର ୩୦ ସୁଦ୍ଧା କୂଳକୁ ଫେରିବାକୁ କୁହାଯାଇଛି।

ଆଇଏମଡି ଅନୁଯାୟୀ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଆଗାମୀ ୨୪ ଘଣ୍ଟାରେ ଅଧିକ ଘନୀଭୁତ ହେବାର ସମ୍ଭାବନା ରହିଛି। ଏହା ଅବପାତର ରୂପ ମଧ୍ୟ ନେଇପାରେ। ଆଇଏମଡ ଅନୁଯାୟୀ ଏହି ଘୂର୍ଣ୍ଣିଝଡ ଡିସେମ୍ବର ୨ରେ ତାମିଲନାଡୁ ପହଞ୍ଚିପାରେ। ଏହାରି ପ୍ରଭାବରେ ତାମିଲନାଡୁ, ପୁଡୁଚେରୀ ଓ କରାଇକଲରେ ଡିସେମ୍ବର ୩ ପର୍ଯ୍ୟନ୍ତ ପ୍ରବଳ ବର୍ଷା ହୋଇପାରେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.