ପାକିସ୍ତାନର ଆଉ ଏକ ଯୋଜନା ପଣ୍ଡ : ଅନୁପ୍ରବେଶ ଉଦ୍ୟମ ବେଳେ ଜଣେ ସନ୍ଧିଗ୍ଧକୁ ଗୁଳିକରି ହତ୍ୟା କଲେ ବିଏସ୍ଏଫ୍ ଯବାନ

Published By : Prameya-News7 Bureau | February 08, 2021 IST

ଜାମ୍ମୁ ୦୮/୦୨ : ଜାମ୍ମୁ-କାଶ୍ମୀରର ସାମ୍ବା ଅଞ୍ଚଳରେ ପାକିସ୍ତାନର ଆଉ ଏକ ଚାଲକୁ ଭଣ୍ଡୁର କରିଛି ଭାରତୀୟ ସେନା । ଯବାନମାନେ ଜଣେ ପାକିସ୍ତାନୀ ଅନୁପ୍ରବେଶକାରୀକୁ ଗୁଳିକରି ହତ୍ୟା କରିଥିବା ସୂଚନା ମିଳିଛି । ନିହତ ହୋଇଥିବା ଯୁବକର ମୃତଦେହକୁ ମଧ୍ୟ ଜବତ କରାଯାଇଛି । ମୃତକର ପରିଚୟ ମିଳିନଥିବା ବେଳେ ସର୍ଚ୍ଚଅପରେସନ୍‌ ଜାରି ରହିଛି ।

ସୂଚନା ଅନୁସାରେ, ଜାମ୍ମୁର ସାମ୍ବା ସେକ୍ଟରରେ ଜଣେ ପାକିସ୍ତାନୀ ଅନୁପ୍ରବେଶକାରୀକୁ ଠାବ କରିଥିଲେ ଭାରତୀୟ ଯବାନ । ତାକୁ ଅନେକ ଥର ଚେତାବନୀ ଦେବା ପରେ ମଧ୍ୟ ସେ ଅନୁପ୍ରବେଶକାରୀଜଣକ ସନ୍ଦେହଜନକ ଅବସ୍ଥାରେ ସେଠାରେ ବୁଲୁଥିଲା । ଏହା ପରେ ବାଧ୍ୟ ହୋଇ କାର୍ଯ୍ୟାନୁଷ୍ଠାନ ନେଇଥିଲା ବିଏସ୍ଏଫ୍ । ଯବାନଙ୍କ ଗୁଳିରେ ନିହତ ହୋଇଥିଲା ସନ୍ଧିଗ୍ଧ ବ୍ୟକ୍ତି ।

ସୂଚନାଯୋଗ୍ୟ, ସେଠାରେ ପୂର୍ବରୁ ଗତ ୨୩ ଅଗଷ୍ଟ ୨୦୨୦ରେ ମଧ୍ୟ ଜଣେ ପାକିସ୍ତାନୀ ଅନୁପ୍ରବେଶକାରୀକୁ ଗୁଳିକରିଥିଲେ ଯବାନ । ସେହି ଅଞ୍ଚଳରୁ ଏକ ସୁଡଙ୍ଗକୁ ମଧ୍ୟ ଠାବ କରାଯାଇଥିଲା । କିଛି ଦିନ ପୂର୍ବରୁ ହୀରାନଗରର ପାନସରରୁ ଏକ ସୁଡଙ୍ଗ ଠାବ କରିଥିଲେ ଯାହାର ଲମ୍ବ ଥିଲା ପ୍ରାୟ ୧୫୦ ମିଟର । ପାକିସ୍ତାନର ଗୁପ୍ତ ବିଭାଗ ଆତଙ୍କବାଦୀଙ୍କୁ ଭାରତରେ ଅନୁପ୍ରବେଶ କରାଇବା ପାଇଁ ଉକ୍ତ ସୁଡଙ୍ଗ ନିର୍ମାଣ କରିଥିଲା ।

କେବଳ ସେତିକି ନୁହେଁ ୨୦୨୦ ଜୁନ୍‌ରେ ଅସ୍ତ୍ରଶସ୍ତ୍ର ଏବଂ ଗୋଳା-ବାରୁଦ ନେଇ ଯାଉଥିବା ଏକ ଟ୍ରକକୁ ଅଟକାଇ ଯାଞ୍ଚ କରୁଥିବା ବେଳେ ଜଣେ ଆତଙ୍କବାଦୀ ଯବାନମାନଙ୍କ ଉପରକୁ ଗୁଳି ଚଳାଇଥିଲା । ପାଲଟା ଆକ୍ରମଣରେ ସେହିଠାରେ ହିଁ ନିହତ ହୋଇଥିଲା ଆତଙ୍କୀ । ନଭେମ୍ବର ୨୦୧୯ରେ ମଧ୍ୟ ଏହିଠାରେ ଅନୁପ୍ରବେଶ ଉଦ୍ୟମକୁ ପଣ୍ଡ କରିଥିଲା ଭାରତୀୟ ସେନା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.