ରେଳ ଧାରଣାରେ ବର୍ତ୍ତିଗଲା ଆଉ ଏକ ବଡ ଦୁର୍ଘଟଣା, ପାଇଲଟ୍ ଲଗାଇଲେ ଜରୁରୀକାଳୀନ ବ୍ରେକ୍, ବଞ୍ଚିଗଲା ଶ୍ରମିକଙ୍କ ଜୀବନ

Published By : Prameya-News7 Bureau | May 09, 2020 IST

ନୂଆଦିଲ୍ଲୀ ୦୯।୦୫: ମହାରାଷ୍ଟ୍ରର ଔରଙ୍ଗାବାଦରେ ରେଳ ଧାରଣାରେ ଘଟିଥିବା ମର୍ମନ୍ତୁଦ ଦୁର୍ଘଟଣା ପରେ ମଧ୍ୟ ରେଲଓ୍ଵେ ଟ୍ରାକ ସାହାରାରେ ପ୍ରବାସୀଙ୍କ ଘରକୁ ଯିବା ଥମିବାର ନାଁ ନେଉ ନାହିଁ। କ୍ରମାଗତ ମହାରାଷ୍ଟ୍ରରୁ ରେଳ ଧାରଣା ଦେଇ ନିଜ ଗାଁକୁ ଫେରୁଥିବା ପ୍ରବାସୀଙ୍କୁ ଦେଖିବାକୁ ମିଳୁଛି। ମାତ୍ର ଏହାକୁ ରୋକିବାରେ ସରକାର ସଫଳ ହୋଇ ନାହାନ୍ତି। ଔରଙ୍ଗାବାଦରେ ରେଳ ଧାରଣାରେ ଘଟିଥିବା ଦୁର୍ଘଟଣା ଲୋକଙ୍କ ମନରୁ ନଲିଭୁଣୁ ପୁଣେ ନିକଟ ରେଳ ଧାରଣାରେ ଆଜି ଆଉ ଏକ ବଡ ଦୁର୍ଘଟଣା ଅଳ୍ପକେରୁ ବର୍ତ୍ତି ଯାଇଛି।

ସୂଚନା ଅନୁଯାୟୀ, ପୁଣେ ନିକଟର ଉରଲୀ ଓ ଲୋଣି ଷ୍ଟେସନ ମଧ୍ୟରେ ଗତ ଶୁକ୍ରବାର ସନ୍ଧ୍ୟାରେ ରେଲଓ୍ଵେ ଟ୍ରାକ ଉପରେ ଆଉ ଏକ ବଡ ଦୁର୍ଘଟଣା ଟଳି ଯାଇଛି।  ଏକ ମାଲଗାଡି ଦ୍ରୁତ ଗତିରେ ଯାଉଥିବା ସମୟରେ ଟ୍ରେନର ଡ୍ରାଇଭର ଟ୍ରାକରେ କିଛି ଲୋକ ବସିଥିବା ଏବଂ କିଛି ଲୋକ ଯାଉଥିବା ଦେଖିବାକୁ ପାଇଥିଲେ। ଲୋକ ପାଇଲଟ୍‌ ତୁରନ୍ତ ଟ୍ରେନ୍‌ର ହର୍ଣ୍ଣ ବଜାଇବା ଆରମ୍ଭ କରିଥିଲେ ଏବଂ ସତର୍କତାପୂର୍ବକ ତତ୍କାଳ ଜରୁରୀକାଳୀନ ବ୍ରେକ୍‌ ଦେଇଥିଲେ। ଏହା ପରେ ଟ୍ରେନ୍‌ଟି ଟ୍ରାକ ଉପରେ ଚାଲୁଥିବା ପ୍ରାୟ ୨୦ ପ୍ରବାସୀ ଶ୍ରମିକଙ୍କ ୧୦୦ ମିଟର ଦୂରରେ ଯାଇ ଅଟକିଥିଲା।

ଏହି ଘଟଣା ପରେ ଏହାର ସୂଚନା ତୁରନ୍ତ ନିକଟସ୍ଥ ପ୍ରଶାସନକୁ ଦିଆଯାଇଥିଲା। ଏହା ପରେ ରେଳ ଧାରଣାରେ ବସିଥିବା ଏବଂ ଯାଉଥିବା ଶ୍ରମିକଙ୍କ ହଟା ଯାଇଥିଲା। ରେଲଓ୍ଵେ ପ୍ରଶାସନ କ୍ରମାଗତ ପ୍ରବାସୀ ଶ୍ରମଜୀବୀଙ୍କୁ ଅପିଲ୍ କରୁଛନ୍ତି ଯେ, ଯାତ୍ରା ସମୟରେ ଟ୍ରେନ ଧାରଣାର ବ୍ୟବହାର କରନ୍ତୁ ନାହିଁ। କାରଣ ଟ୍ରାକ ଉପରେ ଚାଲି ଚାଲି ଯିବା ବହୁତ ବଡ ବିପଦ। ଅନେକ ଆବଶ୍ୟକ ସେବା ଲାଗି ମାଲଗାଡି ଚଳାଯାଉଛି। କୌଣସି ବି ସମୟରେ ଏହା ଆପଣଙ୍କ ଲାଗି ବିପଦ ସାଜିପାରେ। ଏଥିପାଇଁ ସୁରକ୍ଷା ଦୃଷ୍ଟିରୁ ରେଲଓ୍ଵେ ଟ୍ରାକର ବ୍ୟବହାର ଚାଲିବା ପାଇଁ କରନ୍ତୁ ନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.