ଶୀତ ମାସରେ ହେବ ବର୍ଷା ! ମଙ୍ଗଳବାର ଲଘୁଚାପ ସମ୍ଭାବନା
13/11/2023 at 2:23 PM

ଭୁବନେଶ୍ୱର ୧୩।୧୧ : ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା । ଯାହାଫଳରେ ଓଡିଶାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ନେଇ ଆକଳନ କରିଛି । ଏନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ଭୁବନେଶ୍ୱର ପକ୍ଷରୁ ସୂଚନା ଦିଆଯାଇଛି ।
ଖବର ଅନୁଯାୟୀ, ରବିବାର ଦିନ ସୃଷ୍ଟି ହୋଇଥିବା ଘୂର୍ଣ୍ଣବଳୟ ବର୍ତ୍ତମାନ ଦକ୍ଷିଣ ଆଣ୍ଡାମାନ ସାଗରରେ ରହିଛି । ଏହା ବାୟୁମଣ୍ଡଳ ମଧ୍ୟଭାଗ ଯାଏଁ ବ୍ୟାପିଛି । ଏଥିରୁ ଅନୁମାନ କରାଯାଉଛି କି, ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ପରବର୍ତ୍ତୀ ସମୟରେ ଏହା ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତିକରିବ । ଏହା ପ୍ରଭାବରେ ୧୫ ତାରିଖରେ ଦକ୍ଷିଣ ଓ ଉପକୂଳବର୍ତ୍ତୀ ଜିଲ୍ଲା ଗୁଡିକରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି ।
ସେହିଭଳି ୧୬ ତାରିଖରେ ୬ଜିଲ୍ଲା ଯଥା- ଗଞ୍ଜାମ, ଜଗତସିଂହପୁର, ପୁରୀ, କଟକ, କେନ୍ଦ୍ରାପଡ଼ା, ଭଦ୍ରକରେ ଭାରୀ ବର୍ଷା ନେଇ ସତର୍କ ସୂଚନା ଜାରି କରାଯାଇଛି । ଏହିସବୁ ଜିଲ୍ଲାକୁ ପାର୍ଶ୍ୱବର୍ତ୍ତୀ ଜିଲ୍ଲାରେ ମଧ୍ୟ ବର୍ଷା ହେବାର ଅନୁମାନ ରହିଛି ।