ବିଶ୍ଵକପ୍ ୨୦୨୩ ପୂର୍ବରୁ PCB ଚିନ୍ତିତ, ଆଇସିସି ନିକଟରେ ରଖିଲା ଆଉ ଏକ ଦାବି
1/10/2023 at 10:14 PM

ନୂଆଦିଲ୍ଲୀ: ବିଶ୍ଵକପ୍ ୨୦୨୩ ଆରମ୍ଭ ହେବାକୁ ଆଉ କେଇଟା ଦିନ ବାକି ରହିଛି। ଏହି କ୍ରମରେ ପାକିସ୍ତାନ କ୍ରିକେଟ୍ ବୋର୍ଡ(ପିସିବି) ନିଜ ଦେଶର ସାମ୍ବାଦିକ ଓ ପ୍ରଶଂସକଙ୍କ ପାଇଁ ଭିସା ପ୍ରକ୍ରିୟା ତ୍ଵରାନ୍ଵିତ କରିବାକୁ ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ(ଆଇସିସି)କୁ ଚିଠି ଲେଖିଛି। ବିଶ୍ଵକପରେ ଅକ୍ଟୋବର ୬ ତାରିଖରେ ପାକିସ୍ତାନ ନେଦରଲାଣ୍ଡ୍ସ ବିପକ୍ଷରେ ନିଜର ବିଶ୍ଵକପ୍ ଅଭିଯାନ ଆରମ୍ଭ କରିବ। ପାକିସ୍ତାନର କିଛି ସାମ୍ବାଦିକଙ୍କୁ ଭାରତର ଭିସା ମିଳି ସାରିଛି।
ପିସିବି ସେପ୍ଟେମ୍ବର ମାସରେ ଖେଳାଳିଙ୍କ ଭିସାରେ ବିଳମ୍ବତା ପାଇଁ ଆଇସିସିକୁ ଚିଠି ଲେଖିଥିଲା। ଆଉ ଏବେ ନିଜ ଦେଶର ପ୍ରଶଂସକ ଓ ମିଡିଆ ପାଇଁ ଭିସା ପ୍ରଦାନରେ ନିଜ ଚିନ୍ତା ବ୍ୟକ୍ତ କରିଛି। ପିସିବି ଆଇସିସିକୁ ମେଲ୍କରି ଭିସା ପ୍ରକ୍ରିୟା ତ୍ଵରିତ କରିବା ପାଇଁ ଦାବି କରିଛି। ବିଶ୍ଵକପ୍ ପାଇଁ ପାଖାପାଖି ୫୦ ସାମ୍ବାଦିକ ଯାତ୍ରା କରିବାର ଆଶା ରହିଛି।
Also read- ଏସିଆନ ଗେମ୍ସ ୨୦୨୩: ଗୋଟିଏ ଦିନରେ ୧୫ ପଦକ ହାସଲ କରି ଇତିହାସ ରଚିଲା ଭାରତ, ୫୦ ଟପିଲା ପଦକ ସଂଖ୍ୟା
ବିସିସିଆଇ ସୂତ୍ର ଅନୁଯାୟୀ, ବିଦେଶ ମନ୍ତ୍ରଣାଳୟ ସେହି ସାମ୍ବାଦିକଙ୍କ ନାଁ ଉପରେ ବିଚାର କରୁଛନ୍ତି, ଯିଏ ୫୦ ଓଭର ଖେଳକୁ କଭର କରିବାକୁ ଚାହୁଁଛନ୍ତି। ଆବେଦନଗୁଡ଼ିକୁ ବିଦେଶ, ଗୃହ ଓ କ୍ରୀଡ଼ା ମନ୍ତ୍ରଣାଳୟର ମଞ୍ଜୁରୀର ଆବଶ୍ୟକତା ରହିଥାଏ, କାରଣ ପାକିସ୍ତାନ ଭାରତର ପ୍ରାଥମିକତା ସଂଦର୍ଭ ସୂଚୀ(ପିଆରସି)ରେ ରହିଛି। ବିସିସିଆଇ ଅନୁଯାୟୀ, ପାକିସ୍ତାନୀ ମିଡିଆ ପାଇଁ ଭିସା ପ୍ରଦାନ କରାଯାଉଛି।
ପିସିବି କହିଛି, ଏହା ଚିନ୍ତାଜନକ ଯେ ମିଡିଆ ଓ ପ୍ରଶଂସକଙ୍କୁ ଏ ପର୍ଯ୍ୟନ୍ତ ଭିସା ନୀତି ବିଷୟରେ ସୂଚିତ କରାଯାଇ ନାହିଁ। ସେପଟେ ପାକିସ୍ତାନ ଦୁଇଟି ଓ୍ଵାର୍ମଅପ୍ ମ୍ୟାଚ୍ ଖେଳି ସାରିଛି। ଆଉ ୫ ଦିନ ପରେ ନିଜର ବିଶ୍ଵକପ୍ ଅଭିଯାନ ଆରମ୍ଭ କରିବ। ତଥାପି ପିସିବି ଆଶା ରଖିଛି ଯେ, ଆଇସିସି ଓ ଅନ୍ୟ ସମ୍ବନ୍ଧିତ ଅଧିକାରୀ ଭିସା ପ୍ରକ୍ରିୟା ଶୀଘ୍ର ତ୍ଵରାନ୍ଵିତ କରିବେ।