ସେୟାର ମୂଲ୍ୟ ହ୍ରାସରେ ଆଦାନୀ ଗ୍ରୁପ୍ ହାତରୁ ଖସିଲା ଆଉ ଏକ ବଡ଼ ଡିଲ୍
23/02/2023 at 3:48 PM

ନୂଆଦିଲ୍ଲୀ ୨୩।୨: ଭାରତୀୟ ଉଦ୍ୟୋଗପତି ଗୌତମ ଆଦାନୀଙ୍କ ସମସ୍ୟା କମ ହେବାର ନାଁ ନେଉନି। ଗତ ଜାନୁୟାରୀ ୨୪ ତାରିଖ ଦିନ ଆମେରିକୀୟ ରିସର୍ଚ୍ ଫାର୍ମ ହିଣ୍ଡନବର୍ଗଙ୍କ ରିପୋର୍ଟ ପ୍ରକାଶ ପାଇଥିଲା। ସେବେଠାରୁ ଆଦାନୀଙ୍କ ସମୂହ ଲଗାତାର କ୍ଷତିର ସମ୍ମୁଖୀନ ହେଉଛନ୍ତି। କଥା କେବଳ ଏତିକିରେ ଅଟକି ନାହିଁ ଆଦାନୀ ଏକ ବ୍ୟବସାୟୀକ ସମୂହ ହୋଇଥିବା ବେଳେ ହାତରୁ ଗୋଟିକ ପରେ ଗୋଟିଏ ଡିଲ ମଧ୍ୟ ଖସିବାରେ ଲାଗିଛି।
ପରିସ୍ଥିତି ଏପରି ହୋଇଛି ଯେ ମାସକ ମଧ୍ୟରେ ଗୌତମ ଆଦାନୀ ପ୍ରଥମେ ବିଲେନିୟର ସୂଚୀର ୨ରୁ ୪, ପୁଣି ୧୦, ପରେ ୨୦ ସ୍ତରକୁ ଖସିବା ପରେ ନିକଟରେ ସୂଚୀର ୨୫ ଓ ଏବେ ୨୬ତମ ସ୍ଥାନକୁ ଖସିଆସିଛନ୍ତି। ତାଙ୍କ ମୋଟ ସମ୍ପତ୍ତିର ପରିମାଣ ୪୨.୭ ବିଲିୟନ ଡଲାରଙ୍କୁ ହ୍ରାସ ହୋଇଛି। ତେବେ ଆଜକୁ ଠିକ୍ ୧ମାସ ପୂର୍ବେ ଗୌତମ ଆଦାନୀ ବ୍ଲୁମବର୍ଗ ବିଲେନିୟର ସୂଚୀର ଚତୁର୍ଥ ସ୍ଥାନରେ ଥିଲେ। ବ୍ଲୁମବର୍ଗ ବିଲେନିୟର ଇଣ୍ଡେକ୍ସ ଅନୁସାରେ ଗୌତମ ଆଦାନୀଙ୍କୁ ୨୨ ଫେବୃଆରୀ ବୁଧବାର ପୁଣି ଏକ ଜୋରଦାର ଝଟକା ଲାଗିଛି। ଫଳରେ ତାଙ୍କ ମୋଟ ସମ୍ପତ୍ତିରୁ ପୁଣି ୬ ବିଲିୟନ ଡଲାର ଅଧିକ ମୂଲ୍ୟର ସମ୍ପତ୍ତି ହରାଇ ବସିଛନ୍ତି।

ବୁଧବାର କାରବାର କାଳରେ ପୁଣି ଥରେ ତାଙ୍କର ୧୦ଟି ଜାକ କମ୍ପାନୀର ସେୟାର ଲାଲ ସଂକେତରେ କାରବାର କରିଛି। ଏଥିରେ ସବୁଠୁ ଅଧିକ ହ୍ରାସ ଆଦାନୀ ଏଣ୍ଟରପ୍ରାଇଜେସ୍ ଓ ଆଦାନୀ ପୋର୍ଟସ୍ ସେୟାର ମୂଲ୍ୟରେ ଦେଖା ଯାଇଛି। ଗୁରୁବାର ମଧ୍ୟ ବଜାରରେ ସମାନ ପରିସ୍ଥିତି ଜାରି ରହିଛି। ସେୟାର ମୂଲ୍ୟ ହ୍ରାସ ଯୋଗୁ ଆଦାନୀଙ୍କ ନେଟୱର୍ଥରେ ୪୨.୭ ବିଲିୟନ ଡଲାରକୁ ଖସି ଆସିଥିବା ବେଳେ ଆଦନୀ ଧନୀକଙ୍କ ସୂଚୀର ୨୬ ତମ ସ୍ଥାନକୁ ଚାଲି ଆସିଛନ୍ତି।
ଓରିଏଣ୍ଟ ସିମେଣ୍ଟ କିଣା ରଦ୍ଦ
ଗୋଟିଏ ପଟେ ଗୌତମ ଆଦାନୀଙ୍କ ନେଟୱର୍ଥ ହ୍ରାସ ହେଉଥିବା ବେଳେ ଅନ୍ୟପଟେ ତାଙ୍କ ହାତରୁ ଗୋଟିଏ ପରେ ଗୋଟିଏ ଡିଲ ଖସିବାରେ ଲାଗିଛି। ହିଣ୍ଡନବର୍ଗ ପ୍ରକୋପରୁ ବର୍ତ୍ତିବା ଲାଗି ରଣନୀତି ଭାବେ ଆଦାନୀ ଗ୍ରୁପ କାରବାର ବିସ୍ତାରକୁ ଥଣ୍ଡା ବସ୍ତାରେ ପକାଇ ଦେଇଛନ୍ତି। ଏଣୁ ଆଦାନୀ ଡିବି ପାୱାର ଓ ପିଟିସି ଇଣ୍ଡିଆଙ୍କ କିଣାରୁ ଓହରି ଯାଇଥିବା ବେଳେ ଓରିଏଣ୍ଟ ସିମେଣ୍ଟ କିଣାରୁ ମଧ୍ୟ ଓହରି ଯାଇଛନ୍ତି। ବିଜନେସ୍ ଟୁଡେଙ୍କ ରିପୋର୍ଟ ଅନୁସାରେ ସି.କେ.ବିରଲା ଗ୍ରୁପଙ୍କ କମ୍ପାନୀ ଓରିଏଣ୍ଟ ସିମେଣ୍ଟ କିଣାରୁ ଆଦାନୀ ପାୱାର ମହାରାଷ୍ଟ୍ରସହ ଡିଲ ସମାପ୍ତ ହୋଇଯାଇଛି।

ଉଲ୍ଲେଖଯୋଗ୍ୟ ଯେ ଓରିଏଣ୍ଟ ସିମେଣ୍ଟ ସେପ୍ଟେମ୍ବର ୨୦୨୧ରେ କାରଖାନା ବିକ୍ରି ଲାଗି ଆଦାନୀ ସହିତ ଏମଓୟୁ କରିଥିଲା। ଉଭୟ କମ୍ପାନୀ ମହାରାଷ୍ଟ୍ର ତିରୋଦାରେ ଏକ ସିମେଣ୍ଟ ଗ୍ରାଇଣ୍ଡିଂ ୟୁନିଟ୍ ଖୋଲିବାକୁ ରାଜିନାମା କରିଥିଲେ। ସି.କେ.ବିରଲା ଗ୍ରୁପ ଅନୁସାରେ ଏହି ଡିଲ ପାଇଁ ରାଜିନାମାର ଟାଇମ ଲାଇନ ମଧ୍ୟ ଏବେ ସମାପ୍ତ ହୋଇଯାଇଛି। ହିଣ୍ଡନବର୍ଗ ରିପୋର୍ଟ ଆସିବା ପରେ ସମସ୍ୟାରେ ଫଶିଥିବା ଆଦାନୀ ଗ୍ରୁପର କାରବାର ସୂଚୀ ଦେଖିଲେ ମାତ୍ର ମାସକରେ ଗ୍ରୁପକୁ ୩ଟି ବଡ଼ ଝଟକା ଲାଗିଛି।
୨ଟି ବଡ ଡିଲରୁ ନିଜେ ପଛକୁ ହଟିଛନ୍ତି ଆଦାନୀ
ଚଳିତ ସପ୍ତାହ ଆରମ୍ଭରେ ଅର୍ଥାତ ଗତ ସୋମବାର ଗୌତମ ଆଦାନୀ ପାୱାର ଟ୍ରେଡିଂ କର୍ପୋରେସନ ଲିମିଟେଡ (ପିଟିସି)ରେ ଅଂଶୀଦାରୀ ଲାଗି ବୋଲି ନ ଲଗାଇବାକୁ ନିଷ୍ପତ୍ତି ନେଇଥିଲେ। ପିଟିସି ଇଣ୍ଡିଆ ଲିମିଟେଡଙ୍କ ସେୟାରଧାରୀଙ୍କ ମଧ୍ୟରେ ଭାରତୀୟ ଜୀବନ ବୀମା ନିଗମ(ଏଲଆଇସି) ଓ ଦାମୋଦର ଭେଲି କର୍ପୋରେସନ ମଧ୍ୟ ଅଛନ୍ତି। ଏହି କମ୍ପାନୀର ମାର୍କେଟ୍ କ୍ୟାପିଟାଲାଇଜେସନ ପାଖାପାଖି ୨,୫୦୦ କୋଟି ଟଙ୍କା। ଏଥିରେ ପିଟିସି ଇଣ୍ଡିଆଙ୍କ ୧୬ ପ୍ରତିଶତ ଅଂଶୀଦାରୀର ମୂଲ୍ୟ ପାଖାପାଖି ୪୧୫ କୋଟି ଟଙ୍କା ହୋଇପାରେ। ତେବେ ଏହା ପୂର୍ବରୁ ଆଦାନୀ ରଦ୍ଦ କରିଥିବା ଡିବି ପାୱାର ସହିତ ଡିଲ ପାଖାପାଖି ୭୦୦୦ କୋଟି ଟଙ୍କାର ଥିଲା।