ଜୀବନ ଯୁଦ୍ଧରେ ହାରିଗଲେ କରୋନା ଯୋଦ୍ଧା, ରାଷ୍ଟ୍ରୀୟ ମର୍ଯ୍ୟାଦାରେ ସମ୍ମାନିତ କଲା ଜିଲ୍ଲା ପ୍ରଶାସନ

Published By : Prameya-News7 Bureau | December 07, 2020 IST

ନୂଆପଡା ୦୭।୧୨: କରୋନାରୁ ସାଧାରଣ ଜନତାଙ୍କୁ ସୁରକ୍ଷିତ ରଖିବା ପାଇଁ ଦିନରାତି ନିଷ୍ଠାର ସହ ନିଜର କର୍ତ୍ତବ୍ୟ ସାଧନ କରୁଥିଲେ । ଅନେକଙ୍କ ଜୀବନ ବଞ୍ଚାଇବାରେ ସଫଳ ଯୋଦ୍ଧା ସାଜିଥିଲେ, କିନ୍ତୁ ନିଜ ଜୀବନ ଯୁଦ୍ଧରେ ହାରିଗଲେ । କରୋନା ଆକ୍ରାନ୍ତ ହେବା ପରେ କୋଭିଡ଼ ଯୁଦ୍ଧରେ ଲଢେଇ କରୁ କରୁ ନିଜେ ଆଖିବୁଜିଦେଲେ  କଳାହାଣ୍ଡି ଜିଲ୍ଲାର ଜିଲ୍ଲା ମଙ୍ଗଳ ଅଧିକାରୀ ନନ୍ଦଲାଲ ବିଶ୍ବାଲ । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ସମ୍ମାନ ଜଣାଇଛି ନୂଆପଡା ଜିଲ୍ଲା ପ୍ରଶାସନ ।

{"id":373874,"sizeSlug":"large"}

ନୁଆପଡା ଜିଲ୍ଲା ସଦର ବ୍ଲକ ଟାନୱଟ ଗ୍ରାମର ଜଣେ ଚାଷି ପରିବାରରୁ ଆସିଥିବା ନନ୍ଦଲାଲ ବିଶ୍ବାଲ ଜଣେ  ପରିଶ୍ରମି ମଣିଷ । ନିଜ ଗାଁ ହାଇସ୍କୁଲର ପ୍ରଥମ ବ୍ୟାଚ ଛାତ୍ର ଭାବରେ ଦଶମ ପାସ୍ କଲାପରେ ମେଧାବୀ ଛାତ୍ର ଭାବରେ ନିଜର ଛାତ୍ର ଜୀବନରୁ ହିଁ ଜଣେ ଅଧିକାରୀ ହେବାର ସ୍ବପ୍ନ ରଖିଥିଲେ । ଉତ୍କଳ ମହାବିଦ୍ୟାଳୟରେ ପିଜି ସରିବା ପରେ ପ୍ରଥମେ ରେଳ ବିଭାଗରେ ଶିକ୍ଷକ ଭାବରେ ନିଜର ଚାକିରି ଜୀବନ ଆରମ୍ଭ କରିଥିଲେ । ପରେ ୨୦୧୧ ମସିହାରେ ଓଏସ୍ ପାଇବା ପରେ ବାରିପଦା ସ୍ଥିତ ଆଇଟିଡିଏ ବିଭାଗରେ ପ୍ରକଳ୍ପ ନିର୍ଦ୍ଦେଶକ ନିଯୁକ୍ତ ହୋଇଥିଲେ । ଏହାର କିଛି ଦିନ ପରେ ଜିଲ୍ଲା ମଙ୍ଗଳ ଅଧିକାରି(ଡିଡବ୍ଲୁଓ) ଭାବରେ ବରଗଡ, ରାୟଗଡା ଓ ଆଉ ଏବେକା ସମୟରେ କଳାହାଣ୍ଡି ଜିଲ୍ଲାରେ କାର୍ଯ୍ୟରତ ଥିଲେ । କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକରେ କରୋନା ମୁକାବିଲା ପାଇଁ ନୋଡାଲ ଅଫିସର ଭାବରେ ଦାୟିତ୍ବ ଦିଆଯାଇଥିଲା । ନିଜ ଦାୟିତ୍ୱ ସୂଚାରୁ ରୁପରେ ନିଜର ପାଳନ କରୁଥିଲେ ।

{"id":373875,"sizeSlug":"large"}

ଗତ ୨୫ ତାରିଖ ଦିନ ନିଜେ  ସେ କରୋନା ସଂକ୍ରମିତ ହୋଇଥିଲେ । ଏହାପରେ ତାଙ୍କୁ କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଅଧିକ ଚିକିତ୍ସା ପାଇଁ ଭୁବନେଶ୍ବର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ କୌଣସି ଉନ୍ନତ୍ତି ଦେଖା ଯାଇନଥିଲା । ଶେଷରେ ଶନିବାର ବିଳମ୍ବିତ ରାତରେ ତାଙ୍କ ଦେହାନ୍ତ ହୋଇଯାଇଥିଲା ।  ତାଙ୍କ ମରଶରୀରକୁ  ନିଜ ଗାଁକୁ ପହଞ୍ଚିବା ପରେ କୋଭିଡର ସମସ୍ତ ନୀତି ନିୟମ ମାନି ନୂଆପଡା ଜିଲ୍ଲା ପ୍ରଶାସନ ତରଫରୁ କରୋନା ଯୋଦ୍ଧା ଭାବରେ ତାଙ୍କୁ ସମ୍ମାନ ଜଣାଯାଇଛି ।  

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ତାଙ୍କୁ ଶେଷ ବିଦାୟ ଦିଆଯାଇଛି । ନନ୍ଦଲାଲଙ୍କ ୧୩ ବର୍ଷ ବୟସର ବଡ ପୁଅ ମୂଖାଗ୍ନି ଦେଇଥିବା ବେଳେ ବୃଦ୍ଧ ବାପା, ପରିବାର ଲୋକେ, ଜିଲ୍ଲା ପ୍ରଶାସନ ପକ୍ଷରୁ ଅନେକ ଅଧିକାରୀ ଉପସ୍ଥିତ ରହି ଫଟୋଚିତ୍ରରେ ପୁଷ୍ପ ଅର୍ପଣ କରିବା ସହ ଦୁଇ ମିନିଟର ନିରବ ପ୍ରାର୍ଥନା କରିଥିଲେ । ସେ ଜଣେ ମିଷ୍ଟଭାଷୀ , ମେଳାପି ଓ ପରୋପକାରୀ ମଣିଷ ହୋଇଥିବା ବେଳେ, ତାଙ୍କ ମୃତ୍ୟୁକୁ ନେଇ ନୂଆପଡା ସମେତ କଳାହାଣ୍ଡି ଜିଲ୍ଲାରେ ଶୋକର ଛାୟା ଖେଳି ଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.